ସୁନ୍ଦରପାଳ-ସଢା ରାସ୍ତା ନିର୍ମାଣ ନିମ୍ନ ମାନର, ଅବଧି ପରେ ବି ସରୁନି ନିର୍ମାଣ କାର୍ଯ୍ୟ
ହାଟଡିହି (ଓ୍ବାଇଏନଏସ): ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ସୁନ୍ଦରପାଳ – ସଢା ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି। ଏପରିକି ରାସ୍ତା ନିର୍ମାଣ ଅବଧିର ୬ ମାସ ଅତିକ୍ରାନ୍ତ ପରେ ବି ଅଧା କାମ ସରିନି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ ସୁନ୍ଦରପାଳ ଠାରୁ ସଢା ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇ ରାସ୍ତା ନିର୍ମାଣ ପାଇଁ ୨କୋଟି ୧୫ଲକ୍ଷ ୪୭ ହଜାର ୭୭ଟଙ୍କା ଯୋଗାଇ ଦେଇଥିଲେ। ୨୩/୩/୨୦୨୫ରୁ କାର୍ଯ୍ୟ ଆରମ୍ଭ କରାଯାଇ ୧୯/୦୯/୨୦୨୫ରେ କାମ ସମ୍ପୂର୍ଣ୍ଣ କରାଯିବାର ଚୁକ୍ତିନାମା ହୋଇଥିଲା। ଠିକାଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଦ୍ୱାରା ଏହି ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବରେ ଆରମ୍ଭ କରାଯାଇ ଥିବାବେଳେ ଏବେ ସୁଧା ୫୦ ଭାଗ କାମ ସରିନି। ୧. ୬୫୪ କିଲୋମିଟର ପିଚୁ ରାସ୍ତା, ୦. ୩୪୬ କିଲୋମିଟର କଂକ୍ରିଟ ରାସ୍ତା ହେବାକୁ ଥିବା ବେଳେ ୭ଟି କଲଭଟ ନିର୍ମାଣ କରାଯିବାର ଅଛି। ସେହିପରି ୨୦ ମିଟର ଡ୍ରେନ ନିର୍ମାଣ ହେବାର ଧାର୍ଯ୍ୟ ହୋଇଛି। କିନ୍ତୁ ଯେଉଁ କାମ ଚାଲିଛି ସେଥିରେ ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁ କଂକ୍ରିଟ କାମ ହୋଇଛି ସେଥିରେ ଉପଯୁକ୍ତ ପରିମାଣର ସିମେଣ୍ଟ ଦିଆ ଯାଇ ନଥିବା ବେଳେ ରାସ୍ତାର ଉପଯୁକ୍ତ ସବବେଶ ନିର୍ମାଣ ହେଉ ନଥିବା ଅଭିଯୋଗ କରିଛନ୍ତି। ଯେପରି ଭାବେ କାମ ହେଉଛି ଆହୁରି ବର୍ଷେରୁ ଉର୍ଦ୍ଧ ସମୟ ଲାଗିଯିବ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରଜତ କୁମାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଅଭିଯୋଗର ତଦନ୍ତ କରାଯାଇ ଉପଯୁକ୍ତ କାମ କରାଯିବ। କାମରେ ବିଳମ୍ବ ଘଟିଛି, କିପରି ଶୀଘ୍ର ସରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।


