କଟକର ପ୍ରଥମ ଓ ପୁରୁଣା ଦୁର୍ଗାପୂଜା ମଣ୍ଡପ, ୫୦୦ ବର୍ଷ ଧରି ସମାନ ପଦ୍ଧତିରେ ମା’ଙ୍କ ଆରାଧନା
କଟକ, (ଓ୍ବାଇଏନଏସ): ହଜାର ବର୍ଷର ପୁରୁଣା ସହର କଟକ । ଆଉ ସହରର ପରମ୍ପରା ବି ବହୁ ପୁରୁଣା । କଟକର ଛାତିରେ ଲେଖା ହୋଇଛି ଅନେକ ପରମ୍ପରାର କଥା । ଦଶହରା ଆସିଲେ ସେସବୁ ପରମ୍ପରା ଜାଗ୍ରତ ହୋଇପଡେ । ମା’ଙ୍କ ଆବାହାନ ପାଇଁ ଚଳଚଞ୍ଚଳ ହୋଇପଡ଼େ ରୌପ୍ୟ ନଗରୀ । ଚାନ୍ଦି ମେଢ ସାଙ୍ଗକୁ ମା’ଙ୍କ ସ୍ବତନ୍ତ୍ର ପୂଜା ପାଇଁ ପ୍ରସିଦ୍ଧ କଟକ ସହର । ତେବେ କଟକରେ କେବେ, କେଉଁଠି ଓ କିଏ ପ୍ରଥମେ ଆରମ୍ଭ କରିଥିଲେ ମା’ଙ୍କ ଆବାହନ ? ସେହି ପୂଜା ମଣ୍ଡପର ବିଶେଷତ୍ବ କ’ଣ ରହିଛି ? କଟକର ବାଲୁବଜାର ପୂଜା ମଣ୍ଡପ । ଯେଉଁଠି ପ୍ରଥମେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା । ବଡ଼କଥା ହେଉଛି କି ଦୀର୍ଘ ୫ ଶହ ବର୍ଷରୁ ଅଧିକ ସମୟ ଧରି ଏହି ମଣ୍ଡପରେ ମା’ଙ୍କ ପୂଜା ହୋଇ ଆସୁଛି । ହେଲେ ପରମ୍ପରା ଅନୁଯାୟୀ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଏବେ ବି ସମାନ ଶୈଳୀରେ ନିର୍ମାଣ ହେଉଛି ଆଉ ପୂଜା ବି କରାଯାଉଛି । ଅର୍ଥାତ ୫ ଶହ ବର୍ଷ ତଳେ ମା’ଙ୍କ ମୂର୍ତ୍ତିର ଉଚ୍ଚତା, ପ୍ରସ୍ତୁତି ପ୍ରଣାଳୀ ଓ ଗଠନ ଶୈଳୀ ଯେମିତି ଥିଲା, ଆଜି ବି ଠିକ୍ ସେମିତି ରହିଛି । ଶହ ଶହ ବର୍ଷ ମଧ୍ୟରେ କଟକ ସହରରେ ପ୍ରାକୃତିକ ଦୁର୍ବିପାକ ହେଉ ବା ମାହାମାରୀର ପ୍ରକୋପ, କେବେ ବି ଏହି ମଣ୍ଡପର ପରମ୍ପରା ଉପରେ ପ୍ରଭାବ ପକାଇ ପାରିନାହିଁ । କେବଳ ସେତିକି ନୁହେଁ, ଏହା ଏମିତି ଏକ ମଣ୍ଡପ ଯେଉଁଠାରେ ମା’ଙ୍କ ମୂର୍ତ୍ତି ରଙ୍ଗ କାର୍ଯ୍ୟରେ କେବେ ବି ରସାୟନିକ ରଙ୍ଗ ବ୍ୟବହାର କରାଯାଏ ନାହିଁ । ସ୍ବତନ୍ତ୍ର ଭାବରେ ପ୍ରାକୃତିକ ପଦାର୍ଥ ଓ ପ୍ରକ୍ରିୟାରେ ରଙ୍ଗ ପ୍ରସ୍ତୁତ କରାଯାଇ ମା’ଙ୍କୁ ରଙ୍ଗ କରାଯାଇଥାଏ । ୧୫୦୮ ମସିହାର କଥା । ଶ୍ରୀକ୍ଷେତ୍ର ଆଗମନ ସମୟରେ ଚୈତନ୍ୟ ମହାପ୍ରଭୁ କଟକ ବାଲୁବଜାର ଠାରେ କିଛି ଦିନ ବିତାଇଥିଲେ । କୁହାଯାଏ ସେହି ସମୟରେ ଶରତ ଋତୁର ଆଗମନ ହୋଇଥିଲା । ଏହି ସମୟରେ ଚୈତନ୍ୟ ମହାପ୍ରଭୁ ନିଜେ ଏହି ସ୍ଥାନରେ ମା’ଙ୍କ ଘଟ ସ୍ଥାପନ କରି ପ୍ରଥମେ ଦୁର୍ଗାପୂଜା ଆରମ୍ଭ କରିଥିଲେ । ପରେ ଚୈତନ୍ୟ ପୁରୀ ଚାଲିଯାଇଥିଲେ । କିନ୍ତୁ ଯିବା ପୂର୍ବରୁ ତାଙ୍କ ସହିତ ଆସିଥିବା ବଙ୍ଗର ବାନାର୍ଜୀ ପରିବାରକୁ ଏଠାରେ ଥିବା ମଠରେ ରଖିବା ସହ ପ୍ରତିବର୍ଷ ଶରତ ଋତୁରେ ମା’ଙ୍କ ପୂଜା କରିବା ପାଇଁ କହିଥିଲେ । ସେବେ ଠାରୁ ବିନୋଦ ବିହାରୀ ମଠ ମନ୍ଦିର ପରିସରରେ ଥିବା ପୂଜା ମଣ୍ଡପରେ ଘଟ ପୂଜା ଆରମ୍ଭ ହୋଇ ପରେ ପରେ ଏଠାରେ ମା’ଙ୍କ ଦଶଭୂଜା ମୂର୍ତ୍ତିକୁ ଏହି ମଣ୍ଡପରେ ପୂଜା କରାଯିବା ଆରମ୍ଭ ହୋଇଥିଲା । ଏହି ମଣ୍ଡପରେ ମା’ଙ୍କ ମୂର୍ତ୍ତି ନିର୍ମାଣ ଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ପିଢି ପରେ ପିଢି ସେହି ବାନାର୍ଜୀ ପରିବାରର ସଦସ୍ୟମାନେ ହିଁ କରି ଆସୁଛନ୍ତି । ବଡ଼ କଥା ହେଉଛି କି ଏହି ମା’ଙ୍କ ମୂର୍ତ୍ତିରେ କୌଣସି ପ୍ରକାରର କୃତ୍ତିମ ରଙ୍ଗ ବ୍ୟବହାର କରାଯାଏ ନାହିଁ । ବାହ୍ୟ ଚାକଚକ୍ୟ ନୁହେଁ ବରଂ ଏଠାରେ କେବଳ ନିଷ୍ଠାର ସହ ପୂଜାର୍ଚ୍ଚନାକୁ ହିଁ ପ୍ରାଧାନ୍ୟ ଦିଆଯାଇଥାଏ । ଏହା ବ୍ୟତିତ ମଣ୍ଡପରେ ପୂଜା ପାଉଥିବା ମା’ଙ୍କ ପ୍ରତ୍ୟକ୍ଷ ଦେବୀ ଭାବେ ବିବେଚନା କରନ୍ତି ସ୍ଥାନୀୟ ଲୋକେ । ବିନୋଦ-ବିହାରୀ ବାଲୁବଜାର ପୂଜା ମଣ୍ଡପ ହେଉଛି କଟକର ଏକ ମାତ୍ର ପୂଜା ମଣ୍ଡପ ଯେଉଁ ଠାରେ ମୂର୍ତ୍ତି ତଆରି ଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଗୋଟିଏ ପରିବାରର ଲୋକଙ୍କ ଦ୍ବାରା ହିଁ କରାଯାଇଥାଏ । କଟକ ସହରର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ଅନୁଷ୍ଠିତ ହୁଏ । କିନ୍ତୁ ବିନୋଦ-ବିହାରୀ ବାଲୁବଜାର ପୂଜା ମଣ୍ଡପ ଅନ୍ୟ ପୂଜା ମଣ୍ଡପ ଠାରୁ ଯେତିକି ନିଆରା ସେତିକି ଭିନ୍ନ ମଧ୍ୟ । କାରଣ ଏହି ପୂଜା ମଣ୍ଡପ ସହିତ ଜଡିତ ରହିଛି ଅନେକ ଅଲୌକିକ କଥାବସ୍ତୁ । ମା’ଙ୍କ ଆବାହନୀ ନିଶାର୍ଦ୍ଧରେ କରାଯାଇଥାଏ । ଆଉ ଏହି ସମୟରେ କେବଳ ଜଣେ ମାତ୍ର ପୂଜକ ମା’ଙ୍କ ଚକ୍ଷୁଦାନ ନୀତି ସମ୍ପର୍ଣ୍ଣ କରିଥାନ୍ତି । ସେହି ସମୟରେ ମଣ୍ଡପ ଏବଂ ଏହାର ଚର୍ତୁପାଶ୍ବରେ ଏକ ଅଦ୍ଭୂତ ବାତାବରଣ ସୃଷ୍ଟି ହୁଏ । ଦୃଶ୍ୟମାନ ହୁଏ ଏକ ରହସ୍ୟମୟ ଛାଇ ଏବଂ ଶୁଭେ ପାଉଁଜିର ରୁଣୁଝୁଣ ଶବ୍ଦ । କେବଳ ସେତିକି ନୁହେଁ ମା’ଙ୍କୁ ଘଟ ମଧ୍ୟରେ ସ୍ଥାପିତ ହେବା ଲାଗି ମନ୍ତ୍ର ଉଚ୍ଚାରଣ କରି ଆବାହନ କରୁଥିବା ସମୟରେ ନିଜେ ପୂଜକ ମଧ୍ୟ ଶିହରି ଉଠିଥାନ୍ତି । ପ୍ରତିବର୍ଷ ପୂଜା ସମୟରେ ଏହି ଭଳି ଅଲୌକିତାକୁ ଅନୁଭବ କରି ଆସୁଥିବା କହିଛନ୍ତି ମା’ଙ୍କ ପୂଜକ ଲୋକନାଥ ବାନାର୍ଜୀ । କେବଳ ସେତିକି ନୁହେଁ ବରଂ କଟକ ସହରରେ ପୂଜା ପାଉଥିବା ସମସ୍ତ ପୂଜା ମଣ୍ଡପ ମଧ୍ୟରେ ବିନୋଦ ବିହାରୀ ବାଲୁବଜାର ପୂଜାମଣ୍ଡପକୁ ବଡ ଭଉଣୀର ଆକ୍ଷା ଦିଆଯାଇଛି । ୫ ଶହ ବର୍ଷ ବିତି ଗଲାଣି କିନ୍ତୁ ବିନୋଦ ବିହାରି ମଣ୍ଡପରେ ପୂଜା ବିଦ୍ଧି ସେତେବେଳେ ଯାହା ଥିଲା, ଆଜି ବି ତାହା ହିଁ ରହିଛି ବୋଲି ପୂଜା କମିଟି କର୍ମକର୍ତ୍ତା କହିଛନ୍ତି । ପୂଜକ କାଳୀ ପ୍ରସାଦ ବାନାର୍ଜୀ କହିଛନ୍ତି, “ବାପା, ଜେଜେବାପା ଅମଳରୁ ପିଢ଼ି ପରେ ପିଢି ପାରମ୍ପରାକୁ ଗତାନୁଗତିକ ଭାବରେ ଆମେ ବଜାୟ ରଖିଛୁ । ବିଶେଷ କରି ବଙ୍ଗୀୟ ପୂଜା ପଦ୍ଧତି ହେଉ ବା ସମୟ ନିର୍ଘଣ୍ଟ ଗୁପ୍ତ ପଞ୍ଜିକା ଅନୁଯାୟୀ କରାଯାଏ । ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଥିବା ବିଧି କାଳିକା ପୂରାଣ ଦୁର୍ଗାପୂଜା ପଦ୍ଧତିରେ କରାଯାଏ । ପୂର୍ବରୁ ଯେଉଁ ଶୈଳୀ, କେଉଁ ଗଠନରେ ମା’ଙ୍କ ମୂର୍ତ୍ତି ନିର୍ମାଣ କରାଯାଉଥିଲା ଆଜି ତାହା ସେମିତି ରହିଛି ।” କଟକରେ ଦଶହରା ପାଇଁ ପ୍ରଥମେ ମୂଳଦୁଆ ଏହି ଠାରେ ହିଁ ପଡିଥିଲା । ନଦିଆ ନବଦ୍ୱିପରୁ ଆସିଥିବା ବାନାର୍ଜୀ ପରିବାର ଏହି ପୀଠରେ ୧୫୦୮ ମସିହାରେ ଘଟପୂଜା ପରେ ୧୫୧୪ ମସିହାରେ ମୃଣ୍ମୟୀ ମୃର୍ତ୍ତୀରେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ । ଦୀର୍ଘ ୫୦୯ ବର୍ଷ ଧରି ଏଠାରେ ପୂଜା ଆୟୋଜନ କରାଯାଉଛି । ୨୦୦୨ ମସିହାରୁ ଏହି ମଣ୍ଡପରେ ଚାନ୍ଦି ମେଢ଼ ଆରମ୍ଭ କରାଯାଇଥିଲା । ପ୍ରାୟ ସାଢ଼େ ୩ କୁଇଣ୍ଟାଲ ଚାନ୍ଦିରେ ଏହି ମେଢ଼ ପ୍ରସ୍ତୁତ କରାଯାଇଛି । ତେବେ ଅଷ୍ଟମୀ ପୂଜାରେ ଏହି ମଣ୍ଡପରେ ହଜାର ହଜାର ବ୍ରତଧାରୀଙ୍କ ଭିଡ଼ ଜମିଥାଏ । ଏନେଇ ବାଲୁବଜାର ପୂଜା କମିଟି ସଭାପତି ପୃଥ୍ବୀରାଜ ସାହୁ କହିଛନ୍ତି, “୧୫୦୮ ମସିହାରେ ଏଠାରେ ଘଟ ସ୍ଥାପନ କରାଯାଇଥିଲା । ୧୫୦୯ ମସିହାରୁ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା ଆରମ୍ଭ ହୋଇଥିଲା । ଶ୍ରୀ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ଧାମକୁ ଯାତ୍ରା କରିବା ସମୟରେ ଶରତ ଋତୁ ହୋଇଥିଲା । ସେ ବିନୋଦବିହାରୀ ମଠରେ ରହିଥିଲେ । ସେ ଏଠାରୁ ଯିବା ପୂର୍ବରୁ ତାଙ୍କ ସହ ଆସିଥିବା ବ୍ରହ୍ମଣ ବାନାର୍ଜୀ ପରିବାରକୁ ଘଟ ପୂଜା ଓ ମୂର୍ତ୍ତି ଗଢ଼ିବାର ଜିମା ଦେଇଯାଇଥିଲେ । ପର୍ଯ୍ୟାୟକ୍ରମେ ଆଜି ପର୍ଯ୍ୟନ୍ତ ସେହି ବାନାର୍ଜୀ ପରିବାର ମୂର୍ତ୍ତି ନିର୍ମାଣ ସହ ପୂଜା କରନ୍ତି । ଏଠାରେ କୌଣସି ବାହାର ବ୍ରାହ୍ମଣ ଆସି ପୂଜା କରନ୍ତି ନାହିଁ । ଏଠାରେ ପୂଜା ନୀତିକାନ୍ତି ଓ ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବରେ ପ୍ରାଧାନ୍ୟ ଦିଆଯାଏ ।” ଏହି ମଣ୍ଡପର ଆଉ ବିଶେଷତ୍ବ ହେଉଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ ରାସାୟନିକ ରଙ୍ଗ ବ୍ୟବହାର ହୁଏ ନାହିଁ । ପ୍ରାକୃତିକ ଭାବରେ ରଙ୍ଗ ପ୍ରସ୍ତୁତ କରି ମା’ଙ୍କ ରଙ୍ଗ କାର୍ଯ୍ୟ ହୋଇଥାଏ । ରଥଯାତ୍ରା ସମୟରୁ ରଙ୍ଗ ପାଇଁ ବିଭିନ୍ନ ପ୍ରାକୃତିକ ସାମଗ୍ରୀ ଗୁଡିକ ପ୍ରସ୍ତୁତ କରାଯାଇଥାଏ । ତେନ୍ତୁଳି ମଞ୍ଜି, ତେନ୍ତୁଳି ପାଉଡର, କଇଁଥ ଅଠା, ଶଙ୍ଖ ଗୁଣ୍ଡ, ମନ୍ଦାର, ହଳଦୀ ଆଦି ବିଭିନ୍ନ ପ୍ରକାର ପ୍ରାକୃତିକ ସାମଗ୍ରୀରୁ ରଙ୍ଗ ପ୍ରସ୍ତୁତ କରାଯାଏ । ପ୍ରଥମେ ଏହାକୁ ଶୁଖାଇ ଗୁଣ୍ଡ କରି ରଙ୍ଗ ପ୍ରସ୍ତୁତ କରାଯାଏ । ପରେ ମା’ଙ୍କୁ ରଙ୍ଗ କରିବାରେ ବ୍ୟବହାର କରାଯାଇଥାଏ । ସବୁଠାରୁ ବଡ଼ କଥା ହେଉଛି ଏହି ମଣ୍ଡପର ଯିଏ ମୂର୍ତ୍ତି କାରିଗର ସେ ପୂଜକ ବଂଶାନୁ ଭାବରେ ଏମାନେ ମା’ଙ୍କ ମୂର୍ତ୍ତି ନିର୍ମାଣ ଆଉ ପୂଜା କରିଥାଆନ୍ତି ।


