ବିବାଦୀୟ ନେରେଡି ବ୍ୟାରେଜ ନିର୍ମାଣ ପ୍ରସଙ୍ଗ: ମରିବୁ ପଛେ ଇଞ୍ଚେ ଜମି ଦେବୁ ନାହିଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗତ 30 ବର୍ଷରୁ ଉର୍ଦ୍ଧ ସମୟ ଧରି ବଂଶଧାରା ନଦୀରେ ପ୍ରସ୍ତାବିତ ପ୍ରକଳ୍ପ କାଟ୍ରାଗଡ଼ା ଫେଜ -2 ନେରେଡି ବ୍ୟାରେଜକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି. ହେଲେ ବର୍ତ୍ତମାନ ସୁପ୍ରିମକୋୖର୍ଟ ନେରେଡି ବ୍ୟାରେଜ ନିର୍ମାଣ ନେଇ ଆନ୍ଧ୍ର ସପକ୍ଷରେ ରାୟ ଦେଇଛନ୍ତି ବୋଲି ଆନ୍ଧ୍ର ଶିକାକୁଲମ ସାଂସଦ ତଥା କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଭିଡିଓ ଯାହା ଓଡିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରତେକଙ୍କ ମୋବାଇଲରେ ଘୁରି ବୁଲୁଛି. ଏହାକୁ ନେଇ ଓଡିଶା ତଥା ଗଜପତି ଜିଲ୍ଲାରେ ନିଶ୍ଚିତ କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମବାସୀମାନେ ଉଦବେଗ ପ୍ରକାଶ କରି କହିଛନ୍ତି ମରିବୁ ପଛେ ଇଞ୍ଚେ ବି ଜମି ପ୍ରକଳ୍ପ ନିର୍ମାଣ ପାଇଁ ଛାଡ଼ିବୁ ନାହିଁ. ପ୍ରସ୍ତାବିତ ନେରେଡି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମବାସୀମାନଙ୍କ ସହ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ସାରା ଗ୍ରାମ ବଂଶଧାରା ନଦୀ ନିକଟରେ ପହଞ୍ଚି ଭେଟିଛନ୍ତି. ସ୍ଥାନୀୟ ଲୋକ ଏନେଇ ବଂଶଧାରା ସୁରକ୍ଷା ମଞ୍ଚ ଗଠନ କରିଛନ୍ତି. ମଞ୍ଚର ସଦସ୍ୟମାନଙ୍କ ସହ ପାରଳା ବିଧାୟକ ଆଲୋଚନା କରିଥିଲେ। ଅଧିକାଂଶ ଲୋକ ଚାଷୀ ହୋଇଥିବାରୁ ସମସ୍ତେ ସଂକଳ୍ପ ନେଇ କହିଛନ୍ତି ଜୀବନ ଚାଲିଗଲେ ବି ଇଞ୍ଚେ ଜମି ଦେବୁନାହିଁ। ବଂଶଧାରା ସୁରକ୍ଷା କମିଟି ପକ୍ଷରୁ କୁହାଯାଇଛି ଓଡ଼ିଶା ସରକାର ଉପର ମୁଣ୍ଡରେ ଯଦି ବନ୍ଧ ନିର୍ମାଣ କରନ୍ତି ତାହେଲେ ଓଡ଼ିଶା ଚାଷୀଙ୍କ ବହୁ ସୁବିଧା ହେବ | ଯଦି ଆମ ଗୁହାରି ସରକାର ଶୁଣିବେ ନାହିଁ ଆମେ ନିଶ୍ଚିତ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ବଂଶଧାରା ସୁରକ୍ଷା କମିଟି ସଦସ୍ୟମାନେ ପ୍ରକାଶ କରିଛନ୍ତି। ଗତ ତିନି ଦଶନ୍ଧି ଧରି ଏହି ବିବାଦ ଲାଗି ରହିଥିବାବେଳେ ଇତି ମଧ୍ୟରେ ତିନି ଥର ସୁପ୍ରିମକୋର୍ଟର ଟ୍ରିବ୍ୟୁନାଲ୍ ଟିମ୍ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ଅନୁଧ୍ୟାନ କରି ଫେରିଛନ୍ତି | ଯଦି ଆନ୍ଧ୍ରର କାଟ୍ରାଗଡ଼ା ନିକଟ ନେରେଡ଼ି ବ୍ୟାରେଜ ନିର୍ମାଣ ହୁଏ ତେବେ ରାୟଗଡ଼ା ଜିଲ୍ଲାର ଗୁଣୁପୁର ସବ୍ଡିଭିଜନ ସହ କାଶୀନଗର ବ୍ଲକର ୭ ଗ୍ରାମ ସମ୍ପୂର୍ଣ ରୂପେ ବିସ୍ଥାପିତ ହେବ | ତଳି ଅଞ୍ଚଳରେ ଥିବା ଗଜପତିର କାଶୀନଗର ବ୍ଲକ ସଦରମହକୁମା ଓ ଆଖପାଖ ସମସ୍ତ ଅଞ୍ଚଳରେ ସମ୍ପୂର୍ଣ ଜଳ ଅଭାବ ଦେଖାଦେବ । ଏଭଳିସ୍ଥଳେ ସୁପ୍ରିମକୋର୍ଟ ଆନ୍ଧ୍ର ସପକ୍ଷରେ ରାୟ ଦେଇଥିବା ଯାହାକୁ କେନ୍ଦ୍ର ଜଳ ଆୟୋଗ ମଧ୍ଯ ଗ୍ରୀନ ସିଗ୍ନାଲ ଦେଇ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ମିଳିଛି | ବ୍ୟାରେଜରେ ସଂଗୃହୀତ ହେବାକୁ ଥିବା ୧୧୫ ଟିଏମ୍ସି ଜଳକୁ ୫୦ ପ୍ରତିଶତ ଜଳ ଆନ୍ଧ୍ର ବ୍ୟବହାର କରିବ ଓ ୫୦ ପ୍ରତିଶତ ଜଳ ଓଡ଼ିଶା ବିନିଯୋଗ ହେବ | ଏଭଳି ରାୟ ସାମାଜିକ ଗଣମାଧ୍ଯମରେ ଚର୍ଚ୍ଚାର ଶିରୋନାମା ପାଲଟିଥିବା ବେଳେ ସ୍ଥାନୀୟ ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା ହେଲା ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ଜଳ ଆୟୋଗ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟ ତରଫରୁ ପ୍ରକାଶିତ ରାୟର କୌଣସି ତଥ୍ୟ ବିଭାଗର ହସ୍ତଗତ ହୋଇନାହିଁ।


