ଦୁଇ ପରିବାର ମଧ୍ୟରେ ସଂଘର୍ଷ, ତିନି ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ଏନ୍ଏସି ଅନ୍ତର୍ଗତ ସାହାଣୀ ସାହିର ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଉଭୟ ପରିବାରର ପାଞ୍ଚ ଜଣ ଆହତ ହୋଇଥିଲେ। ଗତ ଶନିବାର ସନ୍ଧ୍ୟାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟଣା ଘଟିଥିଲା। ଉଭୟ ପକ୍ଷର ଏତଲା ଭିତ୍ତିରେ ଦିଗପହଣ୍ଡି ପୋଲିସ ୨୩୪/୨୫ ଏବଂ ୨୩୫/୨୫ ପ୍ରକାରେ ଦୁଇ ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ।ମଙ୍ଗଳବାର ତଦନ୍ତକାରୀ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଅଭିଯୁକ୍ତ ପ୍ରଭାକର ଦାସ ଓରଫ ବୁଡୁ ଏବଂ ପ୍ରତିପକ୍ଷ ପରିବାରର ଦିଲ୍ଲୀପ ଦାସ ଓ କୃଷ୍ଣ ଦାସଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟ ଚାଲାଣ କରିଛନ୍ତି।ସେଠାରେ ଉଭୟ ପକ୍ଷର ତିନି ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହୋଇ ଯିବାରୁ ସେମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।


