ଉପର ପଡିଆରେ ବାଲିଯାତ୍ରା ଆୟୋଜନ ବିବାଦ: ଜିଲ୍ଲାପାଳଙ୍କୁ କଡା ସମାଲୋଚନା କଲେ ବ୍ୟବସାୟୀ

କଟକ (ଓ୍ବାଇଏନଏସ): ଉପର ପଡିଆରେ ବାଲିଯାତ୍ରା ଆୟୋଜନକୁ ନେଇ ତେଜିଛି ବିବାଦ । ଐତିହାସିକ ଯାତ୍ରାକୁ ଆଉ ମାତ୍ର ମଝିରେ ଦୁଇ ଦିନ ବାକି ଥିବା ବେଳେ ଏଯାବତ ବାଉଁଶ ଖଣ୍ଡେ ପଡି ନାହିଁ । ଉପର ପଡିଆରେ ଷ୍ଟଲ ପକାଇବାକୁ ବ୍ୟବସାୟୀ ରାଜି ହେଉନଥିବା କଟକ ଜିଲ୍ଲାପାଳ କହିଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି ବ୍ୟବସାୟୀ । ଉପର ପଡିଆରେ ବାଲିଯାତ୍ରା ଆୟୋଜନକୁ ନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, “ଉପର ପଡିଆରେ ଷ୍ଟଲ କରିବାକୁ କୌଣସି ବ୍ୟବସାୟୀ ରାଜି ହେଉନାହାନ୍ତି । ଉପର ପଡିଆରେ ଭଲ ବ୍ୟବସାୟ ହେଉ ନଥିବାରୁ କେହି ରାଜି ହେଉନାହାନ୍ତି । ଯେଉଁ କାରଣରୁ ଉପର ପଡିଆରେ ୨୦୦ ଷ୍ଟଲ ଥିବା ବେଳେ ମାତ୍ର ୧୮ ଜଣ ଆଗ୍ରହ ପ୍ରକାଶ କରିଛନ୍ତି । ଏପରିକି ଆମେ ଉପର ପଡିଆରେ ଦର କମେଇବାକୁ ପ୍ରସ୍ତୁତ ଅଛୁ । ୫୦ ଟଙ୍କା ସର୍ବମୂଲ୍ୟ ଦର ଠାରୁ ଆମେ ୪୦ ଟଙ୍କା କିମ୍ବା ଆହୁରି ଦର କମାଇବାକୁ ନିଷ୍ପତ୍ତି ନେଉଛୁ । ଏବେବି ଆହୁରି ସମୟ ଅଛି । ବ୍ୟବସାୟୀମାନେ ଉପର ପଡିଆରେ ବ୍ୟବସାୟ କରିବା ପାଇଁ ଆସନ୍ତୁ । ଜିଲ୍ଲା ପ୍ରଶାସନ ସହଯୋଗ କରିବ ।” କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟାକୁ ନେଇ ସମାଲୋଚନା କରିଛନ୍ତି ବ୍ୟବସାୟୀ । ଉପର ପଡିଆରେ ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ଧରି ବ୍ୟବସାୟ କରୁଥିବା ବ୍ୟବସାୟୀ ହେମନ୍ତ ସାହୁ କହିଛନ୍ତି,” ଉପର ପଡିଆରେ ଷ୍ଟଲ ନିର୍ମାଣ ପାଇଁ ଆମେ ପ୍ରଶାସନକୁ ଅନୁରୋଧ କରିଥିଲୁ । ସେଠାରେ ବ୍ୟବସାୟ ବି ଭଲ ହୁଏ । ଅନେକ ଗ୍ରାହକ ଉପର ପଡିଆରେ ଆମକୁ ଜାଣନ୍ତି । ମାତ୍ର ତଳ ପଡିଆରେ ଯେଉଁଠାରେ ଷ୍ଟଲ ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି ତାହାକୁ ନେଇ ଅନେକ ଚିନ୍ତା ବଢ଼ି ଯାଇଛି । ଉପର ପଡିଆରେ ଯେଉଁ ବ୍ୟବସାୟ ହେଉଥିଲା ତଳ ପଡ଼ିଆରେ ହେବ କି ନହେବ ତାହାକୁ ନେଇ ସନ୍ଦେହ ଉପୁଜିଛି । ସେଠାରେ ଷ୍ଟଲ କରିବାକୁ ଜିଲ୍ଲାପାଳ ଆମକୁ ଅନୁମତି ଦେଇନଥିଲେ ଏବଂ ସେଠାରେ ମାତ୍ର ୨୦ଟି ଷ୍ଟଲ ଅବଶିଷ୍ଟ ପାର୍କିଂ ପାଇଁ ବ୍ୟବହାର କରାଯିବା ନେଇ ସ୍ପଷ୍ଟ କରିଥିଲେ । ମାତ୍ର ଏବେ ଯେଉଁ କଥା କହୁଛନ୍ତି ତାହା ସମ୍ଭବ ନୁହେଁ । ଆଉ ମାତ୍ର ୨ ଦିନରେ ସେଠାରେ ଷ୍ଟଲ କରିବା ଅସମ୍ଭବ ।” ଅନ୍ୟପଟେ କଟକ ମେୟର ସୁବାସ ସିଂ ମଧ୍ୟ ଜିଲ୍ଲପାଳଙ୍କ ଏପରି ପଦକ୍ଷେପକୁ ନାପସନ୍ଦ କରିଛନ୍ତି । ମେୟର କହିଛନ୍ତି,” ଉପର ପଡିଆରେ ବାଲିଯାତ୍ରାକୁ ନେଇ ଯେଉଁ ଗରିମା ଆଉ ପରମ୍ପରା ଥିଲା ତାହା ନଷ୍ଟ ହୋଇଛି । ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଏନେଇ ପଦକ୍ଷେପ ଗ୍ରହଣ କରନ୍ତୁ ।” ନଭେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା । ମଝିରେ ଆଉ ମାତ୍ର ୨ ଦିନ ରହିଥିବା ବେଳେ ତଳ ପଡିଆରେ ଷ୍ଟଲ ନିର୍ମାଣ କାର୍ଯ୍ୟ ପ୍ରାୟ ୭୦ ପ୍ରତିଶତ ସରିଛି । ଅନ୍ୟପଟେ ଉପର ପଡିଆରେ ଚଳିତ ବର୍ଷ କମ ଷ୍ଟଲ ପଡିବାକୁ ନେଇ ବିବାଦ ଉପୁଜିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ