କଟକ ସହର ଧୂଳି ଧୂଆଁରେ ଭର୍ତ୍ତି। କାମରେ ଆସୁନି ସୁଇପିଂ ମେସିନ୍

କଟକ, (ଓ୍ବାଇଏନଏସ) : ସକାଳୁ ରାତି ପର୍ଯ୍ୟନ୍ତ ରାସ୍ତା ଧୂଳିଧୂଆଁରେ ଭର୍ତ୍ତି। ବିନା ମାସ୍କ ରେ ଘରୁ ବାହାରିବାକୁ ଭୟ ଲାଗିଲାଣି । ସହରର ଅଧିକାଂଶ ରାସ୍ତାରେ ବାଲିର ମୋଟା ଆସ୍ତରଣ ଜମିରହିଛି । କେତେବେଳେ ବାଇକ୍ ଆରୋହୀ ଦୁର୍ଘଟଣାର ଶୀକାର ହେଉଛନ୍ତି ତ ଆଉ କେତେବେଳେ ଆଖି, ମୁହଁରେ ବାଲି ଉଡ଼ି ପଡୁଛି । ଏବେ କୁହୁଡ଼ି ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ରାସ୍ତାରୁ ବାଲି ସଫା ପାଇଁ କଟକ ମହାନଗର ନିଗମ (ସିଏମ୍ସି) କିଣିଥିବା ୫୦ଲକ୍ଷ ଟଙ୍କାର ସୁଇପିଂ ମେସିନ୍ ଏବେ କଲ୍ୟାଣ ମଣ୍ଡପ ନିକଟରେ ପଡ଼ିପଡ଼ି ନଷ୍ଟ ହେଉଛି । ଏମିତିକି ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଚିଠି ହୋଇଥିଲେ ମଧ୍ୟ ସିଏମ୍ସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ।କଟକ ସହରରେ ଦିନକୁ ଦିନ ବାୟୁ ପ୍ରଦୂଷଣ ଅତି ସାଂଘାତିକ ସ୍ଥିତିକୁ ଆସିବାରେ ଲାଗିଛି । ଗାଡ଼ିମଟର ଯା’ଆସ ସହ ନିର୍ମାଣ କାମ, ରାସ୍ତାରେ ଜମି ରହିଥିବା ମାଟିବାଲି କାରଣରୁ ସହରରେ ପ୍ରଦୂଷଣ ନିୟନ୍ତ୍ରଣ ସ୍ଥିତିକୁ ଆସୁନାହିଁ । ରିଂବନ୍ଧ ରାସ୍ତାରୁ ନେଇ ବାଦାମବାଡି ଆଦି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସବୁଠି ବାଲି ଗଦା ହୋଇରହିଛି । ବସ୍ କି ଭାରୀଯାନ ଯିବା ମାତ୍ରେ ସବୁଆଡେ ଧୂଳି ଉଡି ନାକେଦମ୍ କରୁଛି । ରାସ୍ତାରୁ ବାଲି ସଫା ପାଇଁ ସୁଇପିଂ ମେସିନ୍ କିଣିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସିଏମ୍ସିକୁ ୫୦ଲକ୍ଷ ଟଙ୍କା ଦେଇଥିଲା । ସିଏମ୍ସି ଏହି ଟଙ୍କାରେ କିଣିଥିବା ମେସିନ୍ ଏବେ କଲ୍ୟାଣ ମଣ୍ଡପରେ ଖତ ଖାଉଛି ।ଅପରାହ୍ନରେ ବହୁ ଲୋକ ବୁଲାବୁଲି କରିବା ପାଇଁ, ଡ୍ରାଇଭିଂ ଶିଖିବା ପାଇଁ ବାଲିଯାତ୍ରା ପଡିଆକୁ ଆସୁଥିବାରୁ ଧୂଳି ଉଡ଼ି ନୟାନ୍ତତ କରୁଛି । ସେହିପରି ରିଂବନ୍ଧ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ନିୟମିତ ରାସ୍ତାରେ ପାଣି ପଡୁ ନ ଥିବାରୁ ସବୁଠି ଧୂଳିମୟ ପରିବେଶ ସୃଷ୍ଟି ହେଉଛି । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାସ୍ତାଘାଟରେ ନିୟମିତ ପାଣି ପକାଇ ଝାଡୁ ମାରିବାକୁ ଭୁବନେଶ୍ୱର ମହାନଗର ନିଗମ ନିଷ୍ପତ୍ତି ନେଇଥିଲେ ମଧ୍ୟ ସିଏମ୍ସିରେ ଏ ଦିଗରେ କୌଣସି ପଦକ୍ଷେପ ନାହିଁ । ଏ ନେଇ ଅତିରିକ୍ତ କମିସନର ସୋନା ଟୁଡୁ କହିଛନ୍ତି ଯେ, ବାୟୁ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନିଆଯାଉଛି । ସୁଇପିଂ ମେସିନ୍ ଖରାପ ଥିବାରୁ ଏବେ ବନ୍ଦ ଅଛି । ମରାମତି ପରେ ମେସିନ୍ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ