ନାବାଳିକା ଦୁଷ୍କର୍ମକାରୀକୁ 20 ବର୍ଷ ଜେଲଦଣ୍ଡ ଦେଲେ କୋର୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଥାନା ପରିସରରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଗଜପତି ଜିଲ୍ଲା ସେସନ୍ ଜଜ୍ ବିଭୂପ୍ରସାଦ ପଣ୍ଡା ବିଚାରଣା କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ବାମିଡ଼ି ବାଲୁ ଓରଫ ବାଲାକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦେୟସ୍ଥଳେ ଆହୁରି ୬ମାସ ଜେଲ୍ଦଣ୍ଡ ଭୋଗିବାକୁ ନିଜ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ନାବାଳିକାଙ୍କୁ କ୍ଷତାକ୍ତ କରିଥିବା ଅଭିଯୋଗରେ ୩ମାସ ଜେଲ୍ ଓ ଅପହରଣ ପାଇଁ ୩ ବର୍ଷ ଜେଲ୍ଦଣ୍ଡ ଏବଂ ୧ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ଅଭିଯୋଗରେ ଜରିମାନା ଅନାଦେୟସ୍ଥଳେ ଆହୁରି ଦୁଇମାସ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଦର୍ଶାଯାଇଛି। ସେହିପରି ଜିଲ୍ଲା ଆଇନ ପ୍ରାଧିକରଣ ତରଫରୁ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦକୁ ୪ଲକ୍ଷ ଟଙ୍କା ପ୍ରଦାନ କରିବା ନିମନ୍ତେ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେସାଲ୍ ପବ୍ଲିକ୍ ପ୍ରସିକ୍ୟୁଟର ଆର.ଜନାର୍ଦ୍ଦନ ରାଓ ମାମଲାକୁ ପରିଚାଳନା କରିଥିବା ନେଇ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି। ଗତବର୍ଷ ଫେବ୍ରୁଆରି ୨୬ ତାରିଖ ସନ୍ଧ୍ୟାରେ ନାବାଳିକାଜଣକ ଟ୍ୟୁସନ୍କୁ ଯାଇ ଘରକୁ ଠିକ୍ ସମୟରେ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ। ଅଭିଯୁକ୍ତ ବି.ବାଲୁ ତାଙ୍କୁ କାର୍ରେ ଅପହରଣ କରି ଦୁଷ୍କର୍ମ ପରେ ଧମକ ଦେଇ ଚଳନ୍ତା ଗାଡ଼ିରୁ ଫୋପାଡ଼ି ଦେଇଥିବା ଜଣାପଡ଼ିଥିଲା । ପରେ ପୀଡ଼ିତାଙ୍କ ବାପା ଏନେଇ ପାରଳା ଥାନାରେ ଅଭିଯୋଗ କରିଥିଲେ ।


