ସିନ୍ଧିଆ ରାଧାମୋହନ ଜୀଉ ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ ପାଠ୍ୟକ୍ରମ

ବାଲେଶ୍ବର(ସରୋଜ ପଣ୍ଡା): ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ବିଦ୍ୟାଳୟଗୁଡିକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୁପାନ୍ତରିତ କରାଯାଉଛି । ଶିକ୍ଷା ମନ୍ତ୍ରାଳୟର ପ୍ରକଳ୍ପ ଅନୁମୋଦନ ପରିଷଦର ଅନୁମୋଦନ କ୍ରମେ ୨୦୨୪-୨୫ ଶିକ୍ଷାବର୍ଷରେ ୭୪ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉତ୍ତୀର୍ଣ୍ଣ କରାଯାଇଥିବା ବେଳେ ୨୦୨୫-୨୬ ଶିକ୍ଷାବର୍ଷରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ୧୦୨ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୁପାନ୍ତରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିନ୍ଧିଆ ପଂଚାୟତ ସ୍ଥିତ ରାଧାମୋହନ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ପ୍ରଦାନ ନିମନ୍ତେ ବିଧାୟକ ମାନସ କୁମାର ଦତ୍ତ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପ୍ରସ୍ତାବ ଦେଇଛନ୍ତି । ସଦର ନିର୍ବାଚନମଣ୍ଡଳୀର ଏକ ପ୍ରମୁଖ ବିଦ୍ୟାଳୟ ଭାବେ ପରିଚିତ ସିନ୍ଧିଆ ରାଧାମୋହନ ଜୀଉ ହାଇସ୍କୁଲରେ ଏହି ଯୋଜନା କାର୍ଯ୍ୟକାରୀ ହେଲା ୧୫ରୁ ଉର୍ଦ୍ଧ୍ୱ ପଂଚାୟତର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଅତ୍ୟନ୍ତ ସୁଲଭ ହୋଇପାରିବ ବୋଲି ଶ୍ରୀ ଦତ୍ତ ଯୁକ୍ତି ଦର୍ଶାଇଛନ୍ତି । ଗୁଣାତ୍ମକ ଶିକ୍ଷାଦାନ ପାଇଁ ସମଗ୍ର ନିର୍ବାଚନମଣ୍ଡଳୀରେ ଏହି ବିଦ୍ୟାଳୟର ସୁନାମ ଥିବା ବେଳେ ଚଳିତ ବର୍ଷ ଏହା ୭୫ବର୍ଷ ପୂରଣ ସହ ହୀରକ ଜୟନ୍ତୀ ପାଳନ କରିଛି । ସିନ୍ଧିଆ ସମେତ ଆଖପାଖ ପଂଚାୟତର ଶତାଧିକ ଛାତ୍ରଛାତ୍ରୀ ପ୍ରାୟ ୧୦/୧୫ କିଲୋମିଟର ରାସ୍ତା ଅତିକ୍ରମ କରି ବାଲେଶ୍ୱର ସହରର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢିବାକୁ ବାଧ୍ୟ ହେଉଛନ୍ତି । ବିଶେଷ କରି ଛାତ୍ରୀମାନଙ୍କ ପାଇଁ ଏଥିରେ ସମସ୍ୟା ସୃଷ୍ଟି ହେଉଥିବାରୁ ଅନେକଙ୍କ ପାଠପଢାରେ ଡୋରି ବନ୍ଧା ହୋଇଯାଉଛି । ଏଣୁ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସିନ୍ଧିଆ ରାଧାମୋହନ ଜୀଉ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉତ୍ଥୀର୍ଣ୍ଣ କରିବାକୁ ବିଧାୟକ ଶ୍ରୀ ଦତ୍ତ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କୁ ଅନୁରୋଧ କରିଛନ୍ତି ।  ବିଧାୟକ ଶ୍ରୀ ଦତ୍ତଙ୍କ ପ୍ରସ୍ତାବ ଉପରେ ସକାରାତ୍ମକ ବିଚାର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ ଶ୍ରୀ ଗଣ୍ଡ । ସମଗ୍ର ଶିକ୍ଷା ଯୋଜନାର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରକଳ୍ପ ଅନୁମୋଦନ ପରିଷଦ (ପିଏବି) ଦ୍ୱାରା ଏହି ଯୋଜନାକୁ ମଞ୍ଜୁରି ମିଳିଥିବା ବେଳେ ରୁପାନ୍ତରିତ ହେବାକୁ ଥିବା ବିଦ୍ୟାଳୟମାନଙ୍କ ମଧ୍ୟରୁ ୨୮ଟିରେ ବିଜ୍ଞାନ, ୬ଟିରେ ବାଣିଜ୍ୟ ଓ ଅନ୍ୟ ବିଦ୍ୟାଳୟରେ କଳା ଶାଖା ଖୋଲାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି । ଏହି ପଦକ୍ଷେପ ଦ୍ୱାରା ନିଜ ଘର ଠାରୁ ଦୂର ଅଂଚଳକୁ ପଢ଼ିବା ପାଇଁ ବାଧ୍ୟ ହେଉଥିବା ଅନେକ ଛାତ୍ରଛାତ୍ରୀ ଲାଭାନ୍ୱିତ ହେବେ । ଯେଉଁ ଛାତ୍ରଛାତ୍ରୀମାନେ ନିଜ ଅଂଚଳରେ ଯୁକ୍ତ ଦୁଇ ପଢ଼ିବାର ସୁଯୋଗ ପାଉନଥିଲେ, ସେମାନେ ଏବେ ସ୍ଥାନୀୟ ବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଅବ୍ୟାହତ ରଖିପାରିବେ । ଅଧିକାଂଶ ରୁପାନ୍ତିରିତ ହେବାକୁ ଥିବା ବିଦ୍ୟାଳୟଗୁଡିକ ଗ୍ରାମୀଣ ଅଂଚଳରେ ଅବସ୍ଥିତ ଥିବାରୁ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଗୁଣାତ୍ମକ ଶିକ୍ଷା ମିଳିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ