୨ ବର୍ଷ ହେଲା ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି ୨ଝିଅ: ଚିନ୍ତାରେ ବାପା, ମା
ହାଟଡିହି (ବିକାଶ ବିଶ୍ବାଳ): ଦୁଇ ବର୍ଷ ହେଲା ଦାଦନ ଖଟିବାକୁ ଯାଇଛନ୍ତି। ସାଙ୍ଗରେ ଯାଇଥିବା ଅନ୍ୟମାନେ ଫେରିଆସିଲେ, ହେଲେ ଫେରିନାହାନ୍ତି ଙ୍କ ୨ଝିଅ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ବୃଦ୍ଧ ବାପା ଓ ମା । ବର୍ଷେ ହେଲା ଥାନାରେ ଅଭିଯୋଗ କରିଥିଲେବି ପୁଲିସ କୌଣସି ପଦକ୍ଷେପ ନେଇନି ବୋଲି ବାପା ମା’ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ସୋସୋ ଥାନା ଅଧିନସ୍ଥ ବାଲିବରେଇ ପଞ୍ଚାୟତ ବନ୍ଧ ସାହିରେ ଙ୍କ ପରିବାର। ୨ ବର୍ଷ ତଳେ ୨୦୨୩ମସିହାରେ ବାଲେଶ୍ଵରର ସଞ୍ଜିତ ମହାନ୍ତି ନାମକ ଜଣେ ଠିକାଦାର ମାସକୁ ୧୪ ହଜାର ଟଙ୍କା ପାରିଶ୍ରମିକ ଦେବ ବୋଲି କହି ବନ୍ଧସାହିର ପିତାମ୍ବର ହୋ ଏବଂ ସିମି ହୋଙ୍କ ଝିଅ ସଲମା ହୋ (୨୩), ସାର ହୋ (୨୫) ସେହି ସାହିର ମଣ୍ଟୁ ହୋ, ଜବା ହୋ, ମହୁଲଡିହା ଗ୍ରାମର ବିଜୟ ହୋ,ପଣସଡିହା ଗ୍ରାମର ନନ୍ଦିନି ହୋ ପ୍ରମୁଖ ୬ଜଣଙ୍କୁ ସୁଦୁର ଗୁଜୁରାଟ ନେଇଥିଲା। ସେଠାରେ ସେମାନେ ମରୁବି ଜିଲ୍ଲାରେ ଶିବଶକ୍ତି ଜଳକିଆ ନାମକ ଏକ ମାର୍ବଲ କମ୍ପାନୀରେ କିଛିମାସ କାମ କରିବା ପରେ ଉପଯୁକ୍ତ ପ୍ରାପ୍ୟ ନଦେବାରୁ ଓ ଅଭିଯୋଗକଲେ ମାଡ଼ ଦେବାର ଧମକ ଦେବାରୁ ଲୁଚି ଛପି ୪ଜଣ ପଳାଇ ଆସିଲେ। ଦୁଇଜଣ ରହିଗଲେ। ଯେତେଥର ଟେଲିଫୋନ କଲେ ଆସନ୍ତା ମାସ ଯିବେ ବୋଲି କହି ଚାଲୁଥିଲେ କମ୍ପାନୀ ପରିଚାଳକ । କିନ୍ତୁ ୫ ମାସ ହେବ ଆଉ ଫୋନବି କରାଇ ଦେଉନାହାନ୍ତି । ୨ ବର୍ଷ ହେଲା ପାରିଶ୍ରମିକ ମଧ୍ୟ ଦିଆଯାଇ ନଥିବା ବେଳେ କେବଳ ଖାଇବାକୁ ଓ ପିନ୍ଧିବାକୁ ନେଇ ଖଟାଉଥିବା ଅଭିଯୋଗ କରିଛନ୍ତି। ଏନେଇ ଗତ ବର୍ଷ ସୋସୋ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ନିଜର ଅକ୍ଷମତା ପ୍ରକାଶ କରିଥିଲା ବୋଲି କହିଛନ୍ତି ସିମି ହୋ । ବର୍ତ୍ତିମାନର ସରକାର ତାଙ୍କ ଦୁଇ ଝିଅଙ୍କୁ ଗୁଜୁରାଟରୁ ଉଦ୍ଧାର କରୁ ବୋଲି ସିମି ହୋ ଏବଂ ପିତାମ୍ବର ହୋ ନିବେଦନ କରିଛନ୍ତି।