ଭିଜିଲନ୍ସ ଜାଲରେ ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ, ଅଫିସ ଗାଡି ଡିକିରୁ ବାହାରିଲା ୩ ଲକ୍ଷ ଟଙ୍କା
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମରୁ ବଦଳୀ ପରେ ନୁଆପଡା ଜିଲାର ହୋଇଥାନ୍ତେ ଯୋଗାଣ ଅଧିକାରୀ, କିନ୍ତୁ ଏହା ପୂର୍ବରୁ ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ଗାଡି ଡିକିରୁ ୩ଲକ୍ଷ ଟଙ୍କା ଜବତ କରିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ । ଆଜି ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ଘରୁ ଅଫିସ ଗାଡିରେ ବସି କାର୍ଯ୍ୟାଳୟକୁ ଯାଉଥିବା ବେଳେ କଲେଜ ଛକ ନିକଟରେ ଦୁଇ ଜଣ ବାଇକରେ ଆସି ତାଙ୍କୁ ପିଛା କରି ଅଟକାଇଥିଲେ । ସେହି ଦୁଇ ଜଣ ନିଜକୁ ଭିଜିଲାନ୍ସ କର୍ମଚାରୀ ପରିଚୟ ଦେଇଥିଲେ ପରେ ଅନ୍ୟ କିଛି କର୍ମଚାରୀ ଆସି ସେଠାରେ ପହଂଚି ଗାଡି ଯାଂଚ କରିଥିଲେ । ଯାଂଚରେ ୩ଟି ପ୍ୟାକେଟରେ ୫ଶହ ଟଙ୍କିଆ ୬ଟି ବେଣ୍ଡଲ ଯାହାକି ତିନି ଲକ୍ଷ ବାହାରିଥିଲା । ପରେ ଯୋଗାଣ ଅଧିକାରୀ ରହୁଥିବା ଛତ୍ରପୁର ସ୍ଥିତ ବ୍ୟାଙ୍କ କଲୋନୀ ଆର୍ଶିବାଦ ଆପାର୍ଟମେଟଂ ଏ-୭ ଘରେ ପହଂଚି ତଦନ୍ତ ଜୋରଦାର କରିବା ସହ ସେଠାରେ ସିସିଟିଭି ଯାଂଚ କରିଥିଲେ । କିଏ ଏହି ଟଙ୍କା ଦେଇଛି ତାହା ଦେଖିଥିଲେ । ପରେ ଅଫିସକୁ ତାଙ୍କୁ ଅଣାଯାଇ ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ । ଅଫିସର କର୍ମଚାରୀ,ରାତ୍ର ଜଗୁଆଳି ସମେତ ସୁରକ୍ଷାକର୍ମୀ ମଧ୍ୟ ତଦନ୍ତ ପରିସର ଭୁକ୍ତ ହୋଇଥିଲେ । ନିଜେ ଭିଜିଲାନ୍ସ ଏସପି ପ୍ରଦୀପ କୁମାର ପ୍ରଧାନ ମଧ୍ୟ ଛାନଭିନ କରିଥିଲେ । ଛତ୍ରପୁରରେ ରହୁଥିବା ଘର,ଅଫସି ସମେତ ନିଜ ଘର ଭବାନିପାଟଣା ମଧ୍ୟ ଚଢାଉ କରାଯାଇଥିବା କୁହାଯାଇଛି । ପୁଷା ମୁଣ୍ଡା ଙ୍କ ଯୋଗାଣ ଅଧିକାରୀ ଭାବେ ନୁଆପଡା ଜିଲାକୁ ବଦଳୀ ହୋଇଯାଇଥିଲେ, ସେ ଦୁଇ ଦିନ ମଧ୍ୟରେ ସେଠାରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆଜି ଭିଜିଲାନ୍ସ ଚଢାଉ ହୋଇଛି । ୩୧ ଅଗଷ୍ଟ ୨୦୨୩ ରୁ ଏଯାବତ ସେ ଗଞ୍ଜାମ ଜିଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ତେବେ ଗାଡି ଡିକିରେ କିଏ ଟଙ୍କା ରଖିଲା ସେ ଜାଣି ନାହାନ୍ତି ଏବଂ ତାଙ୍କୁ ଫସା ଯାଇଛି ବୋଲି କହିଥିଲେ ପୁଷା ମୁଣ୍ଡା । ଏବେବି ତଦନ୍ତ ଜାରି ରହିଥିବାରୁ ଭିଜିଲାନ୍ସ ପକ୍ଷରୁ କୈାଣସି ସଠିକ ସୂଚନା ପ୍ରଦାନ କରାଯାଇନାହିଁ । ଏହି ଚଢାଉରେ ଇନ୍ସପେକ୍ଟର ସୈାମ୍ୟ ପଣ୍ଡା, ଯୁଗଳ ପ୍ରଧାନ, ରାଜେନ୍ଦ୍ର ନାୟକ, ଏଏସଆଇ ଡି.ସଞ୍ଜିବ ରେଡି,ଏଏସଆଇ ଦୁର୍ଗା ପ୍ରସାଦ ହୋତା,ହାବିଲଦାର ଜି.ସୁର୍ଦଶନ ଦୋରା,କନେଷ୍ଟବଳ ସଞ୍ଜୁକ୍ତା ପଟ ନାୟକ ସାମିଲ ଥିଲେ । ଗତ ତିନି ଦିନ ହେଲା ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା ।