ସିଭିଲ୍ ସୋସାଇଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବାଲେଶ୍ୱର,(ସରୋଜ ପଣ୍ଡା): ସିଭିଲ୍ ସୋସାଇଟି ପକ୍ଷରୁ ବୁଧବାର ଦିନ ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲାର ୩ଟି ପ୍ରମୁଖ ସମସ୍ୟା ସଂପର୍କରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ରଭାବେ ୩ଟି ଦାବିପତ୍ର ପ୍ରଦାନ କରାଯାଇଛି। ବାଲେଶ୍ୱର ଜିଲ୍ଲାରେ ଗତ ୨୦୧୭ ମସିହାରୁ ଫକୀରମୋହନ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ମେଡିକାଲ୍ କଲେଜ୍ ସଂଲଗ୍ନ ହସ୍‌ପିଟାଲରେ ହୃଦ, ସ୍ନାୟୁ ଓ ମୁତ୍ରାଶୟଜନିତ ଗୁରୁତର ରୋଗର ବିଭାଗ ଖୋଲାଯାଇନାହିଁ। ତେଣୁ ଏହିସବୁ ରୋଗର ଚିକିତ୍ସା ପାଇଁ ରୋଗୀମାନେ କଟକ ଓ ଭୁବନେଶ୍ୱରକୁ ଖର୍ଚ୍ଚାନ୍ତ ହୋଇ ଯାଉଛନ୍ତି। ମେଡିକାଲ କଲେଜ ହସ୍‌ପିଟାଲ୍ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜିଲ୍ଲାର ସମସ୍ତ ସରକାରୀ ଚିକିତ୍ସାଳୟରେ ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କିମ୍ବା ତାଲିମପ୍ରାପ୍ତ ବୈଷୟିକ କର୍ମଚାରୀ କିମ୍ବା ଯନ୍ତ୍ରପାତି ନାହିଁ। ମେଡିକାଲ୍ କଲେଜରେ ମାତ୍ର ୫ଟି ବିଭାଗ ଓ ଅନ୍ୟ ବିଭାଗଗୁଡ଼ିକ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବାରୁ ଏହି ଦୈତ୍ୟ ବ୍ୟବସ୍ଥାରେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଏମ୍‌ସ୍ ସାଟେଲାଇଟ୍ ସେଣ୍ଟରରେ ବହିର୍ବିଭାଗ ସପ୍ତାହରେ ମାତ୍ର ଦୁଇଦିନ କାର୍ଯ୍ୟକରୁଛି। ଜାତୀୟସ୍ତରର ଏହି ଚିକିତ୍ସାଳୟକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ସିଭିଲ୍ ସୋସାଇଟି ଦାବିକରିଛି। ବାଲେଶ୍ୱର ସହରକୁ ଦକ୍ଷିଣ ଦିଗରୁ ମୁଖ୍ୟ ପ୍ରବେଶ ପଥରେ ଥିବା ନିର୍ମାଣ ହୋଇଥିବା ତାମୁଳିଆ ରେଳଧାରଣା ଉପରେ ଫ୍ଲାଇ ଓଭରବ୍ରିଜ୍ ଗତ ୨୦୧୯ ମସିହାରେ ନିର୍ମାଣ ହୋଇଥିଲା। କିନ୍ତୁ ବୈଷୟିକ ତ୍ରୁଟି ଓ ନିମ୍ନମାନର ନିର୍ମାଣ କାର୍ଯ୍ୟଯୋଗୁଁ ଏହା ଦୁର୍ଘଟଣା ପ୍ରବଣ ହୋଇଯାଇଛି। ଏହି ନିର୍ମାଣ କାର୍ଯ୍ୟର ତ୍ରୁଟି ଓ ଦୁର୍ନୀତିର ତଦନ୍ତ ପାଇଁ ସିଭିଲ୍ ସୋସାଇଟି ଦାବି କରିବା ସହ ତୁରନ୍ତ ଏକ ନୂତନ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି। ବ୍ରିଟିଶ ସରକାରଙ୍କ ଅମଳରୁ ନିର୍ମିତ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟକୁ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଏକ ଐତିହ୍ୟଭବେ ସୁରକ୍ଷିତ ରଖିବାପାଇଁ ବିଭିନ୍ନ ସଂଗଠନ ସହ ସିଭିଲ୍ ସୋସାଇଟି ମଧ୍ୟ ଦୃଢ଼ ଦାବି କରିଛି। ସରକାରଙ୍କ ପକ୍ଷରୁ ଏହି ପ୍ରାଚୀନ ନିର୍ମାଣଶୈଳୀ ଓ ଐତିହ୍ୟପୂର୍ଣ୍ଣ ସୌଧକୁ ଭାଙ୍ଗିଦେବାର ନିଷ୍ପତ୍ତିକୁ ସୋସାଇଟି ଦୃଢ଼ ବିରୋଧ କରିଛି। ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକ, କୋଷାଧ୍ୟକ୍ଷ ସନ୍ତୋଷ ସାହୁ ଓ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ଉପସଭାପତି ପ୍ରଦୀପ ଚାଟାର୍ଜୀଙ୍କ ସମେତ ଅରୁଣ ଜେନା, ରୋଜି ପଟ୍ଟନାୟକ, ସମରେନ୍ଦ୍ର ଦାସ, ଦେବାଶୀଷ ପାତ୍ର, କମଳାକାନ୍ତ ବେହେରା, ତୁଷାରକାନ୍ତି ମହାପାତ୍ର, ଗୌତମ ଦାସ, କମଳ ଲୋଚନ ଆଚାର୍ଯ୍ୟ, ଅକ୍ଷୟ କୁମାର ପାତ୍ର, ସୀତାରାମ ୍ରପଧାନ, ଦେବାଶିଷ ପାତ୍ର, ଯଶୋବନ୍ତ ନାୟକ ଓ ଯଶୋଦା ନନ୍ଦନ ଆସ୍ ପ୍ରମୁଖ ଦାବିପତ୍ରରେ ସ୍ୱାକ୍ଷର କରିଛନ୍ତି। ଦାବିଗୁଡ଼ିକ ଉପରେ ତୁରନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ନହେଲେ ସିଭିଲ୍ ସୋସାଇଟି ଗଣଆନ୍ଦୋଳନର ଚେତାବନୀ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ