ସାଂସଦ ଖେଳ ମହୋତ୍ସବର ଉଦଯାପନୀ ସମାରୋହ ଅନୁଷ୍ଠିତ

କଟକ, (ଓ୍ବାଇଏନଏସ): ନାଗରିକମାନଙ୍କ ମଧ୍ୟରେ ଖେଳ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ଯୁବ ସମାଜରେ ନେତୃତ୍ୱକୁ ଉତ୍ସାହିତ କରିବା ଏବଂ ଫିଟ୍ ଇଣ୍ଡିଆର ସନ୍ଦେଶକୁ ପ୍ରତ୍ୟେକ ଘରେ ପହଂଚାଇବା ଲକ୍ଷ୍ୟ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ସାଂସଦ ଖେଳ ମହୋତ୍ସବର ଆଜି ଉଦଯାପନୀ ସମାରୋହ ମାନ୍ୟବର ସାଂସଦ ଲୋକସଭା, କଟକ ଶ୍ରୀ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତା ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇ ବିଭିନ୍ନ ବର୍ଗର କ୍ରୀଡା ପ୍ରତିଯୋଗିତାର ଫାଇନାଲ ଖେଳ କଟକ ସ୍ଥିତ ବାରବାଟୀ କମ୍ପଲେକ୍ସ, ନିମପୁର ଷ୍ଟାଡିୟମ ଓ ବାରବାଟୀ ଷ୍ଟାଡିଅମ କବାଡି କମ୍ପ୍ଲେକ୍ସରେ ଅନୁଷ୍ଠିତ ହୋଇଥିଲା । ଆଜି ଉଦଯାପନୀ ସମାରୋହରେ ଖେଳ ମହୋତ୍ସବ ଆଭିମୁଖ୍ୟକୁ ଗୁରୁତ୍ବ ଦେଇ ଶାରୀରିକ ତଥା ମାନସିକ ବିକାଶ ନିମନ୍ତେ ପଦକ୍ଷେପ ସ୍ୱରୂପ ଯୋଗ ଅଭ୍ୟାସ ଶିବିର ସକାଳ ୯ ଘଟିକା ସମୟରେ ସାଂସଦ ଶ୍ରୀ ମହତାବଙ୍କ ଉପସ୍ଥିତିରେ ଆୟୋଜନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଯୋଗାଭ୍ୟାସ ଶିବିରରେ ଜିଲ୍ଲାପାଳଙ୍କ ସମେତ ଆଯୁକ୍ତ କଟକ ମହାନଗର ନିଗମ ସୁଶ୍ରୀ କିରନଦୀପ କୌର ସହୋତା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ଉପସ୍ଥିତ ଥିଲେ । ପରେ ପରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଭାରତବର୍ଷର ସମସ୍ତ ରାଜ୍ୟରେ ଉଦଯାପିତ ହେଉଥିବା ସାଂସଦ ଖେଳ ମହୋତ୍ସବକୁ ଉଦବୋଧନ ପୂର୍ବକ ସମ୍ବୋଧିତ କରିଥିଲେ । ଏହି ଉଦଯାପନୀ ଅବସରରେ ସାଂସଦଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କ୍ରୀଡା ଯୁବ ସେବା ଓ ଉଚ୍ଚ ଶିକ୍ଷା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କହିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ପଦକ୍ଷେପ ସ୍ୱରୂପ ସାଂସଦ ଖେଳ ମହୋତ୍ସବ ପ୍ରଥମ କରି ଅନୁଷ୍ଠିତ ହୋଇଛି । ଏହି ଆୟୋଜନ ଦ୍ଵାରା ସଂସଦୀୟ କ୍ଷେତ୍ର ଅଧିନସ୍ଥ ବିଭିନ୍ନ ଅଞ୍ଚଳମାନଙ୍କରେ କ୍ରୀଡାକ୍ଷେତ୍ରରେ ଯୁବ ପ୍ରତିଭାଙ୍କୁ ସୁଯୋଗ ମିଳିବା ସହ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ବୃଦ୍ଧି ପାଇଛି । ସ୍ପୋର୍ଟସ ଇକୋ ସିଷ୍ଟମ କୁ ସହଯୋଗ କରିବା ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି ସାଂସଦ ଖେଳ ମହୋତ୍ସବ ସମଗ୍ର ଭାରତ ବର୍ଷର ତୃଣମୂଳ ସ୍ତରରେ ଆଦୃତ ଲାଭ କରିଛି। ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ କଟକ ବିଧାୟିକା ଇଂ ସୋଫିଆ ଫିରଦୋସ, ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ ସ୍ଵାଇଁ ପ୍ରମୁଖଙ୍କ ସହ ବରିଷ୍ଠ ନେତା ତଥା ସମାଜ ସେବୀ ଶ୍ରୀ ନୟନ କିଶୋର ମହାନ୍ତି, ବରିଷ୍ଠ ନେତା ଶ୍ରୀ ସୁକାନ୍ତ ବିଶ୍ୱାଳ, ଶ୍ରୀ ଅଭୟ କୁମାର ବାରିକ, ତୁଷାରକାନ୍ତ ଚକ୍ରବର୍ତ୍ତୀ, ଶ୍ରୀ ଲଲାଟେନ୍ଦୁ ବଡୁ, ବରିଷ୍ଠ ସିନେ ଅଭିନେତା ଶ୍ରୀ ଶ୍ରୀତମ ଦାସ, ଶ୍ରୀ ଅରିନ୍ଦମ ରାୟ ଙ୍କ ସମେତ କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଂଚଳର ସ୍ଥାନୀୟ ପ୍ରତିନିଧି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ ଶିକ୍ଷୟତ୍ରୀ, କ୍ରୀଡାପ୍ରେମୀ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଆଜିର ଉଦଯାପନୀ ଦିବସରେ ଦୁଇଟି ଖେଳ ଫୁଟବଲ ଏବଂ ଖୋଖୋ ଅନୁଷ୍ଠିତ ହୋଇ ପରିଶେଷରେ ସମସ୍ତ ବର୍ଗର କୃତି ପ୍ରତିଯୋଗୀମାନଙ୍କୁ ସାଂସଦଙ୍କ ଉପସ୍ଥିତିରେ ପୁରସ୍କୃତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସାଂସଦ ଖେଳ ମହୋତ୍ସବ ଆୟୋଜନର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପଜିଲ୍ଲାପାଳ ବାଙ୍କୀ ଶ୍ରୀ ପ୍ରଣବ କୁମାର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ ଓ ତାଙ୍କ ସହଯୋଗୀ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନରେ ସମସ୍ତ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସର୍ବୋତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ବଡ଼ମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ ଚାମ୍ପିଅନ ଅଫ ଚାମ୍ପିଅନସ ବିବେଚିତ ହୋଇଛି । ଖୋ ଖୋ ୧୭ ବର୍ଷରୁ କମ ବାଳକ, ୧୭ ବର୍ଷରୁ କମ ବାଳିକା, ୨୫ ବର୍ଷରୁ କମ ବାଳକ, ୨୫ ବର୍ଷରୁ ଉର୍ଦ୍ଧ୍ବ ବାଳକ ଓ ବାଳିକା ବର୍ଗରେ ଆଠଗଡ ଚାମ୍ପିଅନ ହୋଇଥିବାବେଳେ କବାଡି ୧୭ ବର୍ଷରୁ କମ ବାଳକ ଓ ବାଳିକା ବର୍ଗରେ ବଡ଼ମ୍ବା, ୨୫ ବର୍ଷରୁ କମ ବାଳକ ଓ ବାଳିକା ଏବଂ ୨୫ ବର୍ଷରୁ ଉର୍ଦ୍ଧ୍ବ ବାଳକ ବର୍ଗରେ ବାରବାଟୀ କଟକ ଚାମ୍ପିଅନ ହୋଇଛି । ସେହିପରି ଭଲିବଲ ୧୭ ବର୍ଷରୁ କମ ବାଳକ ବର୍ଗରେ ବାଙ୍କୀ, ୨୫ ବର୍ଷରୁ କମ ବାଳକ ବର୍ଗରେ ଖଣ୍ଡପଡା, ୨୫ ବର୍ଷରୁ ଉର୍ଦ୍ଧ୍ବ ବାଳକ ବର୍ଗରେ ଆଠଗଡ ଚାମ୍ପିଅନ ହୋଇଛି । ୧୭ ବର୍ଷରୁ କମ ବାଳକ ଓ ବାଳିକା ଫୁଟବଲରେ ବାରବାଟୀ କଟକ ଚାମ୍ପିଅନ ହୋଇଥିବାବେଳେ ୨୫ ବର୍ଷରୁ କମ ବାଳକ ବର୍ଗରେ ଚୌଦ୍ବାର କଟକ ଚାମ୍ପିଅନ ହୋଇଛି । କ୍ରିକେଟ ୧୭ ବର୍ଷରୁ କମ ବାଳକ ବର୍ଗରେ ବଡ଼ମ୍ବା ଚାମ୍ପିଅନ ହୋଇଥିବାବେଳେ ୨୫ ବର୍ଷରୁ କମ ବର୍ଗରେ କଟକ ସଦର ଓ ୨୫ ବର୍ଷରୁ ଉର୍ଦ୍ଧ୍ବ ବର୍ଗରେ ଚୌଦ୍ବାର କଟକ ଚାମ୍ପିଅନ ହୋଇଛି । ସେହିପରି ଆଥେଲେଟିକ୍ସ ବିଭିନ୍ନ ବର୍ଗ ଏବଂ ପାରମ୍ପରିକ ଖେଳ ପୁଚି ଓ ସ୍କିପିଂ ରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରୀଡାବିତଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ