ମଧୁମେହ ରୋଗର ମୁକାବିଲା ପାଇଁ ସାମୁହିକ ସଚେତନତା ଏକାନ୍ତ ଆବଶ୍ୟକ: ରାଜ୍ୟପାଳ

କଟକ,(ଓ୍ବାଇଏନଏସ): ସାମ୍ପ୍ରତିକ ସମୟରେ ମଧୁମେହ ରୋଗ ଏକ ଗମ୍ଭୀର ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହୋଇଛି । ନୀରବ ଘାତକ ମଧୁମେହ ରୋଗର ମୁକାବିଲା ପାଇଁ ସାମୁହିକ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ରବିବାର ଦିନ ଏସ.ସି.ବି ମେଡିକାଲ କଲେଜ, କଟକର ସେଣ୍ଟ୍ରାଲ ଅଡିଟୋରିୟମ ଠାରେ ରିସର୍ଚ୍ଚ ସୋସାଇଟି ଫର ଦି ଷ୍ଟଡି ଅଫ ଡାଇବେଟିସ ଇନ ଇଣ୍ଡିଆ (RSSDI ), ଓଡ଼ିଶା ଚାପ୍ଟର ର ୧୩ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ରାଜ୍ୟପାଳ ଉଦବୋଧନ ଦେଇ ସମାଜର ସମସ୍ତ ବର୍ଗର ଜନସାଧାରଣ ସୁସ୍ଥ ଜୀବନଶୈଳୀ ଆପଣେଇ ସ୍ୱାସ୍ଥ୍ୟ ସଚେତନାର ସଂସ୍କୃତି ସୃଷ୍ଟି ପାଇଁ ସାମୁହିକ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି। ମଧୁମେହ ରୋଗକୁ ଏକ ନୀରବ ମହାମାରୀ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଏହା କେବଳ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରେ ନାହିଁ ବରଂ ପରିବାର, ଗୋଷ୍ଠୀ ଏବଂ ଅର୍ଥନୀତିକୁ ପ୍ରଭାବିତ କରି ଭାରି ବୋଝ ପକାଇଥାଏ। ଏହି ରୋଗର ଜଟିଳତା ହୃଦରୋଗ ଏବଂ ବୃକକ ବିଫଳତାରୁ ଆରମ୍ଭ କରି ଦୃଷ୍ଟିଶକ୍ତି ହ୍ରାସ ଏବଂ ନ୍ୟୁରୋପାଥି ଇତ୍ୟାଦି ସମସ୍ୟା ସୃଷ୍ଟିର କାରଣ ହୋଇଥାଏ ଏବଂ ଜରୁରୀ ଚିକିତ୍ସା ଆବଶ୍ୟକ ହୋଇଥାଏ ବୋଲି କହିଥିଲେ। କୃତ୍ରିମ ବୁଦ୍ଧିମତା, ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ନୂତନ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ଚିକିତ୍ସା ଅଗ୍ରଗତି କରିଥିଲେ ହେଁ ନିବାରଣ ହିଁ ସବୁଠାରୁ ପ୍ରଭାଶାଳୀ ରଣନୀତି ହୋଇ ରହିଛି। ସନ୍ତୁଳିତ ପୁଷ୍ଟିସାର, ନିୟମିତ ବ୍ୟାୟାମ, ମାନସିକ ଚାପ ପରିଚାଳନା ଏବଂ ସମୟ ଅନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା ବିପଦକୁ ଯଥେଷ୍ଟ ହ୍ରାସ କରିପାରିବ। ଏ ଦିଗରେ ସ୍ୱାସ୍ଥ୍ୟ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ, କର୍ମକ୍ଷେତ୍ର, ନାଗରିକ ସମାଜ ଏବଂ ଗଣମାଧ୍ୟମ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ପୋଲିଓ ନିରାକାରଣରେ ଭାରତର ସଫଳତା ସମ୍ପର୍କରେ ରାଜ୍ୟପାଳ ଅବତାରଣା କରି କହିଥିଲେ ଯେ ମଧୁମେହ ବିରୁଦ୍ଧରେ ଜିତିବା ପାଇଁ ସେହିପରି ସାମୁହିକ ମନୋଭାବ ଆବଶ୍ୟକ।  କର୍କଟ, ମଧୁମେହ, ହୃଦରୋଗ ଏବଂ ଷ୍ଟ୍ରୋକ ନିବାରଣ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NPCDCS) ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ନିଶ୍ଚିତ କରିବା ନିମନ୍ତେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ଗବେଷକ ଏବଂ ସାମାଜିକ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ରହିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ । ସମ୍ମିଳନୀରେ ଅଂଶଗ୍ରହଣକାରୀମାନେ ଏଠାରେ ପ୍ରାପ୍ତ ଜ୍ଞାନ ଓ ଅନ୍ତର୍ଦୃଷ୍ଟିକୁ ଆଗକୁ ବଢ଼ାଇ ଅର୍ଥପୂର୍ଣ୍ଣ ଭାବେ କାର୍ଯ୍ୟରେ ବିନିଯୋଗ କଲେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଶା ଏବଂ ଆରୋଗ୍ୟ ଆଣିପାରିବ । ମିଳିତ ଭାବରେ କରୁଣା, ପ୍ରତିବଦ୍ଧତା ଏବଂ ସହଯୋଗ ସହିତ ଆମେ ଏକ ଭବିଷ୍ୟତ କଳ୍ପନା କରିପାରିବା ଯେଉଁ ଠାରେ ମଧୁମେହ ଆମ ଲୋକଙ୍କ ଉପରେ ଛାପ ପକାଇବ ନାହିଁ ବୋଲି ରାଜ୍ୟପାଳ କହିଥିଲେ । ଏହି ଅବସରରେ ରାଜ୍ୟପାଳ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକ ସୁସ୍ଥ ଓଡ଼ିଶା ଏବଂ ସଶକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କର ଉତ୍ସର୍ଗୀକୃତ ପ୍ରୟାସ କାମନା କରିଥିଲେ। ଏହି ସମାରୋହରେ ଆପୋଲୋ ହସ୍ପିଟାଲ ହାଇଦ୍ରାବାଦର ବରିଷ୍ଠ ପରାମର୍ଶଦାତା ଡ଼ା ସିଏଚ ବସନ୍ତ କୁମାର, ଆରଏସଏସଡିଆଇ ଓଡ଼ିଶାର ପୃଷ୍ଠପୋଷକ ପ୍ରଫେସର ଡ଼ା ସିଦ୍ଧାର୍ଥ ଦାଶ, ଆରଏସଏସଡିଆଇ ଓଡ଼ିଶାର ଚେୟାରମ୍ୟାନ ଡ଼ା ରମେଶ କୁମାର ଗୋଏଙ୍କା ଏବଂ ସମ୍ପାଦକ ଡ଼ା ସୁରେଶ କୁମାର ବଂଶଲ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସାଂଗଠନିକ ଚେୟାରମ୍ୟାନ ପ୍ରଫେସର ଡ଼ା ଜୟନ୍ତ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସାଂଗଠନିକ ସମ୍ପାଦକ ଡ଼ା ଦେବାର୍ଚ୍ଚନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜୀବନବ୍ୟାପୀ କୃତିତ୍ୱ ପାଇଁ ପ୍ରଫେସର ଡ଼ା ସିଦ୍ଧାର୍ଥ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଆରଏସଏସଡିଆଇ ରୁରାଲ ଆଉଟରିଚ ପ୍ରୋଗ୍ରାମର ଶୁଭାରମ୍ଭ କରାଯିବା ସହିତ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ