ବ୍ୟାଙ୍କରୁ ଟଙ୍କା ଠକି ନେଇଥିବା ଅଭିଯୋଗ ; କିରାଣୀଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର)ଦିଗପହଣ୍ଡି ବସଷ୍ଟାଣ୍ଡରେ ଥିବା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଜଣେ କାର୍ଯ୍ୟରତ କିରାଣୀ ଗ୍ରାହକଙ୍କ ଜମାଖାତାରୁ ୭୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।ବ୍ଯାଙ୍କର ଦିଗପହଣ୍ଡି ଶାଖା ପରିଚାଳକ ପି. ପ୍ରଦୀପ କୁମାର ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଦିଗପହଣ୍ଡି ଥାନା କେଶ୍ ନମ୍ବର ୨୩୨/୨୫ ପ୍ରକାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଛି। ମାମଲାରେ ଦିଗପହଣ୍ଡି ପୁଲିସ ୟୁନିଅନ ବ୍ଯାଙ୍କର କାର୍ଯ୍ୟରତ କିରାଣୀ ଙ୍କୁ ଗୁରୁବାର  ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ଅଞ୍ଚଳ କଲୋନୀ କୋର୍ଟ ସାହି ବାସିନ୍ଦା ତଥା ବର୍ତ୍ତମାନ ଗୋପାଳପୁର ଥାନା ଆମ୍ବପୁଆ ବସନ୍ତ ବିହାର ଚତୁର୍ଥ ଲେନରେ ରହୁଥିବା ଏସ. ପ୍ରିୟମ୍ ପ୍ରଥମ ସାବତ । ପୁଲିସ ସୂଚନା ପ୍ରକାରେ ଅଭିଯୁକ୍ତ ପ୍ରିୟମ୍ ପ୍ରଥମ ଗତ ଜୁଲାଇ ୨୦୨୪ ରେ ଏହି ବ୍ୟାଙ୍କରେ ଯୋଗ ଦେବା ପରେ ତାଙ୍କୁ ନୂତନ ଜମା ଖାତା ଖୋଲିବା ସହ ଅର୍ଥ ଦେଣନେଣ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ଯସ୍ତ କରାଯାଇଥିଲା।ଏପରିକି ଶାଖା ପରିଚାଳକଙ୍କ ଅନୁପସ୍ଥିତିରେ ତାଙ୍କୁ ସହ ପରିଚାଳକ ଭାବେ ବ୍ଯାଙ୍କର ସମସ୍ତ ଦାୟିତ୍ୱ ମଧ୍ୟ ଦିଆଯାଉଥିଲା। ସେହି ସମୟରେ ଅଭିଯୁକ୍ତ ନିଜ ପଦବୀର ଦୁରୁପଯୋଗ କରି ନିଜର ସ୍ବାର୍ଥ ହାସଲ ପାଇଁ ଗ୍ରାହକ ଙ୍କ ବ୍ଯାଙ୍କ ଜମା ଟଙ୍କାରୁ ବିଭିନ୍ନ ସନ୍ଦିଗ୍ଧ ଜମାଖାତାକୁ ଟଙ୍କା ପଠାଇ ପ୍ରାୟ ୭୦ ଲକ୍ଷ ଟଙ୍କା ହଡପ କରିଥିବା ପୁଲିସ କୁ ପ୍ରମାଣ ମିଳିଛି। ରାଷ୍ଟ୍ରାୟତ ୟୁନିଅନ ବ୍ଯାଙ୍କ ଅଫ୍ ଇଣ୍ଡିଆ ରେ ଗ୍ରାହକ ଙ୍କ ଜମାଟଙ୍କା ହଡପ ଭଳି ଘଟଣା ସେମାନଙ୍କ ମଧ୍ୟରେ ତୀବ୍ର ଆଲୋଡନ ସୃଷ୍ଟି କରିଛି। କିଛି ଜମାକାରୀ ଙ୍କ ବ୍ୟାଙ୍କ ଉପରୁ ଆସ୍ଥା ତୁଟି ଯାଇଛି।ଗତ ପ୍ରାୟ ୧୫ ଦିନ ପୂର୍ବେ ଦିଗପହଣ୍ଡି ବ୍ଲକ ବାଗଡ଼ା ଗାଁ ର ଏ.ପ୍ରକାଶ ପାତ୍ର ଙ୍କ ଜମାଖାତା ରୁ କିରାଣୀ ଜଣକ ୨ ଟି ପର୍ଯ୍ୟାୟରେ ୧ ଲକ୍ଷ ୬୦ ହଜାର ଉଠାଣ କରି ଆତ୍ମସାତ କରିବା ପ୍ରଚାରିତ ହେବା ପରେ ବହୁ ସଂଖ୍ୟକ ଜମାକାରୀ ବ୍ୟାଙ୍କ ପହଞ୍ଚି ସେମାନଙ୍କ ଜମାଖାତା ରୁ ସମସ୍ତ ଜମାରାଶି ଉଠାଇ ନେଇଥିବା ଜଣାପଡିଛି।ପୁଲିସ ଏହି ଗମ୍ଭୀର ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ କିଛି ବ୍ୟକ୍ତି ଙ୍କୁ ଖୁବ ଶୀଘ୍ର ଗିରଫ କରିବ ବୋଲି କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ