ଆଦିବାସୀ ଗ୍ରାମରେ ବ୍ୟାପିଲା ହଇଜା ; ୯ ଆକ୍ରାନ୍ତ , ୨ ଗୁରୁତର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଉସ୍ତପଲ୍ଲୀ ଗ୍ରାମରେ ହଇଜା ବ୍ଯାପିଥିବା ଜଣାପଡିଛି । ରବିବାର  ଏଥିରେ ଆକ୍ରାନ୍ତ ହୋଇ ୯ ଜଣ ଦିଗପହଣ୍ଡି ମେଡିକାଲରେ ଚିକିତ୍ସିତ ହୋଇଥିବା ବେଳେ ସେଥିରୁ ୨ ଜଣ ମହିଳାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଖବରପ୍ରକାରେ , ଗତ କିଛିଦିନ ଧରି ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଉସ୍ତପଲ୍ଲୀ ଗ୍ରାମର ଲୋକମାନେ ବର୍ଷାଜଳ ତଥା ଦୂଷିତ ପାଣିକୁ ବ୍ଯବହାର କରିବା ଫଳରେ ହଇଜା ବ୍ୟାପିଥିବା  ଗ୍ରାମବାସୀ କହିଛନ୍ତିି । ଶନିବାର ବିଳମ୍ବିତ ରାତିରେ ଗ୍ରାମର କିଛି ପରିବାରର ସଦସ୍ୟ ମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା । ସକାଳୁ ଆଶା କର୍ମୀ ଲିନୁ ସାହୁ ଗ୍ରାମରେ ପହଞ୍ଚି ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଖବରପାଇ ପ୍ରଥମେ ଗୋଟିଏ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ୨ ଜଣକୁ ଦିଗପହଣ୍ଡି ମେଡିକାଲ ଆଣିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ୨ ଟି ଆମ୍ବୁଲାନ୍ସ ଗ୍ରାମକୁ ଯାଇଥିଲେ ମଧ୍ୟ ରାସ୍ତାରେ କାଦୁଅ ଯୋଗୁଁ ଗ୍ରାମ ଠାରୁ ପ୍ରାୟ ୨୦୦ ମିଟର ଦୂରରେ ରହିଯାଇଥିଲା । ତେବେ ଗ୍ରାମବାସୀ ଏବଂ ସମାଜସେବୀ ମନୋଜ କୁମାର ସାହୁଙ୍କ ସହାୟତାରେ ଅନ୍ଯ ଆକ୍ରାନ୍ତ ମାନଙ୍କୁ ଦୋଳା ସାହାଯ୍ୟରେ ବୋହାଯାଇ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା । ସେଠାରୁ ଦିଗପହଣ୍ଡି ମେଡିକାଲ ଅଣାଯିବା ପରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରେ ଗୈାରୀ ଶବର , କାଳୁ ଶବର , ସୁମିତ୍ରା ଶବର , ସୁବାଷ ଶବର , ରାଜେଶ ଶବର , ଶିବାନନ୍ଦ ଶବର , ଦମୟନ୍ତୀ ଶବର , ଅନିତା ଶବର , ପ୍ରିୟଙ୍କା ଶବର , ଦମୟନ୍ତୀ ଶବର ରହିଛନ୍ତି । ତେବେ ଅନୀତା ଓ ଦମୟନ୍ତୀଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟମାନେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ଅନ୍ୟପକ୍ଷରେ ଗତ ୩ ତାରିଖ ଦିନ ଦାସ ଶବର ନାମକ ବୃଦ୍ଧଙ୍କୁ ପ୍ରଥମେ ଝାଡ଼ାବାନ୍ତି ହୋଇଥିଲା । ଏହାପରେ ପରିବାର ଲୋକ ନିକଟସ୍ଥ ଭୀଷ୍ମଗିରି ଗ୍ରାମ ମେଡିକାଲ ନେଇ ଚିକିତ୍ସା କରି ଆଣିଥିଲେ । କିନ୍ତୁ ରାତିରେ ବୃଦ୍ଧ ଜଣକ ମୃତ୍ୟୁବରଣ କରିଥିଲେ । ଘଟଣା ପରେ ଗ୍ରାମରେ ଜିଲ୍ଲା ସ୍ବାସ୍ଥ୍ୟ ଟିମ୍ ପହଞ୍ଚି ସ୍ଥିତି ତଦାରଖ କରିବା ସହ ପରୀକ୍ଷା ନିମନ୍ତେ ପାନୀୟଜଳ ନମୂନା ସଂଗ୍ରହ କରି ଫେରିଛନ୍ତି। ବ୍ଲକ ପାନୀୟଜଳ ବିଭାଗ କର୍ମଚାରୀ , ସ୍ଥାନୀୟ ଅଙ୍ଗନୱାଡ଼ି , ଆଶାକର୍ମୀ ଏବଂ  ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ , ସମିତି ସଭ୍ୟ ପ୍ରତିନିଧି ସମୀର ବେହେରା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇବା ସହ ଚିକିତ୍ସା କ୍ଷେତ୍ରରେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ