ଜନଦାବିରେ ଜିଲ୍ଲାବ୍ୟାପୀ ଆନ୍ଦୋଳନ ପାଇଁ କମ୍ୟୁନିଷ୍ଟ ପାର୍ଟିର ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା): ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ପରିବର୍ଦ୍ଧିତ ଜିଲ୍ଲା ପରିଷଦ ବୈଠକରେ ଆସନ୍ତା ମାସ ପ୍ରଥମ ସପ୍ତାହରେ ଜନଗଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦରଦାମ ବୃଦ୍ଧି ବିରୋଧରେ ଧାନମଣ୍ଡିଗୁଡ଼ିକୁ କାର୍ଯ୍ୟକ୍ଷମ କରି କୃଷକମାନଙ୍କଠାରୁ ବିନା କଟଣି ଛଟଣିରେ ଧାନକ୍ରୟ କରିବା, ସମସ୍ତ କୃଷିଜାତ ପଦାର୍ଥର ଉଚିତ ମୂଲ୍ୟ, ବାଲେଶ୍ୱର ଜିଲ୍ଲାରେ ବନ୍ଦ ଥିବା କଳକାରଖାନାକୁ କାର୍ଯ୍ୟକ୍ଷମ କରିବା, ନିର୍ମାଣ ଶ୍ରମିକମାନଙ୍କୁ ସଠିକ୍ ପଞ୍ଜିକରଣ ଓ ସହାୟତା ରାଶି ପ୍ରଦାନ କରିବା, ପ୍ରଦୁଷଣ ଆଳରେ ଗାଡ଼ିମାଲିକଙ୍କ ଉପରେ ଜୋରିମାନା ଆଦାୟ ବନ୍ଦ କରିବା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ପୁନଃ କାର୍ଯ୍ୟକ୍ଷମ କରିବା, ଟାଟାପାୱାର ଦ୍ୱାରା ବାଧ୍ୟତାମୂଳକ ସ୍ମାର୍ଟ ମିଟର ଲଗାଇ ଗ୍ରାହକ ଶୋଷଣ ବନ୍ଦ ଓ ୪ଟି ଶ୍ରମକୋର୍ଡ଼କୁ ବାତିଲ କରିବା, ଭୋଟର ସଂଶୋଧନ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ବାଚନ ପ୍ରତିଶ୍ରୁତିଗୁଡ଼ିକୁ କାର୍ଯ୍ୟକାରୀ କରିବା ପ୍ରଭୃତି ଜନ ଦାବିରେ ଏହି ଆନ୍ଦୋଳନ ସଂଗଠିତ ହେବ। ପାର୍ଟିର ସମସ୍ତ ସାଥୀ ସମର୍ଥକ ସମସ୍ତ ବର୍ଗର ଜନଗଣ ଏହି ଦାବି ଓ ଆନ୍ଦୋଳନକୁ ସମର୍ଥନ ଜଣାଇ ସଫଳ କରିବାକୁ ବୈଠକରେ ନିବେଦନ କରାଯାଇଛି। ପଢ଼ୁଆଁପଦାସ୍ଥିତ ଏଆଇଟିୟୁସି ସଭାଗୃହରେ ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସଂପାଦକ ଭାଗବତ ପ୍ରତିହାରୀ କାମଦାମର ବିବରଣୀ ଓ ସଭ୍ୟପଦ ନବୀକରଣ, ଗଣପାଣ୍ଠି ସଂଗ୍ରହ, ଆଗାମୀ ଆନ୍ଦୋଳନର ସୂଚନା ଦେଇଥିଲେ। ଗତ ୧୪ ତାରିଖ ଦିନ ଗୋରକ୍ଷକ ଆଳରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ଦାବି କରାଯାଇଛି। ଆସନ୍ତା ମାସ ୧୨ ତାରିଖ ଦିନ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ମାନଙ୍କ ମିଳିତ ଆହ୍ୱାନରେ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସକ୍ରିୟ ସହଯୋଗ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆଲୋଚନାରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ନିରଞ୍ଜନ ବାରିକଙ୍କ ସମେତ ଶଶିକାନ୍ତ ପଣ୍ଡା, ସୁହାଗୀ ମାଝୀ, ବିଜୟ ସ, ଦେବେନ୍ଦ୍ର ଜେନା, ମାନସ ମହାପାତ୍ର, ଜନ୍ମେଜୟ ଶତପଥୀ, ପ୍ରଭାବତୀ ଦାସ, ବନ୍ଦନା ବିଶ୍ୱାସ, ଶ୍ୟାମସୁନ୍ଦର ଜେନା, ଜତିନ୍ ପାତ୍ର ଓ ଆଶୁତୋଷ ପରିଡ଼ା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମାୟାଧର ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


