ରାସ୍ତା କାମକୁ କେନ୍ଦ୍ରକରି ଇଞ୍ଚୋଳ ଗାଁ ରେ ଗୋଷ୍ଠୀ ସଂଘର୍ଷ : ୯୨ଜଣଙ୍କ ନାମରେ ମାମଲା ରୁଜୁ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମରେ ରାସ୍ତା କାମକୁ ନେଇ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ। ଆଗକୁ ଗଣ୍ଡଗୋଳ ଆଶଙ୍କାରେ ଗାଁ ରେ ପୋଲିସ ମୃତୟନ ଥିବାବେଳେ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଛି। ଶଚିକାନ୍ତ ରାଉତଙ୍କ ଅଭିଯୋଗ କ୍ରମେ ପୋଲିସ ଥାନା କେସ ନଂ ୨୦ / ୨୦୨୬ ରେ ୫୦ ଜଣଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ସୁଦର୍ଶନ ଜେନାଙ୍କ ଅଭିଯୋଗ ଆଧାରରେ ପୋଲିସ ଥାନା କେସ ନଂ ୨୧ / ୨୦୨୬ରେ ୪୨ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏଠାରେ ସୂଚନା ଅନୁଯାଇ ପରମାନନ୍ଦପୁର ଗ୍ରାମରେ ୯ ଲକ୍ଷ ଟଙ୍କାରେ ଦୁଇଟି ପ୍ରକଳ୍ପରେ ରାସ୍ତା କାମ ଚାଲିଥିବା ବେଳେ ଇଞ୍ଚୋଳ ଗ୍ରାମର ଯୁବକ ମାନେ ଏହି କାମ କରୁଥିଲେ। ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଇଞ୍ଚୋଳ ଗ୍ରାମର ଗୋଟିଏ ଗୋଷ୍ଠୀ ଏହି କାମ କରୁଥିବା ବେଳେ ସେହି ଗ୍ରାମର ଅନ୍ୟ ଏକ ଗୋଷ୍ଠୀ ଏହି କାମ ପାଇଁ ଆମେ କାର୍ଯ୍ୟାଦେଶ ପାଇଛୁ ତେଣୁ ଆମେ କାମ କରିବୁ ବୋଲି କହି କଞ୍ଚାମାଲ ପକାଇ ଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମୁଁହା ମୁଁହି ହୋଇ ଥିଲେ। ଉଭୟ ଗୋଷ୍ଠୀ ପରସ୍ପରକୁ ମେଣ୍ଟାଲ ପଥର ଫୋପଡ଼ା ଫୋପାଡ଼ି କରିବା ସହ ପିଟାମରା ହେବାରୁ ୧୦ଜଣରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ। ଏହା ବିଧାୟକଙ୍କ ଗାଁ ହୋଇଥିବାରୁ ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଛକା ପଞ୍ଝା ଲାଗିଛି। ଉଭୟ ଦଳର ନେତାମାନେ ପରସ୍ପରକୁ ଦୋଷ ଲଦିବାରେ ଲାଗିଛନ୍ତି। ଗାଁ ରେ ବର୍ତ୍ତମାନ ସୁଧା ଉତ୍ତେଜନା ଲାଗି ରହିଛି।


