କଟକ ପୁଲିସକୁ ଏବେ ସାଇବର କେସ୍ ଅଡୁଆ: ପୁରୁଣା କେସ୍ ବନ୍ଦ ପାଇଁ ଥାନା ଅଧିକାରୀଙ୍କ ପ୍ରସ୍ତାବ
କଟକ, (ଓ୍ବାଇଏନଏସ): କଟକ ପୁଲିସକୁ ଏବେ ସାଇବର କେସ୍ ଅଡୁଆରେ ପକାଇଛି । ପୁରୁଣା ମାମଲାଗୁଡ଼ିକର ତଥ୍ୟ ମିଳୁନଥିବାରୁ ସେସବୁର ତଦନ୍ତ କେମିତି ସରିବ ତାହାକୁ ନେଇ ପୁଲିସ ଚିନ୍ତାରେ ପଡ଼ିଛି । ଗୋଟିଏ ପଟେ ଅଭିଯୋଗକାରୀ କେସ୍କୁ ନେଇ ତନାଘନା କରୁଥିବା ବେଳେ ଅନ୍ୟପଟେ ଗଡ଼ୁଥିବା ମାମଲା ବୋଝ ବଢ଼ାଇ ଚାଲିଛି । ତେଣୁ ଦୀର୍ଘ ଦିନ ହେବ ପଡ଼ିଥିବା ପୁରୁଣା କେସ୍କୁ ବନ୍ଦ କରି ଦେବା ପାଇଁ ବିଭିନ୍ନ ଥାନା ଅଧିକାରୀ ପ୍ରସ୍ତାବ ଦେଇଛନ୍ତି । ମିଳିଥିବା ତଥ୍ୟ ଅନୁସାରେ, ଗତ ୫ବର୍ଷ ଅର୍ଥାତ୍ ୨୦୨୧ରୁ ୨୦୨୫ ମଧ୍ୟରେ କଟକର ବିଭିନ୍ନ ଥାନା ଓ ସାଇବର ଥାନାରେ ରୁଜୁ ହୋଇଥିବା ୪୦୭ଟି ସାଇବର୍ ମାମଲାର ଆବଶ୍ୟକୀୟ ତଥ୍ୟ ପୁଲିସ ଏଯାବତ ପାଇପାରିନି । ଯେଉଁ ତଥ୍ୟ ବି ଆସିଛି ତାହା ଅସଂପୂର୍ଣ୍ଣ । ଅର୍ଥାତ୍ ଏହି ତଥ୍ୟ ଦ୍ୱାରା ସାଇବର ଠକ ବା ଅଭିଯୁକ୍ତ ପାଖରେ ପହଞ୍ଚି ହେବନି । ସେହି ହିସାବରେ ୨୦୨୧ ମସିହା ୬୧ଟି, ୨୦୨୨ ମସିହାର ୭୨ଟି, ୨୦୨୩ ମସିହାର ୯୩ଟି, ୨୦୨୪ ମସିହାର ୮୩ ଓ ୨୦୨୫ ମସିହାର ୯୮ଟି ମାମଲାର ତଥ୍ୟ ପୁଲିସ ପାଖରେ ନାହିଁ । ସେଥିରୁ ମୋଟ୍ ୩୬୨ଟି ଠକେଇ ମାମଲା ଥିବାବେଳେ ୪୯ଟି ମାମଲାରେ ମହିଳା ବିରୋଧୀ ଅପରାଧ ଅଟେ । ବହୁ ମାମଲାରେ ସଂପୃକ୍ତ ଏଜେନ୍ସି ତଥ୍ୟ ପ୍ରଦାନ କରିନି । ମେଟା, ଗୁଗଲ ଓ ମାଇକ୍ରୋସଫ୍ଟରୁ ଆବଶ୍ୟକୀୟ ତଥ୍ୟ ଆସିନି । ବାରମ୍ବାର ରିମାଇଣ୍ଡର୍ ପଠାଇବା ପରେ ମଧ୍ୟ ସଂପୃକ୍ତ ସଂସ୍ଥା ତଥ୍ୟ ଦେଉନାହିଁ । ସେହିପରି କିଛି ବ୍ୟାଙ୍କ୍ ମଧ୍ୟ ତଥ୍ୟ ପ୍ରଦାନ କରିନାହାନ୍ତି । ଫଳରେ ଏସବୁ ମାମଲାର ତଦନ୍ତ ଆଗେଇ ପାରୁନି । ସେହିପରି ଯେଉଁ କିଛି କେସ୍ରେ ଅଳ୍ପ ମାତ୍ରାରେ ତଥ୍ୟ ମିଳିଛି ତାହା ତଦନ୍ତରେ ସହାୟତା କରୁନାହିଁ । କେବଳ ସେତିକି ନୁହେଁ, ବହୁ ମାମଲାରେ ଠକେଇ ପରିମାଣ ୧୦ରୁ ୪୦ ହଜାର ଟଙ୍କା ଭିତରେ ରହିଥିବାରୁ ସଂପୃକ୍ତ ଏଜେନ୍ସି ମଧ୍ୟ ଗୁରୁତ୍ୱ ନଦେଇ ତଥ୍ୟ ପଠାଉ ନାହାନ୍ତି । ତେଣୁ ଏସବୁ ମାମଲା ବର୍ଷକୁ ବର୍ଷ ବୋଝ ହୋଇ ଚାଲିଛି । ପ୍ରତିବର୍ଷ ଅନ୍ସଲ୍ଭ କେସ୍ର ସଂଖ୍ୟା ବଢ଼ୁଥିବାରୁ ତାହା ସିସିଟିଏନ୍ଏସ୍ରେ ମଧ୍ୟ ପ୍ରତିକୂଳ ମନ୍ତବ୍ୟ ଦେଉଛି । ତେଣୁ ଏଭଳି କେସ୍ଗୁଡ଼ିକୁ ବନ୍ଦ କରିବାକୁ ଥାନା ଅଧିକାରୀମାନେ ପ୍ରସ୍ତାବ ଦେଇଛନ୍ତି । ବିଶେଷ କରି ଯେଉଁ କେସ୍ଗୁଡ଼ିକରେ ତଥ୍ୟ ଆଉ ଆଦୌ ମିଳିବାର ନାହିଁ ସେଗୁଡ଼ିକୁ ଧିରେଧିରେ ବନ୍ଦ ବା କ୍ଲୋଜର କରିବାକୁ ଥାନା ଅଧିକାରୀମାନେ ପ୍ରସ୍ତାବ ଦେଇଛନ୍ତି । ଏହାକୁ କଟକ ପୁଲିସ ପକ୍ଷରୁ ବିଚାର କରାଯାଉଛି । ଉକ୍ତ ମାମଲା ଗୁଡ଼ିକୁ ବିଭିନ୍ନ ବର୍ଗରେ ବିଭକ୍ତ କରି ବନ୍ଦ କରିବା ପାଇଁ ଏହା ମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଶେଷଥର ଏକ ରିମାଣ୍ଡର ପଠାଇ ତଥ୍ୟ ପାଇଁ କିଛି ଦିନ ଅପେକ୍ଷା କରିବାକୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପରେ ଯଦି ତଥ୍ୟ ନଆସେ ତାହେଲେ ଆସନ୍ତା ମାସରୁ କେସ୍ ବନ୍ଦ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କଟକ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।


