ଉପେନ୍ଦ୍ରଙ୍କ ପାଇଁ ସହାୟତା ଯୋଗାଇଦେଲେ ମୁଖ୍ୟମନ୍ତ୍ରୀ
ହାଟଡିହି (ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ଗାଁର ଉପେନ୍ଦ୍ର ସେଠୀ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଯୋଗାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିଥିବା ମୋହନ ଚରଣ ମାଝୀ ନିଜେ ଟେଲିଫୋନ କରି ଉପେନ୍ଦ୍ରଙ୍କ ଭଲ ମନ୍ଦ ବୁଝିବା ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିପାଇଁ ପରିବାର ଲୋକେ ଆଶାବାଦୀ ଥିଲେ ଯେ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସହାୟତା ଯୋଗାଇ ଦେବେ। ଯାହାହେଉ ଗତ ୧୫/୫/୨୦୨୫ରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ଫଣ୍ଡ ରୁ ଉପେନ୍ଦ୍ରଙ୍କ ଚିକିତ୍ସା ପାଇଁ ଅଢେଇ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଥିବାରୁ ପତ୍ନୀ କୁନ୍ତଳା ସେଠୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୧୮ବର୍ଷ ହେଲା ତାମିଲନାଡୁର ଶକ୍ତି ଅଟୋ କମ୍ପାନୀ ରେ କାମ କରୁଥିଲେ ଉପେନ୍ଦ୍ର। କିନ୍ତୁ ଉପେନ୍ଦ୍ର ଏକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଗଲେ। ଗତ ଜାନୁୟାରୀ ମାସରେ ଉପେନ୍ଦ୍ରଙ୍କ ବ୍ରେନ୍ ଷ୍ଟ୍ରୋକ ହେବା ପରେ ଏବେ ସେ ଶଯ୍ୟାଶାୟୀ। ଅନେକ ଧାର କରଜ କରି ତାମିଲନାଡ଼ୁରେ ତାଙ୍କ ଅପରେସନ କରିଥିଲେ ତାଙ୍କ ପତ୍ନୀ କୁନ୍ତଳା। ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ହେବାରୁ ଘରକୁ ନେଇ ଆସିଛନ୍ତି ଉପେନ୍ଦ୍ରଙ୍କୁ। କମ୍ପାନୀ କର୍ତ୍ତୃପକ୍ଷ ଯୋଗାଇ ଦେଉଥିବା ଚିକିତ୍ସା ସହାୟତା ଏପ୍ରିଲ ମାସରୁ ବନ୍ଦ କରିଦେଲେ। ଫଳରେ ପ୍ରତି ମାସ ୧୫ହଜାରରୁ ଊର୍ଦ୍ଧ୍ବ ଟଙ୍କା ହେଲେ ଯାଇ ତାଙ୍କର ଚିକିତ୍ସା ହେବ। ଗୋଟିଏ ପଟେ ତିନି ତିନୋଟି ଛୁଆଙ୍କ ପଢା ଖର୍ଚ୍ଚ, ଘରେ ବୃଦ୍ଧ ବାପା ଓ ଏପଟେ ସ୍ଵାମୀଙ୍କ ଚିକିତ୍ସା ସବୁ ପତ୍ନୀ କୁନ୍ତଳା ସେଠୀଙ୍କ ଉପରେ। ଅନ୍ୟ ପଟେ ଧାର କରଜ ଆଣିଥିବା ଲୋକେ ଏବେ ମାଗିବା ଆରମ୍ଭ କଲେଣି। ଘରେ ବି ରୋଜଗାରର କୌଣସି ପନ୍ଥା ନଥିବାରୁ କିପରି ଏସବୁ ଭରଣା କରାଯିବ ସେନେଇ ଚିନ୍ତାରେ ପଡ଼ିଛନ୍ତି କୁନ୍ତଳା। ଯଦିଓ ମୁଖ୍ୟମନ୍ତ୍ରୀ ସହଯୋଗ କରିଛନ୍ତି ତଥାପି ଆହୁରି ଢେର ଖର୍ଚ୍ଚ ହେବ ଓ ପରିବାର ଖର୍ଚ୍ଚ ଅଛି। ଏପରି ସ୍ଥଳେ ଓଡ଼ିଶା ବାସୀଙ୍କୁ ସହଯୋଗ କରିବାକୁ କୁନ୍ତଳା ନିବେଦନ କରିଛନ୍ତି।