ସୋଲାର ଲାଇଟ୍ ଅକାମୀ ଯୋଗୁଁ ଦାନ୍ତିଆମୁହାଁ ଛକ ଅନ୍ଧକାରମୟ
ବେତନଟୀ ( ପ୍ରତିଜ୍ଞା ନ୍ୟୁଜ ) ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧୀନ ଦାନ୍ତିଆମୁଁହାଁ ଛକ ଏକ ଗୁରୁତ୍ୱପୂର୍ଣ୍ଣ ଓ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ବେଶ୍ ଜଣାଶୁଣା। ରାସଗୋବିନ୍ଦପୁରରେ ଅବସ୍ଥିତ ପୁରାତନ ରାସଗୋବିନ୍ଦପୁର ବିମାନ ବନ୍ଦର, ଯାହାକୁ ଓଡ଼ିଶା ସରକାର ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ଯୋଜନା କରୁଛନ୍ତି। ଓ ରାସଗୋବିନ୍ଦପୁର, ମୋରଡା ବ୍ଲକକୁ ସଂଯୋଗ କରୁଥିବା ଏହି ଛକ ଉପରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଜୀବନଧାରା ଏହି ଛକ ଉପରେ ନିର୍ଭରଶୀଳ। କିନ୍ତୁ, ଏହି ଜନଗହଳିପୂର୍ଣ୍ଣ ଛକରେ ଦୀର୍ଘ ଦିନ ଧରି ସୋଲାର ଲାଇଟ୍ଗୁଡ଼ିକ ଅକାମୀ ହୋଇ ପଡ଼ିଥିବା ସତ୍ତ୍ୱେ, ମରାମତି କିମ୍ବା ନୂଆ ଲାଇଟ୍ ସ୍ଥାପନ ପାଇଁ କୌଣସି ଉଦ୍ୟମ ହେଉନାହିଁ। ଫଳରେ, ସ୍ଥାନୀୟ ବାସିନ୍ଦା ଓ ଗାଡ଼ି ଚାଳକମାନେ ଅନ୍ଧକାରରେ ଅସୁବିଧା ଓ ବିପଦର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ବାସିନ୍ଦା ଅର୍ଜୁନ ମହାନ୍ତ ଅଭିଯୋଗ କରି କହିଛନ୍ତି, “ମୁଁ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଆଇ)ଙ୍କୁ ଏ ସମ୍ପର୍କରେ ଜଣାଇଛି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ରାତିରେ ଅନ୍ଧକାର ହେବା ହେତୁ ଦୁର୍ଘଟଣାର ଆଶଙ୍କା ବଢ଼ୁଛି, ଆମେ ଅସୁରକ୍ଷିତ ଅନୁଭବ କରୁଛୁ।” ଏହି ଛକରେ ଆଲୋକର ଅଭାବ କେବଳ ସୁବିଧାରେ ବାଧା ସୃଷ୍ଟି କରୁନାହିଁ, ବରଂ ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଜୀବନହାନୀର ଆଶଙ୍କାକୁ ବଢ଼ାଉଛି। ସ୍ଥାନୀୟ ଲୋକେ ଦାବି କରୁଛନ୍ତି ଯେ, ତୁରନ୍ତ ସୋଲାର ଲାଇଟ୍ଗୁଡ଼ିକର ମରାମତି କିମ୍ବା ନୂଆ ଲାଇଟ୍ ସ୍ଥାପନ କରାଯାଉ, ଯାହା ଦ୍ୱାରା ଏହି ଛକ ପୁନଃ ସୁରକ୍ଷିତ ଓ ସୁବିଧାଜନକ ହୋଇପାରିବ। ଦାନ୍ତିଆମୁଁହାଁ ଛକରେ ସୋଲାର ଲାଇଟ୍ଗୁଡ଼ିକର ଦୁର୍ଦଶା ଏକ ଗମ୍ଭୀର ସମସ୍ୟା। ଏହା ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି ଏବଂ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି। ବିଭାଗୀୟ ଅଧିକାରୀ ଏବଂ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଅଗ୍ରାଧିକାର ଦେଇ ତୁରନ୍ତ ମରାମତି କିମ୍ବା ନୂଆ ଲାଇଟ୍ ସ୍ଥାପନ କରନ୍ତୁ। ଅବହେଳା ଜାରି ରହିଲେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିବା ସହ ବଡ଼ ଧରଣର ଦୁର୍ଘଟଣାର ଆଶଙ୍କା ରହିଛି। ଏହି ଗୁରୁତର ସମସ୍ୟାର ସମାଧାନ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।