ବ୍ୟବସାୟୀଙ୍କୁ ୬ କୋଟି ଠକେଇ କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ, (ଓ୍ବାଇଏନଏସ): ଅନ୍‌ଲାଇନ୍‌ ଟ୍ରେଡିଂରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ଗହଣା ବ୍ୟବସାୟୀଙ୍କର ୬ କୋଟି ୧୬ ଲକ୍ଷ ୩୭ ହଜାର ୮୪ ଟଙ୍କା ଗାଏବ ହୋଇଥିଲା। ଏହି ମାମଲାରେ ମୁଖ୍ୟ କାର୍ପଟଦାର ଭୁବନେଶ୍ବରରେ ରହୁଥିବା ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଶ୍ରୀନଗର ଅଞ୍ଚଳନିବାସୀ ବେଦଗିରି ଶ୍ରୀନିବାସ ରାଓ(୩୯)କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଏହି ଘଟଣାରେ ଶ୍ରୀନିବାସକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କଲାଣି କ୍ରାଇମବ୍ରାଞ୍ଚ। ସାଇବର୍‌ ଠକ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ରେ ସଂଜନା ଶ୍ରୀନିବାସ ନାଁରେ ଯେଉଁ ମହିଳାଙ୍କ ଫଟୋ ଦେଇଥିଲେ, ସେହି ପ୍ରୋଫାଇଲକୁ ଯାଞ୍ଚ କରାଯାଉଛି। ସୂଚନା ଅନୁଯାୟୀ, ଏହି ଗହଣା ବ୍ୟବସାୟୀଙ୍କ ଫେସ୍‌ବୁକ ମାଧ୍ୟମରେ ସଂଜନା ଶ୍ରୀନିବାସନଙ୍କ ସହିତ ପରିଚୟ ହୋଇଥିଲା। ସଂଜନା ନିଜକୁ ହଂକଂରେ ଥିବା ଆଇବିଏମ୍‌ର ସଫଟଓୟାର ଡେଭଲପର୍‌ ବୋଲି ପରିଚୟ ଦେଇଥିଲା। ଜାପାନର ଏକ ଟ୍ରେଡିଂ କମ୍ପାନି ‘ଜୈଫ୍’ ମାଧ୍ୟମରେ କ୍ରିପ୍ଟୋ ମୁଦ୍ରାରେ ନିବେଶ କରିବାକୁ ବ୍ରହ୍ମପୁରର ଗହଣା ବ୍ୟବସାୟୀଙ୍କୁ ସେ ପରାମର୍ଶ ଦେଇଥିଲା। ଏଥିରେ ନିବେଶ କଲେ ଅଧିକ ଅର୍ଥ ରିଟର୍ନ ଲୋଭ ଦେଖାଇ ଗହଣା ବ୍ୟବସାୟୀଙ୍କୁ ଫସାଇଥିଲା। ଭାରତୀୟ ମୁଦ୍ରା ସିଧାସଳଖ ଜାପାନର ଏହି କମ୍ପାନିରେ ନିବେଶ କରିବା ସମ୍ଭବପର ହେଉନଥିବାରୁ ଭାରତୀୟ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ସଂଜନା କହିଥିଲା। ୨୦୨୪ ମେ ୨୩ରୁ ଜୁନ ୨୪ ଭିତରେ ୧୨ଟି ଭାରତୀୟ ବ୍ୟାଙ୍କ ଆକାଉଣ୍ଟ୍‌ରେ ମୋଟ ୬ କୋଟି ୧୬ ଲକ୍ଷ ୩୭ ହଜାର ୮୪ ଟଙ୍କା ବ୍ୟବସାୟୀ ଜଣକ ଜମା କରିଥିଲେ। ତାଙ୍କୁ ଜାପାନର ଟ୍ରେଡିଂ କମ୍ପାନି ‘ଜୈଫ୍’ରେ ବ୍ୟବହାରକାରୀ ନାଁ ଓ ପାସ୍‌ୱାର୍ଡ଼ ଦିଆଯାଇଥିଲା। ପ୍ରଥମେ ସୁନା ବ୍ୟବସାୟୀଙ୍କ ଆର୍ଥିକ କ୍ଷତି ହୋଇଥିଲା। ସଂଜନା ତାଙ୍କୁ ଅଧିକ ଅର୍ଥ ଜମା କରିବାକୁ କହିଥିଲେ। ପରବର୍ତ୍ତୀ ସମୟରେ ବ୍ୟବସାୟୀ ଜଣକ ଟଙ୍କା ଉଠାଇବାକୁ ଉଦ୍ୟମ କରିବାରୁ ‘ଜୈଫ୍’ ପକ୍ଷରୁ ତାଙ୍କୁ ଅତିରିକ୍ତ ୮୯ ଲକ୍ଷ ଟଙ୍କା ଜମା କରିବାକୁ କୁହାଯାଇଥିଲା। କିନ୍ତୁ ବ୍ୟବସାୟୀ ଟଙ୍କା ଜମା କରିବାକୁ ମନା କରିଦେଇଥିଲେ। ‘ଜୈଫ୍’ ନାଁରେ ସାଇବର୍ ଠକ ଦଳ ଏଭଳି କାରସାଦି କରୁଥିବା ବ୍ୟବସାୟୀ ଜଣକ ସ୍ପଷ୍ଟ ହେବା ପରେ କ୍ରାଇମ୍‌ବ୍ରାଞ୍ଚ ସାଇବର୍ ଥାନାରେ ୨୦୨୪ ଜୁଲାଇ ୯ ତାରିଖରେ ଏତଲା ଦେଇଥିଲେ। କ୍ରାଇମବ୍ରାଞ୍ଚ୍‌ ଏକ ମାମଲା ରୁଜୁ କରିବା ପରେ ୨୦୨୫ ମାର୍ଚ୍ଚ ୨୬ରେ ଗୁଜରାଟର ସୁରଟରୁ ମୁଖ୍ୟ ଅଭିଯୁକ୍ତ ସଭାୟା ରବି କୁମନଭାଇ ସମେତ ସେଜଲ ରବି କୁମାର ସଭାୟା, ସଭାୟା କୁମନ ଭାଇ, ପାରସ ଧୀରୁଭାଇ ଜେସାନୀ, ଧର୍ମେଶ ନାନୁଭାଇ ସାଭଲିୟାକୁ ଗିରଫ କରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଏହି ମାମଲାରେ ଅନ୍ୟତମ ଫେରାର ଅଭିଯୁକ୍ତ ଶ୍ରୀନିବାସକୁ ଗିରଫ କରିଛି। ଶ୍ରୀନିବାସ ନିକଟରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ଼ ଇତ୍ୟାଦି ଜବତ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ