ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ଆଲୋଚନା ଚକ୍ର
ଖଲ୍ଲିକୋଟ (ଓ୍ବାଇଏନଏସ) : ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ତଥା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣାରେ ‘ଓଡ଼ିଶାର ବରପୁତ୍ର’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସ୍ନାତକୋତ୍ତର ପରିଷଦ ସମୂହ ଅଧ୍ୟକ୍ଷା ପ୍ରଫେସର ପଦ୍ମିନୀ ସାହୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନିଜ ବକ୍ତବ୍ୟରେ ପ୍ରଫେସର ସାହୁ ଓଡ଼ିଶାର ବିଶେଷ କରି ଗଞ୍ଜାମର ବରପୁତ୍ରମାନଙ୍କ ସ୍ମୃତିଚାରଣ କରି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦ୍ୱାରା ଅନୁପ୍ରେରିତ ହେବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ ପ୍ରାଧ୍ୟାପକ ଡ. ଦୀପକ କୁମାର ମିଶ୍ର ଓଡ଼ିଶାର ସ୍ୱନାମଧନ୍ୟ ବରପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାଧନା ଓ ସିଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ତଥା ପରୀକ୍ଷା ନିୟନ୍ତ୍ରକ ଡ. ମନୋଜ କୁମାର ପଟ୍ଟନାୟକ ମନ ପ୍ରାଣରେ ଓଡ଼ିଆ ହେବା ଓ ଦୈନଦିନ ଜୀବନର ଅଂଶ ଭାବରେ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ lଓଡ଼ିଆ ବିଭାଗ ମୁଖ୍ୟ ଡ. ଉଷାରାଣୀ ରଥ ‘ ଓଡ଼ିଶାର ବରପୁତ୍ର ‘ ଶୀର୍ଷକ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଛାତ୍ର ଶକ୍ତି କପୁର, ସୁମନ ଓ ବନ୍ଦିତା ‘ବନ୍ଦେ ଉତ୍କଳ ଜନନୀ ‘ସଙ୍ଗୀତ ଗାନ କରିଥିଲେ। ଡ. ମନୋରଞ୍ଜନ ବିଷୋୟୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନର ଛାତ୍ର ଅମ୍ବିକା ପ୍ରସାଦ ମହାପାତ୍ର, ଛାତ୍ରୀ ଶୁଭ୍ରମଣି ନାହାକ, ଓଡ଼ିଆ ବିଭାଗର ଛାତ୍ର ସୁମନ ଦାଶ, ପ୍ରିନ୍ସ ଜେନା ଓ ବିକାଶ ମହାନ୍ତି,ଛାତ୍ରୀ ଅପରାଜିତା ଆଦି ଓଡ଼ିଶାର ବରପୁତ୍ରମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ସ୍ନାତକୋତ୍ତର ଛାତ୍ର ସାଗର ଖରା ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟପିକା ସ୍ଵର୍ଣ୍ଣଲତା ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।