କଟକ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ସାମଗ୍ରୀ ଜବତ
କଟକ, (ଓ୍ବାଇଏନଏସ): ଦୀପାବଳିକୁ ଦୃଷ୍ଟିରେ ରଖି କଟକ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ ଅବକାରୀ ପକ୍ଷରୁ କୋରଙ୍ଗାର ମଦ ପ୍ରସ୍ତୁତି ଆଡ୍ଡା ଉପରେ ମିଳିତ ଚଢାଉ କରାଯାଇଥିଲା । ଆଠଗଡ ଅବକାରୀ ସହିତ କଟକ ଭ୍ରାମ୍ୟମାଣ ଦଳ, ନରସିଂହପୁର ଓ ବାଙ୍କୀ ଅବକାରୀ ଏବଂ ଆଠଗଡ ପୁଲିସ ପକ୍ଷରୁ ଅବକାରୀ ଉପଅଧିକ୍ଷକ ସିଏଚ୍ ତିରୁପତିଙ୍କ ନେତୃତ୍ବରେ ଏହି ଚଢାଉ ହୋଇଥିଲା । ଶନିବାର ସକାଳେ ଚୋରା ଦେଶୀ ମଦ ପ୍ରସ୍ତୁତି ପାଇଁ ବିଖ୍ୟାତ କୋରଙ୍ଗା ଗ୍ରାମର ବିଭିନ୍ନ ଚାଷ ଜମି ଓ ଝାଟି ଜଙ୍ଗଲରେ ଥିବା ମଦ ଭାଟି ଉପରେ ଅତର୍କିତ ଚଢାଉ କରାଯାଇଥିଲା । ଚଢାଉ ସମୟରେ ୧୯୯୫ ଲିଟର ଦେଶୀ ମଦ ଏବଂ ମଦ ପ୍ରସ୍ତୁତି ପାଇଁ ଶହ ଶହ ଜାରକିନ୍ ରେ ଲୁଚାଇ ରଖାଯାଇଥିବା ୨୦୮୯୫ ଲିଟର ଗୁଡ ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ଚଢାଉ ପୂର୍ବରୁ ଅନତି ଦୂରରୁ ଅବକାରୀ ବିଭାଗର ଏକାଧିକ ଗାଡି ଦେଖି ଚିରାଚରିତ ଭାବେ ମଦ ମାଫିଆ ଚମ୍ପଟ ମାରିଥିବାରୁ କାହାରିକୁ ଗିରଫ କରାଯାଇ ପାରିନଥିଲା । ତେବେ ଏ ବାବଦରେ ୬ଟି ମାମଲା ରୁଜୁ ହୋଇଥିବା କହିଛନ୍ତି ଉପଅଧିକ୍ଷକ ।