ଗଛ ଡ଼ାଳ ପଡ଼ି ଶିଶୁ ମୃତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଓରିଆ ପଞ୍ଚାୟତର ପୁରୁଣା ପାଣି ଗ୍ରାମରେ ଗଛ ଡ଼ାଳ ପଡ଼ି ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତକ ହେଲେ ନିତ୍ୟାନନ୍ଦ ଓ ବିନତି ଦେହୁରୀ ଙ୍କ ତିନି ମାସର ଶିଶୁ ପୁତ୍ର ସଚିନ ଦେହୁରୀ । ଅସହ୍ୟ ଗରମ ଗୁଳୁ ଗୁଳି ଯୋଗୁଁ ମା ବିନତି ଶିଶୁ ପୁତ୍ରକୁ ଧରି ଘର ଅଗଣାରେ ଥିବା ଆମ୍ୱ ଗଛ ଛାଇରେ ଆଶ୍ରୟ ନେଉଥିଲେ । ହଠାତ୍ ଆମ୍ୱ ଗଛର ଏକ ବାହୁ ଭାଙ୍ଗି ଶିଶୁ ପୁତ୍ର ଉପରେ ଖସି ପଡ଼ିଥିଲା । ଘଟଣା ସ୍ଥଳରେ ଶିଶୁ ଟିର ମୃତ୍ୟୁ ହୋଇଥିଲା ।ଶିଶୁର ଏହି ଅକାଳ ମୃତ୍ୟୁ ପରେ ପରିବାର ତଥା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟପଟେ ପ୍ରାକୃତିକ ବିପର୍ଯ୍ୟୟ ରେ ଶିଶୁର ପ୍ରାଣ ହାନି ହୋଇଥିବା ରୁ ପରିବାର ଓ ଗ୍ରାମବାସୀ ଆବଶ୍ୟକ ସରକାରୀ ସହାୟତା ପାଇଁ ଦାବୀ କରିଛନ୍ତି ।