ସିପିଆଇ ପକ୍ଷରୁ ସହିଦ୍ ଭଗତ୍ ସିଂହଙ୍କ ବଳିଦାନ ଦିବସ
ବାଲେଶ୍ୱର,(ସରୋଜ ପଣ୍ଡା): ସହିଦ୍ ଭଗତସିଂଙ୍କ ବଳିଦାନ ଦିବସ ଅବସରରେ ମାର୍ଚ୍ଚ ୨୩ ସୋମବାର ଦିନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି.ପି.ଆଇ) ପକ୍ଷରୁ ଦେଶବ୍ୟାପୀ ସାମ୍ରାଜ୍ୟବାଦ ବିରୋଧିଦିବସ ପାଳନ ପାଇଁ ଆହ୍ୱାନରେ ବାଲେଶ୍ୱର ସହରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ଏ ସଭାରେ ଅଧ୍ୟକ୍ଷତା କରିଥିଲେ। ସିପିଆଇର ଜିଲ୍ଲା ସଂପାଦକ ଭାଗବତ ପ୍ରତିହାରୀ କହିଥିଲେ ଯେ ସହିଦ୍ ଭଗତ ସିଂ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସାମ୍ରାଜ୍ୟବାଦୀ ଶୋଷଣ, କଷଣ ଓ ଅତ୍ୟାଚାର ବିରୁଦ୍ଧରେ ଏବଂ ଦେଶମାତୃକାର ମୁକ୍ତିପାଇଁ ସାଲିସହୀନ ସଂଘର୍ଷରେ ଗତ ୧୯୩୧ ମସିହାରେ ଆଜିର ଦିନରେ ସହୀଦ ହୋଇଥିଲେ। ତାଙ୍କ ସହ ତାଙ୍କର ସାଥୀ ଶୁକଦେବ ଓ ରାଜଗୁରୁଙ୍କୁ ମଧ୍ୟ ବ୍ରିଟିଶ ସରକାର ଫାଶି ଦେଇଥିଲା। ବର୍ତ୍ତମାନ ଆମେରିକା ଓ ଇସ୍ରାଏଲ୍ ସମଗ୍ର ବିଶ୍ୱ ଦଖଲ ପାଇଁ ଇରାନ ଉପରେ ଓ ଅନ୍ୟ ଦେଶମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛନ୍ତି। ବିଶ୍ୱର ସମସ୍ତ ଦେଶ ଏହି ସାମ୍ରାଜ୍ୟବାଦୀ ଆକ୍ରମଣକୁ ବିରୋଧ କରୁଛନ୍ତି। ଯଦି ୩ୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ ତେବେ ସମସ୍ତ ମାନବ ସମାଜ ଧ୍ୱଂସ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ‘ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ’ ଆଜି ବିଶ୍ୱବାସୀଙ୍କର ଆହ୍ୱାନକୁ ଭାରତ ବର୍ଷର ଶାନ୍ତିକାମୀ ମଣିଷମାନେ ଐକ୍ୟବଦ୍ଧ ହେବାକୁ ଶ୍ରୀ ପ୍ରତିହାରୀ ଆହ୍ୱାନ ଦେଇଥିଲେ। ଯୁଦ୍ଧ ଯେଉଁଠି ହେଲେବି ଭାରତ ଉପରେ ଏହାର ପ୍ରଭାବ ଅନୁଭୂତ ହେବ। ସଭାକାର୍ଯ୍ୟ ଆରମ୍ଭରେ ସୁଜାତା ପାତ୍ର ବୈପ୍ଳବିକ ସଂଗୀତ ଗାନ କରିଥିଲେ। ଏହି ସଭାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସର୍ବଶ୍ରୀ ଭରତ ଚନ୍ଦ୍ର ସେଠୀ, ଶରତ ଚନ୍ଦ୍ର ଦଳାଇ, ଆଶୁତୋଷ ପରିଡ଼ା, ପୁନଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଆଇଟିୟୁସିର ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


