କଟକ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ
କଟକ,(ଓ୍ବାଇଏନଏସ): ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ ପୋଷଣ ମାସ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ପାଳନ ହୋଇଯାଇଛି । ଆଜିର ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦେଇ ମା ଓ ଶିଶୁ ଙ୍କର ଉତ୍ତମ ପୋଷଣ ଖାଦ୍ୟ ଏବଂ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିଜର ମତ ପ୍ରକାଶ କରିବା ସହ ଠିକ୍ ସମୟରେ ଉଚିତ ପରିମାଣର ଖାଦ୍ୟ ଖାଇବା, ଯେତେ ସମ୍ଭବ ବାହାର ଖାଦ୍ୟ ଠାରୁ ଦୂରେଇ ରହିବା ,ସ୍ଵଦେଶୀ ଖାଦ୍ୟ, ମାଣ୍ଡିଆଯୁକ୍ତ ଖାଦ୍ୟ, ସବୁଜ ପନିପରିବା ଆଦି ଖାଇବା ପାଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ରଶ୍ମିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମାରୋହରେ ରମାଦେବୀ ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ଡଃ. ତପତି ଦାସ, ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ବବିତା ଜେନା, ଜିଲ୍ଲା ପୋଷଣ ସଂଯୋଜକ ଶ୍ରୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ମା ପାଇଁ ଗଛ ଟିଏ ଲଗେଇବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ ନିମନ୍ତେ ପୂର୍ବାହ୍ନ ୯ଘଟିକା ୩୦ମିନିଟ ସମୟରେ ଲୋକଙ୍କ ସଚେତନତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ମାଣ୍ଡିଆ ରେ ତିଆରି ବିଭିନ୍ନ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶିତ କରାଯାଇଥିଲା । ପୋଷଣ ମାସ ର କାର୍ଯ୍ୟକ୍ରମ ଉପରେ ବିଭିନ୍ନ ସ୍କୁଲ୍ ଓ କାଲେଜ୍ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା ଓ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ଗୋଷ୍ଠୀ ସମନ୍ଵିତ ଶିଶୁ ବିକାଶ ସେବା କାର୍ଯ୍ୟାଳୟରୁ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମଣ୍ଡଳ ପରିଦର୍ଶିକା, ବ୍ଲକ ପୋଷଣ ସଂଯୋଜକ ଓ ଅଙ୍ଗନୱାଡ଼ି କର୍ମୀ ଯୋଗଦେଇଥିଲେ । ପରିଶେଷରେ ଜିଲ୍ଲା କାର୍ଯ୍ୟକାରୀ ଅଧିକାରୀ ସ୍ଵର୍ଣ୍ଣମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।