୫୦ କେଜି ଗଞ୍ଜେଇ ଜବତ କଲା କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଓ ଅବକାରୀ ବିଭାଗ
କଟକ (ଓ୍ବାଇଏନଏସ): କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଓ ଅବକାରୀ ବିଭାଗ ମିଳିତ ସହଯୋଗରେ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ମୂଲ୍ୟ ୧୪ ଲକ୍ଷ ବୋଲି ଜଣାପଡିଛି। ସୂଚନା ଥାଉକି, କଟକ ପୁରୀଘାଟ ଥାନା ପେଟିନ୍ ସାହି ଅଞ୍ଚଳର ଏକ ଭଡ଼ା ଘରୁ ୫୦ କେଜି ଗଞ୍ଜେଇ ଓ ଏକ କିଆ ସେଲଟସ୍ (OD-02BT-7412)କୁ ଜବତ କରିବା ସହ ଜଣକୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ। ଅଭିଯୁକ୍ତ ଜଣକ ହେଉଛି କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ବକ୍ସିବଜାର କେଶରପୁରର ଏସ୍.କେ. ଆବିଦ (୩୯)। ଏହି ଚଢ଼ାଉରେ ଅବକାରୀ ବିଭାଗର ଡି.ଏସ୍.ପି. ବିକାଶ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ରେ ଅବନୀ କୁମାର ମହାପାତ୍ର (ଅବକାରୀ ବିଭାଗର ଇନ୍ସପେକ୍ଟର), କିଶୋର ଚନ୍ଦ୍ର ରାଉତ (ଏ.ଏସ.ଆଇ), ରଞ୍ଜନ କୁମାର ପାତ୍ର (କନଷ୍ଟେବଲ), ସତ୍ୟବ୍ରତ ସାହୁ (କନଷ୍ଟେବଲ), ଅଶ୍ୱିନୀ କୁମାର ପରିଡା (କନଷ୍ଟେବଲ), ସୁନାବତୀ ବରିହା (ମହିଳା କନଷ୍ଟେବଲ) ସାମିଲ ହୋଇଥିଲେ। ଏବଂ ଚଢ଼ାଉ କରି ଅଭିଯୁକ୍ତ ଏସ୍.କେ. ଆବିଦକୁ ଗିରଫ କରିବା ସହ ଗଞ୍ଜେଇ ସମେତ କିଆ ସେଲଟସ୍ ନାମକ ଏକ କାରକୁ ଜବତ କରି ବିଚାର ବିଭାଗୀୟ ହାଜତକୁ ପଠାଇଛି ଅବକାରୀ ବିଭାଗ।


