“କଟକ ନାଟ୍ୟୋତ୍ସବ ୨୦୨୫” ନାଟକ ସଂସ୍କୃତିର ପୁନରୁଦ୍ଧାର ସହ ଯୁବ ନାଟ୍ୟ ପ୍ରତିଭାକୁ ପରିଚୟ ଦେବା ନାଟ୍ୟୋତ୍ସବର ମୂଳ ଲକ୍ଷ୍ୟ: ଜିଲ୍ଲାପାଳ

କଟକ, ୧୫/୦୯: ଲୁକ୍‌କାୟିତ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଏବଂ ଆଗାମୀ ପିଢୀ ପାଇଁ କଳାକାର, କାହାଣୀ ଲେଖକ, ସଂଳାପ ଲେଖକ, ନିର୍ଦ୍ଦେଶକ, ଗୀତିକାର ଆଦି ସୃଷ୍ଟି କରିବା ସହ ନାଟକ ଆନ୍ଦୋଳନକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ରୌପ୍ୟନଗରୀ କଟକରେ ଆରମ୍ଭ ହେବାକୁ ଯାଉଛି କଟକ ନାଟ୍ୟୋତ୍ସବ-୨୦୨୫, ଯୁବ ଉଦ୍ଦୀପନା, ଯୁବ ସୃଜନ । ଏକଦା ନାଟ୍ୟ ସଂସ୍କୃତିର ଏନ୍ତୁଡିଶାଳ ଥିବା କଟକରେ ନାଟକ ସଂସ୍କୃତିକୁ ପୁଣି ଥରେ ଉଜ୍ଜିବୀତ କରିବା ପାଇଁ ଏହି ଉଦ୍ୟମ କରାଯାଉଥିବା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି । କଟକ ନାଟ୍ୟୋତ୍ସବ-୨୦୨୫ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜିଲ୍ଳାପାଳ ଶ୍ରୀ ଶିନ୍ଦେ କହିଛନ୍ତି ଯେ, ଏହି ନାଟ୍ୟୋତ୍ସବ ନାଟକ ପରିବେଷଣ ମାଧ୍ୟମରେ ଯୁବ ପ୍ରତିଭାଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହ ନାଟକ ପରିବେଷଣ କରିବା ପାଇଁ ମଂଚ ପରିବେଶ ତଥା ଦିଗଦର୍ଶନ ଦେବା ପାଇଁ ବିଶେଷଜ୍ଞମାନଙ୍କ ପରାମର୍ଶ ଯୋଗାଇ ଦେବ । ଯୁବ ନାଟ୍ୟ ପ୍ରତିଭାଙ୍କୁ ସୁଯୋଗ ଦେବା ପାଇଁ କଟକରେ ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ ଜିଲ୍ଳା ପ୍ରଶାସନ ଦ୍ୱାରା କରାଯାଉଛି ଯାହା ଆଗାମୀ ବର୍ଷମାନଙ୍କରେ ଜାରି ରହିବ । ଏହି ନଟ୍ୟୋତ୍ସବରେ କଟକ ଜିଲ୍ଲାର ୧୯ଟି ମହାବିଦ୍ୟାଳୟ ଅଂଶଗ୍ରହଣ କରୁଛନ୍ତି ଯାହାକି ପ୍ରତିଯୋଗିତାମୂଳକ ହେବ । ପ୍ରତିଯୋଗିତାରେ କେବଳ ମୌଳିକ ଲେଖାକୁ ବିବେଚନା କରାଯିବ । ପ୍ରଥମ ପର୍ଯ୍ୟାୟରେ ୨୧ ସେପ୍ଟେମ୍ବରରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଅଂଶଗ୍ରହଣକାରୀମାନେ ସହିଦ ଭବନରେ ନାଟକ ପରିବେଷଣ କରିବେ । ଏହା ପୂର୍ବରୁ ନାଟ୍ୟ ବିଶେଷଜ୍ଞମାନେ ସେମାନଙ୍କ ଅନୁଷ୍ଠାନ ଭ୍ରମଣ କରି ବିଭିନ୍ନ ବିଷୟରେ ସେମାନଙ୍କୁ ପରାମର୍ଶ ଦେବେ । ବିଚାରକମାନେ ଅଂଶଗ୍ରହଣକାରୀ ଦଳଗୁଡିକ ମଧ୍ୟରୁ ୧୦ଟି ଦଳକୁ ଚୟନ କରିବେ । ଏବଂ ଏହି ୧୦ଟି ଦଳ ଅକ୍ଟୋବର ୪ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅନ୍ନପୂର୍ଣ୍ଣା ଥିଏଟର ଓ ଜନତା ରଙ୍ଗମଚରେ ନାଟ୍ୟ ବିଶେଷଜ୍ଞମାନଙ୍କ ସହାୟତା ଓ ପରାମର୍ଶ ମାଧ୍ୟମରେ ସ୍ୱତନ୍ତ୍ର ଅଭ୍ୟାସ ଜାରି ରଖି ନିର୍ଣ୍ଣାୟକ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତି କରିବେ । ଏହାପରେ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଳା ବିକାଶ କେନ୍ଦ୍ରରେ କଟକ ନାଟ୍ୟୋତ୍ସବ ୨୦୨୫ ନିର୍ଣ୍ଣାୟକ ପର୍ଯ୍ୟାୟ ଅନୁଷ୍ଠିତ ହେବ ଏବଂ ସେଠାରୁ ବିଜେତାମାନଙ୍କୁ ଚୟନ କରାଯିବ । ଚାମ୍ପିଅନ୍ ଦଳକୁ ଏକ ଲକ୍ଷ ଟଙ୍କାର ନଗଦ ପୁରସ୍କାର ରାଶି ସହ ଟ୍ରଫି, ପ୍ରଥମ ରନର୍ସ ଅପ୍ ଦଳକୁ ୭୦ ହଜାର ଟଙ୍କାର ନଗଦ ପୁରସ୍କାର ସହ ଟ୍ରଫି ଏବଂ ଦ୍ୱିତୀୟ ରନର୍ସ ଅପ୍ ଦଳକୁ ୫୦ ହଜାର ଟଙ୍କାର ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ । ଏହାବ୍ୟତୀତ ୭ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ଦଳକୁ ସାନ୍ତ୍ୱନାମୂଳକ ଟ୍ରଫି ସହ ୧୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଅଭିନୟ ଦକ୍ଷତା, କାହାଣୀ, ସଂଳାପ ପରିବେଷଣ, ସୃଜନଶୀଳତା, ସମନ୍ୱୟ, ମଂଚ କାରିଗରୀ, ସମୟ ଆଦିକୁ ଦୃଷ୍ଟିରେ ରଖି ବିଜେତା ଦଳ ଚୟନ କରାଯିବ । ଏହି ମହୋତ୍ସବ ଯୁବପିଢୀଙ୍କ ମଧ୍ୟରେ କଳାତ୍ମକ ଅଭିବ୍ୟକ୍ତି ଓ ନାଟ୍ୟ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ଏକ ପ୍ରତଯୋଗିତାମୂଳକ ପ୍ଲାଟଫର୍ମ ଯୋଗାଇଦେବ । ଯୁବପିଢୀଙ୍କ ମଧ୍ୟରେ କଳା ପ୍ରଦର୍ଶନର ଆଗ୍ରହକୁ ପୁନର୍ଜିବୀତ କରିବ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ସୁଦୃଢ କରିବ । ଦୁଇଟିଯାକ ପର୍ଯ୍ୟାୟରେ ସାଧାରଣ ଦର୍ଶକ ବହୁ ସଂଖ୍ୟାରେ ଯୋଗଦେଇ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ନାଟ୍ୟୋତ୍ସବ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଅବସରରେ ଆଜି କଟକ ନାଟ୍ୟୋତ୍ସବ ୨୦୨୫ର ଲୋଗୋ ଉନ୍ମୋଚନ କରାଯାଇଥିଲା । ଆଜି ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଡକ୍ଟର ଇପ୍ସିତା ପିୟଦର୍ଶିନୀ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଳା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ, ଚଳଚ୍ଚିତ୍ର ତାରକା ଶ୍ରୀତମ ଦାସ୍‌, ନାଟ୍ୟ ପରାମର୍ଶଦାତା ଉମେଶ ଦାସ, ଅକ୍ଷୟ ରଣା, ମହମ୍ମଦ ସଇଫୁଲ୍ଲା ହକ୍‌, ଶ୍ରୀକାନ୍ତ ଚୌଧୁରୀ, ଦେବୁ ପଟ୍ଟନାୟକ, ବବି ଇସଲାମ ଓ ସନ୍ଦିପ ପାଣି ପ୍ରମୁଖ ଉପସ୍ଥିତ ଥିବା ସହ ଭାଗ ନେଇଥିବା ମହାବିଦ୍ୟାଳୟର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ