ସିପିଆଇ ଶାଖା ସମ୍ମିଳନୀ : ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପାଇଁ ନିଷ୍ପତ୍ତି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ ଗଣିଆନାଳ ଛକ ନିକଟ ମା ‘ କୁରେଇଶୁଣି ଠାକୁରାଣୀ ମନ୍ଦିର ପରିସରରେ ବୁଧବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ର ସିଦ୍ଧେଶ୍ଵର ଓ ଗୋପାଳପୁର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସିଦ୍ଧେଶ୍ୱର ଶାଖା ର ବରିଷ୍ଠ କମ୍ରେଡ. ପୁରୁଷୋତ୍ତମ ବେହେରା ପାର୍ଟିର ଲାଲ ପତାକା ଉତ୍ତୋଳନ କରିବା ପରେ କମ୍ରେଡ଼. ରମେଶ ଭୂୟାଁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ସିପିଆଇ ଗଞ୍ଜାମ ଜିଲା କମିଟି ସମ୍ପାଦକ କମ୍ରେଡ. ଶ୍ରୀହର୍ଷ ରଥ ଯୋଗଦେଇ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଦେଶ ଓ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ଭାଜପା ସରକାରଙ୍କ ଜନମାରଣ ନୀତି ଯୋଗୁଁ ଦେଶରେ ଦାରିଦ୍ର ହାର ବଢ଼ିବା ସହ ଆର୍ଥିକ ଅସମାନତା ଦେଖାଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ଅପରିଣାମଦର୍ଶୀ ନିଷ୍ପତ୍ତି ଯୋଗୁଁ କୃଷକ,ଶ୍ରମିକ ଓ ସାଧାରଣ ଜନତା ଦୁର୍ଦ୍ଦଶା ଭୋଗୁଛନ୍ତି। ଭାଜପା ସରକାର ସାଧାରଣ ଲୋକଙ୍କ ସମସ୍ୟା ଗୁଡ଼ିକୁ ଅଣଦେଖା କରିବା ସହିତ ଧନୀ ପୁଞ୍ଜିପତି ମାନଙ୍କ ସ୍ଵାର୍ଥରକ୍ଷା ପାଇଁ ଦେଶର ଅର୍ଥନିତୀକୁ ଲୁଣ୍ଠନ କରି ଚାଲିଛନ୍ତି । ଲୋକଙ୍କ ସମସ୍ୟା କୁ ଦିଗଭ୍ରଷ୍ଟ କରିବାପାଇଁ ଜାତି ଧର୍ମ ଓ ସମ୍ପ୍ରଦାୟ ନାଁରେ ଲୋକଙ୍କୁ ବିଭେଦ କରି ଚାଲିଛନ୍ତି । ଗାଁ ଗାଁ ରେ ମଦ ଦୋକାନ ଖୋଲି ଯୁବକ ମାନଙ୍କୁ ପଥଭ୍ରଷ୍ଟ କରିବା, ନାରୀ ନିର୍ଯ୍ୟାତନା ବୃଦ୍ଧି ଘଟିବା, ଚାଷୀ ମାନଙ୍କୁ ଲୁଣ୍ଠନ କରିବା ପାଇଁ କଳା କୃଷି ଆଇନ ଆଣିବା ବିରୁଦ୍ଧରେ ଗରୀବ ଜନସାଧାରଣ ଚାଷୀ, ମୁଲିଆ ଓ ମଧ୍ୟବିତ୍ତ ସମାଜ ସଙ୍ଗଠିତ ହେବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ରୂପେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ. ପ୍ରକାଶ ଚନ୍ଦ୍ର ପାତ୍ର, ଜିଲା କମିଟି ସଦସ୍ୟ କମ୍ରେଡ. ଅଳକ ନାଥ ମିଶ୍ର, ବଡଖେମୁଣ୍ଡି ଜୋନ ସମ୍ପାଦକ କମ୍ରେଡ. କିଶୋର କୁମାର ଶତପଥି, ଦିଗପହଣ୍ଡି ଶାଖା ସମ୍ପାଦକ କମ୍ରେଡ. ତପନ କୁମାର ମିଶ୍ର, ବ୍ରହ୍ମପୁର ଶାଖା ସମ୍ପାଦକ କମ୍ରେଡ. ପ୍ରଫୁଲ୍ଲ କୁମାର ଜେନା, ବରିଷ୍ଠ କମ୍ୟୁନିଷ୍ଟ ନେତା କମ୍ରେଡ. ବୃନ୍ଦାବନ ପଣ୍ଡା ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କମ୍ୟୁନିଷ୍ଟ ପାର୍ଟିର ଦୃଢ଼ ସଙ୍ଗଠନ ଓ ଜନ ଆନ୍ଦୋଳନର ଆବଶ୍ୟକତା ପ୍ରତି ଗୁରୁତ୍ୱାରୋପ କରିଥିଲେ। ପାର୍ଟିର ଉଭୟ ଶାଖାର ସମସ୍ତ ପୁରାତନ ସଦସ୍ୟ ଙ୍କ ସଭ୍ୟପଦ ନବୀକରଣ କରାଯିବା ସହିତ ଗଣ ସଙ୍ଗଠନ ଗୁଡିକୁ ସୁଦୃଢ କରିବା ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ କମ୍ରେଡ. ଦୈତାରୀ ରେଡ୍ଡୀ ଓ ଦଣ୍ଡପାଣି ସାହୁ, ପ୍ରଦୀପ ପରିଡ଼ା,ଲୋକନାଥ ବିଷୋୟୀ ଙ୍କ ସମେତ ଉପସ୍ଥିତ ସକ୍ରିୟ ସଦସ୍ୟ ମାନଙ୍କୁ ଅର୍ପଣ କରାଯାଇଥିଲା।ଫେବୃଆରୀ ୫ ତାରିଖରେ ଧାନ ମଣ୍ଡି ଓ ମିଲର ମାନଙ୍କ ମଧୁ ଚନ୍ଦ୍ରିକାରେ ଚାଲିଥିବା କଟନି ଛଟନି ବନ୍ଦ ସହ ବିଭିନ୍ନ ଦାବି ପୂରଣ ପାଇଁ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାର୍ଟି ପକ୍ଷରୁ ବିକ୍ଷୋଭ ସହ ଗଣଧାରଣା କରାଯିବା ସହ ୧୨ ତାରିଖରେ ସମସ୍ତ ଜାତୀୟ ଶ୍ରମିକ ସଙ୍ଗଠନ ମାନଙ୍କ ପକ୍ଷରୁ ଡ଼ାକରା ଦିଆଯାଇଥିବା ସର୍ବ ଭାରତୀୟ ଧର୍ମଘଟକୁ ସଫଳ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା।
ଆଗାମୀ ବର୍ଷ ପାଇଁ ସିଦ୍ଧେଶ୍ଵର ଶାଖାର ସମ୍ପାଦକ ରୂପେ କମ୍ରେଡ଼. ପୁରୁଷୋତ୍ତମ ବେହେରା ଓ ଗୋପାଳପୁର ଶାଖା ପାଇଁ କମ୍ରେଡ. ଲୋକନାଥ ବିଷୋୟୀ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା।ଶେଷରେ ପାର୍ଟି ପକ୍ଷରୁ ଗଣିଆନାଳ ଛକ ରେ ଗଣପାଣ୍ଠି ସଂଗ୍ରହ କରାଯାଇଥିଲା।


