ଗୁଳିମାଡ଼ ଘଟଣାରେ ୩ ଯୁବକଙ୍କୁ ଗିରଫ କଲା କଟକ କମିଶନରେଟ ପୋଲିସ
କଟକ, (ଓ୍ବାଇଏନଏସ): କଟକ ନୂଆବଜାର ଜଣେ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପର୍ଦାଫାସ୍ କରିଛି, କଟକ କମିଶନରେଟ ପୋଲିସ। ଗୁଳିମାଡ଼ ନୁହେଁ ବରଂ ବନ୍ଧୁକରେ ଡେମୋ ଦେଖାଇବା ବେଳେ ନିଜ ଗୋଡ଼ରେ ଗୁଳି ଫୁଟାଇ ଥିଲେ ଯୁବକ। ଏହି ଘଟଣାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରିଛି ପୋଲିସ। କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ମୁତାବକ, କେହି ଗୁଳି ମାଡ଼ କରି ନ ଥିଲେ ବରଂ ଖଟିରେ ଚୋରା ବନ୍ଧୁକ ଦେଖାଉଥିବା ବେଳେ ଫୁଟିଥିଲା ଗୁଳି। ଏହି ଘଟଣାରେ ଏକ ବନ୍ଧୁକ ସହ ଖୋକା ଜବତ କରିଛି ପୋଲିସ। ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ସେମାନେ ହେଲେ ଗୁଳି ମାଡ଼ ଯୋଗୁଁ ଆହତ ହୋଇଥିବା ସଞ୍ଜୟ ତରାଇର ବନ୍ଧୁ ଭଗବାନ ରାଉତ ଓ ଭଗବାନଙ୍କୁ ବନ୍ଧୁକ ଦେଇଥିବା ଲିଟୁ ନାମକ ଯୁବକ। ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ରେ ଆହତ ହୋଇ ସଞ୍ଜୟ ତରାଇ ଏସସିବିରେ ଭର୍ତି ହୋଇଥିଲା। ପୋଲିସ ଏନେଇ ଜାଣିବା ପରେ ଘଟଣାର ତଦନ୍ତ ଆରମ୍ଭ କରି ଥିଲା। ସଞ୍ଜୟ ତରାଇର ନିଜ ବନ୍ଧୁ ଭଗବାନ ରାଉତ, ରାସ୍ତାରେ ଯାଉଥିବା ଓଏମପି ଛକଠାରେ କେହି ଗୁଳି ମାଡ଼ କରିଥିବା କଥା ଉଭୟ ଅଭିଯୋଗ କରିଥିଲେ। କିନ୍ତୁ ତଦନ୍ତ ସମୟରେ ଭଗବାନ ସାଙ୍ଗମାନଙ୍କ ଖଟିରେ ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିଲା ଏବଂ ଏଥିରେ ସଞ୍ଜୟ ତରାଇ ଆହତ ହୋଇଥିଲେ ବୋଲି ଜଣା ପଡ଼ିଥିଲା। ମାମଲାରେ ପୋଲିସ ଭଗବାନ ଓ ବନ୍ଧୁକ ବେପାରୀ ଲିଟୁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ବନ୍ଧୁକ ସେମାନେ କେଉଁଠୁ ଆଣିଲେ? ଖେଳଣା ବନ୍ଧୁକ ପରି ଏହାକୁ କାହିଁକି ସେମାନେ ବ୍ୟବହାର କରୁଥିଲେ? କଟକରେ ଚାଲିଛି କି ବେଧଡକ ବନ୍ଧୁକ ବ୍ୟବସାୟ? ଚୋରା ବନ୍ଧୁକ କାରବାର ଉପରେ ପୋଲିସ କେମିତି ରଖିଛି ନଜର? କିଛି ଦିନ ପୂର୍ବରୁ ଏକ ଆନ୍ତରାଜ୍ୟ ଚୋରା ବନ୍ଧୁକ କାରବାରରେ ୬ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ। ଯାହାର ମାଷ୍ଟର ମାଇଣ୍ଡ ଥିଲେ କାଦୁଆ ଓରଫ ଦେବବତ୍ତ ସିଂ ବେହେରା। ତେବେ କାହିଁକି ଏମାନେ ବନ୍ଧୁକ ରଖିଥିଲେ? କେବେଠାରୁ ଏହାକୁ ରଖିଥିଲେ? କେଉଁଠାରୁ ଆଣିଥିଲେ? ଆଦି ତମାମ ପ୍ରସଙ୍ଗରେ ତଦନ୍ତ ଜାରି ରହିଥିବା କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି।


