ସରସ୍ୱତୀ ବିଦ୍ୟାମନ୍ଦିର ଯୁକ୍ତଦୁଇ ବିଜ୍ଞାନ ଟପ୍ପର୍ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା (ସିଏଚ୍ଏସ୍ଇ) ପରିଚାଳିତ ୨୦୨୪-୨୫ ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ଯୁକ୍ତଦୁଇ ଦ୍ୱାଦଶ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଆସିକା ସରସ୍ୱତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ ବିଜ୍ଞାନ)ସ୍ତରରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସାଙ୍ଗକୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି । ଆସିକା ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ମଙ୍ଗଳବାର ଅନୁଷ୍ଠିତ ଏହି କୃତୀ ବିଦ୍ୟାର୍ଥୀଙ୍କ ପ୍ରତିଭା ସମ୍ମାନ, ଅଭିନନ୍ଦନ ଉତ୍ସବ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଶିକ୍ଷାବିତ୍ ଡଃ ବିନୋଦ୍ ଚନ୍ଦ୍ର ଦାଶ, ସଂପାଦକ ପ୍ରତାପ କୁମାର ମହାପାତ୍ର, ଉପସଭାପତି ଦୁର୍ଗାପ୍ରସାଦ ପଣ୍ଡା, କୋଷାଧ୍ୟକ୍ଷ ଦଣ୍ଡପାଣି ବେହେରା, ପ୍ରଧାନାଚାର୍ଯ୍ୟ ସୁନିଲ୍ କୁମାର ଗୌଡ, ସରସ୍ୱତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ସାବତ, ଅଧ୍ୟାପକ ସୁରେନ୍ଦ୍ର କୁମାର ପାଢୀ, ପ୍ରିୟରଂଜନ ସାହୁ, ରାଜେଶ୍ କୁମାର ସ୍ୱାଇଁ, ସୁଭ୍ରାଂଶୁ କହଁର, ବେବିନାରାଣୀ ଚୌଧୁରୀ, ସୁଚିତ୍ରା ପାଢୀ, ରଶ୍ମିତା ପାଢୀ, ସୌମ୍ୟାରାଣୀ ଶତପଥୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅବିରତ ପ୍ରୟାସ, କଠିନ ପରିଶ୍ରମ, ଉଚ୍ଚକୋଟୀର ଚିନ୍ତାଧାରାକୁ ପାଥେୟ କରି ଦୃଢତାର ସହ ଆଗକୁ ଅଗ୍ରସର ହେବାକୁ ପରାମର୍ଶ ଦେବା ସହ ଜ୍ଞାନର ଚରମ ଲକ୍ଷ୍ୟ ଚରିତ୍ର ନିର୍ମାଣ ଏବଂ ଶୃଙ୍ଖଳିତ ଜୀବନକୁ ଗ୍ରହଣ କରିବା ସହ ଗଭୀର ଆତ୍ମବିଶ୍ୱାସ, ଅଧ୍ୟବସାୟ ଓ ଆତ୍ମସମ୍ମାନ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସରସ୍ୱତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତଦୁଇ ବିଜ୍ଞାନ ସ୍ତରରେ ଟପ୍ପର ହୋଇଥିବା ବିଦ୍ୟାର୍ଥୀ ନୃସିଂହ ଚରଣ ସାହୁ, ରୁଦ୍ରପ୍ରସାଦ ନାହାକ, ପୂର୍ଣ୍ଣବାସୀ ଜେନା, ପ୍ରିତୀରାଣୀ ପ୍ରଧାନ, ପ୍ରିୟା ଶୁକ୍ଳା, ଅମ୍ବିକା ପଣ୍ଡା, ତନ୍ୟାଶ୍ରୀ ସାହୁ, ୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜିବୀ, ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସରସ୍ୱତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତଦୁଇ ବିଜ୍ଞାନ ପାଠ୍ୟକ୍ରମର ଉତ୍ତମ ଶୈକ୍ଷିକ ପରିବେଶ, ଛାତ୍ରଛାତ୍ରୀମାନଙ୍କ କଠୋର ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ସାଙ୍ଗକୁ ଗୁରୁଜୀ ଗୁରୁମାମାନଙ୍କ ଉନ୍ନତମାନର ଶିକ୍ଷାଦାନ ତଥା ଅଭିଭାବକମାନଙ୍କ ଶିକ୍ଷାନୁଷ୍ଠାନ ପ୍ରତି ଅତୁଟ ବିଶ୍ୱାସ ହିଁ ଚଳିତ ଶିକ୍ଷାବର୍ଷରେ ଏହି ଉଲ୍ଲେଖନୀୟ ସଫଳତା ଆଣିଦେଇଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଉଛି ।