ପିସିସି ସମ୍ପାଦକଙ୍କ ଜନ୍ମଦିନ ପାଳନ ନାମରେ କଂଗ୍ରେସର କର୍ମୀ ସମାବେଶ
ହାଟଡିହି (ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଶଙ୍ଖଣା ଠାରେ ପିସିସି ସମ୍ପାଦକ ମନୋଜ ଜେନାଙ୍କ ଜନ୍ମଦିନ ଅବସରରେ ଆଜି କଂଗ୍ରେସର ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ହଜାର ହଜାର କଂଗ୍ରେସ କର୍ମୀ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଯୋଗଦେଇ ଆଗାମୀ ଦିନରେ କଂଗ୍ରେସ ଶାସନକୁ ଫେରିବ ଓ ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ବିଜେଡ଼ି ତାର ସ୍ଥିତି ହରାଉଥିବା ବେଳେ ବିଜେପି ଉପରୁ ଲୋକେ ଆସ୍ଥା ହରାଇଲେଣି, ତେଣୁ ଆନନ୍ଦପୁରରେ କଂଗ୍ରେସ ଏଥର ତାର ପୂର୍ବ ଗୌରବ ଫେରି ପାଇବା ସୁନିଶ୍ଚିତ ବୋଲି କଂଗ୍ରେସ ନେତ୍ରୀ ଡ ସସ୍ମିତା ଜେନା କହିଥିଲେ। ଏହି ଅବସରରେ ପୁର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ତେଲକୋଇର କଂଗ୍ରେସ ବିଧାୟକ ପର୍ଥୀ ନିର୍ମଳ ନାୟକ, କଂଗ୍ରେସର ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ପୁର୍ବତନ ସାଂସଦ ଯଶୋବନ୍ତ ଲାଗୁରୀ ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ପୁର୍ବତନ ସଧାରଣ ସମ୍ପାଦକ ନିକୁଞ୍ଜ ବିହାରୀ ମିଶ୍ର, ପୁର୍ବତନ ଏସ.ସି ସେଲର ସମ୍ପାଦକ ସୁରେଶ ଜେନା, ପୁର୍ବତନ ବ୍ଲକ ସଭାପତି ଚିତ୍ତ ରଂଜନ ପାତ୍ରଙ୍କ ସମେତ ରାଜ୍ୟ ଯୁବ କଂଗ୍ରେସ, ଛାତ୍ର କଂଗେସ ଓ ଜିଲ୍ଲା କଂଗ୍ରେସର ବହୁ କର୍ମକର୍ତ୍ତା ଯୋଗଦେଇ କଂଗ୍ରେସ କିପରି ତାର ପୂର୍ବ ସଫଳତା ହାସଲ କରିବ ସେନେଇ ନିଜ ନିଜର ମତ ରଖିଥିଲେ। ଆଜି ୪୬ଟି ପଞ୍ଚାୟତ ଓ ମୁନିସପାଲଟିରୁ ୫ଶହରୁ ଊର୍ଦ୍ଧ୍ବ ଭିନ୍ନ ଭିନ୍ନ ଦଳର କର୍ମୀ ମାନେ କଂଗ୍ରେସରେ ସାମିଲ ହୋଇଥିଲେ। ମନୋଜ ଜେନା ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏପରି ମିଶ୍ରଣ ପର୍ବ ଆନନ୍ଦପୁରରେ କଂଗ୍ରେସକୁ ଶକ୍ତିଶାଳୀ କରିଛି ବୋଲି ପିସିସି ସମ୍ପାଦକ ମନୋଜ ଜେନା ମତବ୍ୟକ୍ତ କରିଥିଲେ। ରାଜ୍ୟ ଅନୁସୂଚିତ ସେଲର ପୁର୍ବତନ ସମ୍ପାଦକ ସୁରେଶ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।