ଭଦ୍ରକ ଜିଲାରେ ଧାନମଣ୍ଡି ଖୋଲିବା ବିଳମ୍ବ ନେଇ ସିପିଆଇର ଆନ୍ଦୋଳନ ଡାକରା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ସିପିଆଇ କାର୍ଯ୍ୟାଳୟ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଭଦ୍ରକ ଜିଲା ପରିଷଦର ପରିବର୍ଦ୍ଧିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସିପିଆଇ ରାଜ୍ୟ ସମ୍ପାଦକ ଡ.ପ୍ରଶାନ୍ତ କୁମାର ମିଶ୍ର ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ ଦେଶ ଓ ରାଜ୍ୟର ରାଜନୈତିକ ଅବସ୍ଥା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସିପିଆଇର ଶତବାର୍ଷିକୀ ପାଳନ ଅବସରରେ ବରିଷ୍ଠ ନେତା ପର୍ଶୁରାମ ସାହୁ, ଦୁଃଶାସନ ଜେନା ଓ ଗୋକୁଳାନନ୍ଦ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦ ଦେବା, ଶ୍ରମିକ ମାନଙ୍କୁ ୮ ଘଣ୍ଟା ପରିବର୍ତ୍ତେ ରାଜ୍ୟରେ ୧୦ ଘଣ୍ଟା କାମ କରିବା ପାଇଁ ଆଇନ ପ୍ରଣୟନ କରିବା, ମହିଳା ଓ ଶିଶୁ ମାନଙ୍କ ଉପରେ ନିର୍ଯ୍ୟାତନା ଓ ହତ୍ୟା ଆଦି ଘଟଣା ସମ୍ପର୍କରେ ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ ପାଇଥିଲା । ଏହାର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନା କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ ପାର୍ଟିର ସାଙ୍ଗଠନିକ ଶକ୍ତିବୃଦ୍ଧି ସହିତ ଜନଗଣଙ୍କ ସମସ୍ୟାକୁ ନେଇ ଆଗାମୀ ଦିନରେ ଗଣ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ । ସିପିଆଇ ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି ଯୋଗ ଦେଇ ଜିଲାରେ ଚାଷୀ ଧାନ ବିକ୍ରି ନକରି ପାରିବା, ସରକାର ଧାନମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ କରିବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲା ନେତୃତ୍ୱ ବିମ୍ବାଧର ବାରିକ, ନାରାୟଣ ଚନ୍ଦ୍ର ତ୍ରିପାଠୀ, ଅନନ୍ତ ପ୍ରସାଦ ମହାନ୍ତି, ହରିହର ବେହେରା, ଭାଗିରଥି ରାଉତ, ଜୟପ୍ରକାଶ ମହାନ୍ତି, ଭାସ୍କର ଚନ୍ଦ୍ର ବେହେରା, କିଶୋର ଚନ୍ଦ୍ର ବେହେରା, ନିରଞ୍ଜନ ନାୟକ, ଉମାକାନ୍ତ ମହାପାତ୍ର, ରବିନ୍ଦ୍ର ନାୟକ ପ୍ରମୁଖ ଅଭାବୀ ବିକ୍ରି ଯୋଗୁ ଚାଷୀ ଧାନ ବିକ୍ରି କରିବା ସମ୍ଭବ ହୋଇପାରୁନଥିବାରୁ ସରକାରଙ୍କ ଚାଷୀ ମାରଣ ନୀତିର ପ୍ରତିବାଦ ସହିତ ଯଥାଶିଘ୍ର ସରକାରୀ ମଣ୍ଡି ଖୋଲିବା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ପାଇଁ ସିପିଆଇ ଭଦ୍ରକ ଜିଲା ପାର୍ଟି ନିଷ୍ପତ୍ତି ଗ୍ରହଣ କରିଛି । ଏପରିପେକ୍ଷୀରେ ଚାଷୀ ମାନଙ୍କ ସମସ୍ୟାକୁ ନେଇ ଜାନୁଆରୀ ୧୬ରେ ବନ୍ତ ବ୍ଲକ ଅଫିସ ସମ୍ମୁଖରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକକୁ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପଧାନପଡା ସମିତି ସଭ୍ୟ ପ୍ରତିନିଧି ଦୁଲ୍ଲା ଖାଁ, ନୃସିଂହ ଚରଣ ପରିଡା, ଜୟନ୍ତ ଜେନା, ରମାକାନ୍ତ ସାହୁ, ପର୍ଶୁରାମ ସ୍ୱାଇଁ, ଦୀଲିପ ନାୟକ ପ୍ରମୁଖ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।


