ସ୍ନାତକ ଶେଷ ବର୍ଷ ଛାତ୍ରୀମାନଙ୍କୁ ଶୁଭକାମନା କାର୍ଯ୍ୟକ୍ରମ
ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବଣ ରାମଚନ୍ଦ୍ରପୁର (ବି. ନୂଆଁପଲ୍ଲୀ) ଗ୍ରାମ ସ୍ଥିତ ପଲ୍ଲୀଶ୍ରୀ ବିଜ୍ଞାନ ମହିଳା ମହାବିଦ୍ୟାଳୟର ସ୍ନାତକ ବିଜ୍ଞାନ, କଳା ଓ ବିସିଏ ଶେଷ ବର୍ଷର ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା କରିବା ସହ ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଲେଜର ପ୍ରତିଷ୍ଠାତା ତଥା ଶିକ୍ଷାର ଉନ୍ନତି ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସମାଜସେବୀ ଶ୍ୟାମ ସୁନ୍ଦର ସାହୁ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜର ସଭାନେତ୍ରୀ ସୁଷମା ସାହୁ, ମୁଖ୍ୟ ବକ୍ତା ଭାବେ ପ୍ରିନ୍ସପାଲ ଉଷା ରମଣ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଯୋଗ ଦେଇଥିଲେ। +୩ ଶେଷ ବର୍ଷର ବିଜ୍ଞାନ, କଳା ଓ ବିସିଏ ଛାତ୍ରୀମାନେ ତିନି ବର୍ଷ ପାଠ୍ୟକ୍ରମ ମଧ୍ୟରେ ୧୮ ବର୍ଷରେ ପାଦଦେଇ ଭୋଟଦାନ ଅଧିକାର, ଚାକିରୀ କରିବା ପାଇଁ ସର୍ବନିମ୍ନ ବୟସ ଓ ବୈବାହିକ ଜୀବନ ପାଇଁ ସର୍ବନିମ୍ନ ବୟସ ଉପଲବ୍ଧି କରିଥିବାରୁ ଅତିଥି ବୃନ୍ଦ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ଉଜ୍ଜଳ ପାଇଁ ଶୁଭକାମନା କରି ନିଜର ବହୁମୂଲ୍ୟ ଜ୍ଞାନକୁ ଉଚିତ୍ ମାର୍ଗରେ ବ୍ୟବହାର କରି ସମାଜରେ ଜଣେ ଉତ୍ତମ ନାଗରିକର ପରିଚୟ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଶୃଙ୍ଖଳିତ ଜୀବନ ପାଇଁ ଛାତ୍ରୀମାନଙ୍କୁ ଶପଥ ପାଠ କରାଯିବା ସହ ପୁରସ୍କାର ଦେଇ ଅଭିନନ୍ଦନ ପ୍ରଦାନ କରାଯାଇଥିଲା। ଦ୍ଵିତୀୟ ବର୍ଷ ଛାତ୍ରୀ ବେବିନା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀ ଶୁଭଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।


