ମାର୍ଚ୍ଚ ୧ କଟକରେ ପାଳନ ହେବ ଦହିବରା ଆଳୁଦମ୍ ଦିବସ

କଟକ, (ଓ୍ବାଇଏନଏସ) : କଟକ ଦହିବରା ଆଳୁଦମ୍‌ର ମହକ ସାରା ବିଶ୍ୱରେ ପହଞ୍ଚିସାରିଲାଣି । କିନ୍ତୁ ଏହାକୁ ସ୍ୱତନ୍ତ୍ର ଭାରତୀୟ ଖାଦ୍ୟ ଭାବେ ଜିଆଇ (ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌) ମାନ୍ୟତା ମିଳିନାହିଁ । ଏ ଦିଗରେ ୨୦୨୫ ବର୍ଷ ଶେଷ ସୁଦ୍ଧା କୌଣସି ଉଦ୍ୟମ ନଥିଲା । କିନ୍ତୁ ଚଳିତବର୍ଷ ଆରମ୍ଭରୁ ଦହିବରା ଆଳୁଦମ୍‌କୁ ଜି.ଆଇ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆସନ୍ତା ମାର୍ଚ୍ଚ ୧ ତାରିଖରେ ଦହିବରା ଆଳୁଦମ ଦିବସ ପାଳନ କରାଯାଉଥିବାବେଳେ ଜିଲ୍ଲା ପ୍ରଶାସନର ସହଯୋଗରେ କଟକ ଦହିବରା ଆଳୁଦମ୍‌ ବ୍ୟବସାୟୀ ସଂଘ ବାରମ୍ବାର ବୈଠକ କରି ଜିଆଇ ମାନ୍ୟତା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସେଥିପାଇଁ ଚେନ୍ନାଇରୁ ଫର୍ମ ପାଇଁ ଆବେଦନ କରାଯାଇଛି । ଇତିମଧ୍ୟରେ ମାନ୍ୟତା ପାଇଁ ଆବଶ୍ୟକ ଦସ୍ତାବିଜ୍‌ ପ୍ରସ୍ତୁତି ବି ଆରମ୍ଭ ହୋଇଛି । ଏକ କନ୍‌ସଲ୍‌ଟାନ୍ସି ସଂସ୍ଥାକୁ ସର୍ଭେ ଓ ତଥ୍ୟ ପ୍ରସ୍ତୁତ କରିବାକୁ ନିଯୁକ୍ତ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଇପ୍‌ସିତା ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି । ଆବେଦନ ପାଇଁ ଆବଶ୍ୟକୀୟ ସମସ୍ତ ଦସ୍ତାବିଜ ପ୍ରସ୍ତୁତ କରାଯାଇ ଦହିବରା ଆଳୁଦମ୍‌ ସଂଘ ମାର୍ଫତ୍‌ରେ ଜିଆଇ ମାନ୍ୟତା ପାଇଁ ଆବେଦନ ହେବ ବୋଲି ଜଣାପଡିଛି । ଜିଲ୍ଲା ପ୍ରଶାସନ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ଏ ଦିଗରେ ସମସ୍ତ ସହଯୋଗ ଯୋଗାଇଦେବ । ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା କଟକିଆଙ୍କର ଆବେଗ ଓ ସାଂସ୍କୃତିକ ପରିଚୟର ଅଂଶ । କଟକ ସହରରେ ବାର୍ଷିକ ୨୦କୋଟି ଟଙ୍କାର ଦହିବରା ଆଳୁଦମ୍‌ କାରବାର ହୁଏ । ଖାଦ୍ୟର ସ୍ୱତନ୍ତ୍ରତା ଦୃଷ୍ଟିରୁ ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ତାଲିକାରେ ଏହା ଉପରେ ରହିଛି । ବିଡ଼ାନାସୀ ଚୁଲି ମୁଣ୍ଡରୁ ବାହାରି ଦୁବାଇ ପର୍ଯ୍ୟନ୍ତ ମହକ ଖେଳାଇଥିବା କଟକ ଦହିବରା ଦିନକୁ ଦିନ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଯଦିଓ ଏବେ ସାରା ଓଡ଼ିଶାରେ ଦହିବରା ଆଳୁଦମ୍‌ର ପ୍ରଚଳନ ଦେଖିବାକୁ ମିଳିଛି, କିନ୍ତୁ ଅସଲ ଦହିବରା ଖାଇବାକୁ ସମସ୍ତେ କଟକ ମୁହାଁ ହୁଅନ୍ତି । ଯେତେବେଳେ ଯେଉଁ କାମରେ କଟକ ଆସୁଥିବା ଯେ କୌଣସି ଲୋକଙ୍କ ମନ ଟାଣିଥାଏ କଟକ ଦହିବରା ଟିକିଏ ଖାଇବାକୁ । ଦହିବରା ପସନ୍ଦ ଲୋକଙ୍କ ମୁହଁରେ ନିର୍ଦ୍ଦିଷ୍ଟ କିଛି ବ୍ୟବସାୟୀଙ୍କ ନାଁ ବି ମନକୁ ବାହାରିଆସେ । ଲୋକଙ୍କ ଗାଡ଼ି ବି ସେହି ବ୍ୟବସାୟୀଙ୍କ ଠେଲା ପାଖରେ ଲାଗିଯାଏ । ବିଶ୍ୱଦରବାରରେ ଦହିବରା ଆଳୁଦମ୍‌ କଟକର ‘ବ୍ରାଣ୍ଡ୍‌’ ଭାବେ ପରିଚିତ ହୋଇଛି । କିନ୍ତୁ ଜିଆଇ ମାନ୍ୟତା ଦିଗରେ କଟକ ଦହିବରା ଆଳୁଦମ୍‌ ବହୁତ ପଛରେ ପଡିଯାଇଛି । ଗୁରୁତ୍ୱପୂର୍ଣ୍ଣ ହେଉଛି, କୌଣସି ଉତ୍ପାଦ, ସାମଗ୍ରୀ କିମ୍ବା ଖାଦ୍ୟ ପାଇଁ ସରକାର ବା ପ୍ରଶାସନ ଜିଆଇ ଆବେଦନ କରିପାରିବନାହିଁ । ଏଥିପାଇଁ ଏହି ଉତ୍ପାଦ ସହ ଜଡ଼ିତ କୌଣସି ସଂଘ, ଅନୁଷ୍ଠାନ ଆବେଦନ କରିବାକୁ ହେବ । ସେଥିପାଇଁ ନବଗଠିତ କଟକ ଦହିବରା ଆଳୁଦମ୍‌ ବ୍ୟବସାୟୀ ସଂଘ ସହ ପ୍ରଶାସନ ଆଲୋଚନା କରିଥିଲା । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଏଡିଏମ୍‌ ଇପ୍‌ସିତା ପ୍ରିୟଦର୍ଶିନୀଙ୍କ ଉପସ୍ଥିତି ବାରମ୍ବାର ବୈଠକ ବସି ଜିଆଇ ମାନ୍ୟତା ଦିଗରେ ଆଗକୁ ବଢିବାକୁ ନିଷ୍ପତ୍ତି ହୋଇଥିଲା । ଏହି କ୍ରମରେ ଚେନ୍ନାଇରୁ ଫର୍ମ ମଗାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଦ୍ୱିତୀୟ ବର୍ଷ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦହିବରା ଆଳୁଦମ ଦିବସ ପାଳନ କରାଯାଉଛି । ବାଲିଯାତ୍ରା ତଳପଡିଆ ସ୍ଥିତ କଟକ ଇନ୍‌ କଟକରେ ରବିବାର ଏଥିପାଇଁ ସ୍ୱତନ୍ତ୍ର ଉତ୍ସବ ପାଳନ କରାଯିବ । କାର୍ଯ୍ୟକ୍ରମରେ କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀମାନେ ଅଂଶଗ୍ରହଣ କରିବେ । ଏହାଦ୍ୱାରା ସହରର ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି । ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ସେଲ୍‌ଫି ଜୋନ୍‌ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସୂଚନାଯୋଗ୍ୟ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ୍‌ ମଧ୍ୟ ବିଧାନସଭାରେ କଟକ ଦହିବରା ଆଳୁଦମ୍‌କୁ ଜିଆଇ ମାନ୍ୟତା ପାଇଁ ଦାବି କରିଥିଲେ । ପ୍ରସିଦ୍ଧ ମାଷ୍ଟର୍‌ସେଫ୍‌ ତଥା ଜାତୀୟ ସ୍ତରରେ ଚର୍ଚ୍ଚିତ ବିକାଶ ଖାନ୍ନା ମଧ୍ୟ ଦହିବରା ଆଳୁଦମ୍‌କୁ ପ୍ରଶଂସା କରି ଭିଡ଼ିଓ ଜାରି କରିଥିଲେ । ବାଲିଯାତ୍ରାରେ ମଧ୍ୟ ଦହିବରା ଆଳୁଦମ୍‌ ପାଇଁ ସ୍ୱତନ୍ତ୍ର ଗ୍ୟାଲେରୀ କରାଯାଇଥିଲା । ବର୍ଷ ଶେଷକୁ ଜାତୀୟ ସ୍ତରରେ ନିଜ ହାତତିଆରି ଦହିବରା ଆଳୁଦମ୍‌ ପାଇଁ ପୁରସ୍କୃତ ହୋଇଥିଲେ କଟକର ଲୋକପ୍ରିୟ ଦହିବରା ବ୍ୟବସାୟୀ ବାବୁଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ