ମୋକିମ୍‌-ସୋଫିଆ ଆଉଟ୍‌ ପରେ କଟକ କଂଗ୍ରେସ ଶିବିର ଦି’ଫାଳ

କଟକ, (ଓ୍ବାଇଏନଏସ) : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରିବା ପରେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍‌ଦୋସ୍‌ଙ୍କ ବିରୋଧରେ ଆକ୍ସନ୍‌ ନେଇଛି କଂଗ୍ରେସ । ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । କେବଳ ସୋଫିଆ ନୁହନ୍ତି, ତାଙ୍କ ଶିବିରର ଅନୁଗତ ଭାବେ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରା ମଧ୍ୟ ଦଳରୁ ବିଦା ହୋଇଛନ୍ତି । ଏଭଳି ସ୍ଥିତିରେ ବିଧାୟିକାଙ୍କ ରାଜନୈତିକ ଭବିଷ୍ୟତ ଯେ ବାପା ତଥା ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମ୍‌ଙ୍କ ନୂଆ ଯୋଜନା ଓ ନୂଆ ଦଳ ସହ ଆଗକୁ ବଢିବ ଏଥିରେ ସନ୍ଦେହ ନାହିଁ । ବିଧିବଦ୍ଧ ଭାବେ ସାମିଲ୍‌ ନହେଲେ ବି ମୋକିମ୍‌ଙ୍କ ନୂଆ ଦଳରେ ବିଧାୟିକା ସୋଫିଆ ବ୍ରାଣ୍ଡ୍‌ ଆମ୍ବାସଡର୍‌ ହେବା ଏକରକମ ନିଶ୍ଚିତ । ମୋକିମ୍‌-ସୋଫିଆ ଶିବିରର ଦୃଢ ସମର୍ଥକ ଭାବେ ଗିରିବାଳା ମଧ୍ୟ ମୋକିମ୍‌ଙ୍କ ସହ ରହିବେ ଏଥିରେ କୌଣସି ସଂଶୟ ନାହିଁ । ଏପରି ସ୍ଥିତିରେ କଟକ ନଗର କଂଗ୍ରେସର ମଙ୍ଗ କିଏ ଧରିବେ ଏବଂ ମୋକିମ୍‌-ସୋଫିଆଙ୍କ ଶିବିରକୁ ଚାଲେଞ୍ଜ୍‌ ଦେଇ ସହରରେ କେମିତି ସଂଗଠନ ସକ୍ରିୟ କରାଇବେ ତାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି । ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସ୍ଥିତି ଅପେକ୍ଷାକୃତ ମଜଭୁତ୍‌ କୁହାଯାଏ । କାରଣ ୨୦୧୯ ଓ ୨୦୨୪ରେ ଲଗାତର ଦୁଇଥର ବିଧାନସଭା ଆସନ ଦଖଲ କରିଛି ଦଳ । କିନ୍ତୁ ଏବେ ମୋକିମ୍‌ ଓ ସୋଫିଆ କଂଗ୍ରେସରୁ ଦୂରେଇଯିବା ପରେ ନଗର କଂଗ୍ରେସ କର୍ମୀମାନେ ଦ୍ୱନ୍ଦ୍ୱରେ ଓ ଦୋଛକିରେ । ଯଦିଓ ଅନେକ ମୋକିମ୍‌ଙ୍କ ସହ ରହିଛନ୍ତି କିନ୍ତୁ କଂଗ୍ରେସ ବିଚାରଧାରାକୁ ବିଶ୍ୱାସ କରୁଥିବା କଟକ ସହରର କିଛି ନେତା, କର୍ମୀ ଦ୍ୱନ୍ଦ୍ୱରେ ପଡିଛନ୍ତି । କଟକ ମହାନଗର ନିଗମ(ସିଏମ୍‌ସି)ରେ ୮ଜଣ କଂଗ୍ରେସ କର୍ପୋରେଟର ମଧ୍ୟ ଆଜିଠାରୁ ବିଧିବଦ୍ଧ ଭାବେ ଭାଗବାଣ୍ଟ ହୋଇସାରିଛନ୍ତି । କିଛି କର୍ପୋରେଟର ପିସିସି ସଭାପତି ଭକ୍ତ ଦାସଙ୍କ ଏସ୍‌ସିବି ଗସ୍ତ ସମୟରେ ତାଙ୍କ ସହ ରହିଥିଲେ । ତେଣୁ ସେମାନେ ମୋକିମ୍‌ ଓ ସୋଫିଆଙ୍କ ଶିବିରରେ ନାହାନ୍ତି ବୋଲି ଧରି ନିଆଯାଇପାରେ । ଏଭଳି ଯାବତୀୟ ଦ୍ୱନ୍ଦ୍ୱ ଭିତରେ ଆସନ୍ତାକାଲି ବୁଧବାର କଟକ ସହର ସହିତ ଜଡ଼ିତ କିଛି ଛାମୁଆ କଂଗ୍ରେସ ନେତାଙ୍କୁ ନେଇ ପିସିସି ସଭାପତି ଭକ୍ତ ଦାସ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ପିସିସି କାର୍ଯ୍ୟାଳୟକୁ କିଛି ନେତାଙ୍କୁ ଡକାଯାଇଛି । ନଗର କଂଗ୍ରେସ ନେତୃତ୍ୱ କାହାକୁ ଦିଆଯିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଥିବା ସୂଚନା ମିଳିଛି । ନିକଟରେ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସ ସହ ହାତ ମିଶାଇଛନ୍ତି ବିଶ୍ୱଜିତ ମହାନ୍ତି । ଦାୟିତ୍ୱ ପାଇବା ଦିନରୁ ସେ କଟକରେ କଂଗ୍ରେସ ବ୍ୟାନରରେ କୌଣସି କାର୍ଯ୍ୟକ୍ରମ କରିନାହାନ୍ତି । ତେଣୁ ମୋକିମ୍‌ ଓ ସୋଫିଆଙ୍କ ଅନୁପସ୍ଥିତି ବିଶ୍ୱଜିତଙ୍କୁ ସେଭଳି ସୁଯୋଗ ଦେଇଛି । ତାଙ୍କୁ ଦଳ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ ବୋଲି କୁହାଯାଉଛି । ସେହିପରି ଦଳର ଯୁବ ଚେହେରା ଆଇନଜୀବୀ ଶାନ୍ତାୟନ ମିଶ୍ର, କର୍ପୋରେଟର ସନ୍ତୋଷ ଭୋଳଙ୍କ ସମେତ ଆଉ କିଛି ପ୍ରମୁଖ ନେତାଙ୍କୁ ନେଇ ଆଲୋଚନା ହେଉଛି । ସେହିପରି ବରିଷ୍ଠ ନେତା ସୁରେଶ ମହାପାତ୍ର ମଧ୍ୟ ନଜରରେ ରହିଛନ୍ତି । ଅଭିଜ୍ଞତା ଦୃଷ୍ଟିରୁ ସେ ଆଗରେ । ଆଗରୁ ନଗର କଂଗ୍ରେସ ଦାୟିତ୍ୱ ତୁଲାଇଛନ୍ତି । ତେବେ ମୋକିମ୍‌ ଓ ସୋଫିଆଙ୍କ ହାତ ଛାଡ଼ିବା ପରେ, ପିସିସି ସଭାପତି ଯେ କଟକ ନଗର କଂଗ୍ରେସ ଶିବିରକୁ ବିକଳ୍ପ ନେତୃତ୍ୱ ଜରିଆରେ ଏକଜୁଟ୍‌ କରିବାକୁ ଉଦ୍ୟମ କରୁଛନ୍ତି ସେଭଳି ଆଭାସ ମିଳୁଛି । ଅନ୍ୟପକ୍ଷରେ ସୋଫିଆଙ୍କ ନିଲମ୍ବନ ପରେ ଆଜି ଅସନ୍ତୋଷ ଝାଡ଼ିଛନ୍ତି ମୋକିମ୍‌ । କହିଛନ୍ତି, ଭାରତରେ ଓ ଓଡ଼ିଶାରେ କଂଗ୍ରେସର ସ୍ଥିତି ଆଜି କିଛି ନାହିଁ । ଯିଏ କଂଗ୍ରେସ ସହିତ ଯୋଡ଼ି ହେବ ତା’ ଭବିଷ୍ୟତ ନଷ୍ଟ ହୋଇଯିବ । ଯେଉଁ ଦଳ ସହ ଆମର ଲଢେଇ ଥିଲା, ରାଜ୍ୟସଭା ନିର୍ବାଚନରେ ତାଙ୍କ ସହ ମିଶିବା କଂଗ୍ରେସର ଭୂମିକାକୁ ସନ୍ଦେହ ଘେରକୁ ଆଣିଥିଲା । ସୋଫିଆ ମଧ୍ୟ ତାଙ୍କ ଅସନ୍ତୋଷ ମୋ ସାମ୍ନାରେ କହିଥିଲେ । ତେବେ ଯାହା ହେଲା ଭଲ ହେଲା । ଏବେ ଓଡ଼ିଶା ଜନତା କଂଗ୍ରେସ ନୂଆ ଦଳ ଭାବେ ସାମ୍ନାକୁ ଆସୁଛି । ଯେଉଁ ଯୁବ ନେତାମାନେ ଅନ୍ୟ ଦଳରୁ ନିଲମ୍ବିତ ଓ ବହିଷ୍କୃତ ହୋଇଛନ୍ତି ସେମାନେ ଆମକୁ ସମର୍ଥନ ଦିଅନ୍ତୁ ବୋଲି ମୋକିମ୍‌ ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ନଗର କଂଗ୍ରେସ ସଭାନେତ୍ରୀ ଥିବା ଗିରିବାଳା କହିଛନ୍ତି, ମୁଁ କ’ଣ ଦଳ ବିରୋଧୀ କାର୍ଯ୍ୟ କରିଛି ସେ କଥା ମୋତେ ନଜଣାଇ ବହିଷ୍କୃତ କରାଯାଇଛି । ମୁଁ କଲେଜ ବେଳୁ କଂଗ୍ରେସ ସହ ଜଡ଼ିତ । କର୍ପୋରେଟର ହୋଇଛି, ମେୟର ନିର୍ବାଚନ ଲଢିଛି । କଂଗ୍ରେସ ଦଳକୁ ନେଇ ମୋ ଭିତରେ ସେଭଳି କୌଣସି ପ୍ରତିକ୍ରିୟା ନଥିଲା । କିନ୍ତୁ ଏବେ କହୁଛି, କଂଗ୍ରେସ ଯାହା ଟିକେ ସୁକୁସୁକୁ ହେଉଥିଲା ସେତକ ବି ଗଲା । କଂଗ୍ରେସ ଏବେ ମାଫିଆଙ୍କ ଦଳ ହୋଇଯାଇଛି ବୋଲି ଗିରିବାଳା କ୍ଷୋଭର ସହ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ