କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା :ଟିୟୁସନ ଶିକ୍ଷକ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗ୍ରାମର ଯୁକ୍ତ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ଶୁକ୍ରବାର ଅଭିଯୁକ୍ତ ଟିୟୁସନ ଶିକ୍ଷକକୁ ଗିରଫ କରି ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରିଛନ୍ତି।ମାମଲା ନଂ.୨୦୯/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଜଣକ ହେଲେ ଏସ . ସନାତନ ରେଡ୍ଡୀ (୨୬) । ଛାତ୍ରୀ ଜଣକ ଗ୍ରାମର ସନାତନ ର ଘରକୁ ଟିୟୁସନ ପାଇଁ ଯାଉଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାଫଳରେ ଉଭୟେ ବିଭିନ୍ନ ସ୍ଥାନରେ ମିଳାମିଶା କରୁଥିବା ବେଳେ ସନାତନଙ୍କ ସହଯୋଗୀ ଅନ୍ୟତମ ଟିୟୁସନ ଶିକ୍ଷକ ଏସ୍. କ୍ରିଷ୍ଣା ରେଡ୍ଡୀ ସେମାନଙ୍କ ଆପତ୍ତି ଜନକ ଫୋଟ ଓ ଭିଡ଼ିଓ ଉଠାଇଥିଲେ । ପରବର୍ତ୍ତୀ ସମୟରେ ଦୁହେଁ ମିଶି ଛାତ୍ରୀଙ୍କୁ ବ୍ଳାକମେଲ କରି ଆସୁଥିଲେ । ଏପରିକି ସେମାନଙ୍କ କଥାରେ ରାଜି ନ ହେଲେ ଛାତ୍ରୀଙ୍କ ଫୋଟ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଇ ଆସୁଥିଲେ । ଛାତ୍ରୀ ଜଣକ ଭୟଭୀତ ହୋଇ ଗତ ୮ ତାରିଖ ସନ୍ଧ୍ୟା ପ୍ରାୟ ୭ ଟାରେ ବିଷପାନ କରି ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ବଡ ମେଡିକାଲ କୁ ନେଇଥିଲେ। ୯ ତାରିଖ ଭୋର ରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଅପମୃତ୍ୟୁ ମାମଲା ଅନୁଯାୟୀ ବ୍ୟବଚ୍ଛେଦ ପରେ ଗାଁ ଶ୍ମଶାନରେ ତାଙ୍କ ଶବ ସତ୍କାର କରାଯାଇଥିଲା। ଘଟଣା ପରେ ଛାତ୍ରୀ ଙ୍କ ଭାଇ ଘଟଣାର ଖୋଳତାଡ଼ କରି ତାଙ୍କ ମୋବାଇଲ ଫୋନ ଏବଂ ଟ୍ୟୁସନ ଖାତା ଖୋଜିବା ପରେ ଭଉଣୀ ତାଙ୍କ ହସ୍ତାକ୍ଷରରେ ସମସ୍ତ ଘଟଣା ଲେଖିଥିବା ଜାଣିଥିଲେ।ଏନେଇ ସେ ସନାତନ କୁ ଘରକୁ ଡ଼କାଇ ପଚାରିବା ପରେ ବାହାହେବା ର ମିଥ୍ୟା ପ୍ରତିଶୃତି ଦେଇ ତାଙ୍କ ଭଉଣୀ ଙ୍କୁ ପ୍ରେମ କରୁଥିବା ସ୍ବୀକାର କରିଥିଲେ। ଏନେଇ ଛାତ୍ରୀଙ୍କ ଭାଇ କେ . ଲୋକନାଥ ରେଡ୍ଡୀ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ଦ୍ବୟ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଗୁରୁବାର ଅଭିଯୁକ୍ତ ସନାତନକୁ ତଦନ୍ତକାରୀ ଅଧିକାରୀ ଗିରଫ କରିଥିଲେ । ଶୁକ୍ରବାର ଅପରାହ୍ନରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ କ୍ରିଷ୍ଣା ଫେରାର ଥିବା ଜଣାପଡିଛି।ପୁଲିସ ଛାତ୍ରୀ ଙ୍କ ମାଟ୍ରିକ ସାର୍ଟିଫିକେଟ,ମୋବାଇଲ ଫୋନ, ଟ୍ୟୁସନ୍ ଖାତା,ହସ୍ତାକ୍ଷର ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।