କଟକ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ମୁଖ୍ୟମନ୍ତ୍ରୀ
କଟକ (ଓ୍ବାଇଏନଏସ): କଟକ ବାରବାଟୀ ଷ୍ଟାଡିୟମଠାରେ ଆସନ୍ତାକାଲି ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହେବ । ଏହି ଜାତୀୟ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା କାର୍ଯ୍ୟକ୍ରମ ରହିଛି । ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ ଏବଂ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ପରେ ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଜିଲ୍ଲାର ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ତଥା ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ଏହା ପରେ ମୁଖ୍ୟମନ୍ତ୍ରୀ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ରକ୍ତଦାନ ଶିବିର ଏବଂ ପୁସ୍ତକ ପ୍ରଦର୍ଶନୀକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ଏନଡିଆରଏଫ ର ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିବେ ଏବଂ ବାଲ୍ୟ ବିବାହ ବିରୋଧରେ ଶହେ ଦିନିଆ ଅଭିଯାନ ଅବସରରେ ଆୟୋଜିତ ସାଇକେଲ ରାଲିର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।


