ବନ୍ତ ଜଳ ସମ୍ପଦ ବିଭାଗ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଦାବୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବୈତରଣୀ ଜଳ ସମ୍ପଦ ଡିଭିଜନ ତଥା ଶାଳନିଆ ସବ୍ ଡିଭିଜନ ଅଧିନ ବନ୍ତ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ କୌଣସି ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ହୋଇନଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ପ୍ରକାଶ ଯେ, ବନ୍ତ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ ଦୁଇଟି ସେକ୍ସନ କାର୍ଯ୍ୟ କରୁଛି । ସେଥିମଧ୍ୟରେ ସେକ୍ସନ ୨ ଓ ସେକ୍ସନ ୩ ରହିଛି । ଦୁଇଟି ସେକ୍ସନରେ ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ରହିଛନ୍ତି । ସେକ୍ସନ ୨ ଅଧିନରେ ୧୮ଟି କେନାଲ ରହିଥିବା ବେଳେ ୯ଟି ପାଣି ପଞ୍ଚାୟତ କାର୍ଯ୍ୟ କରୁଛି । ସେହିପରି ସେକ୍ସନ ୩ ଅଧିନରେ ୧୯ଟି କେନାଲ ରହିଥିବା ବେଳେ ୯ଟି ପାଣି ପଞ୍ଚାୟତ କାର୍ଯ୍ୟ କରୁଛି । ଏହି ଦୁଇଟି ସେକ୍ସନରେ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହେଉଛି । ଏପରିସ୍ଥଳେ ଏଠାରେ କୌଣସି ଡାଟା ଏଣ୍ଟ୍ରି ଅପରେଟର ନଥିବାରୁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ବର୍ତ୍ତମାନ ସମସ୍ତ ଅଫିସରେ ସମସ୍ତ ସରକାରୀ କାର୍ଯ୍ୟ ଗୁଡିକ କମ୍ପ୍ୟୁଟର ଓ ଅନଲାଇନ ମାଧ୍ୟମରେ କରାଯାଉଛି । ହେଲେ ଏଠାରେ ଡାଟା ଏଣ୍ଟ୍ରି ଅପରେଟର ନଥିବାରୁ ବିଭିନ୍ନ ସରକାରୀ ଯୋଜନା ଗୁଡିକ ସଠିକ୍ ସମୟରେ ସମ୍ପାଦିତ ହୋଇପାରୁନାହିଁ । ଅପରପକ୍ଷେ କେନ୍ଦୁଝର ଜିଲା ଅଧିନରେ ଡିଭିଜନ ଓ ସବ୍ ଡିଭିଜନ ରହିଥିବା ବେଳେ ଭଦ୍ରକ ଜିଲା ଅଧିନରେ ବନ୍ତ ଜଳ ସମ୍ପଦ ବିଭାଗର ଦୁଇଟି ସେକ୍ସନ ଅଫିସ ଉପରେ କାହାର ନଜର ପଡୁନଥିବା ଜଣାଯାଇଛି । ଫଳରେ ଦୁଇଟି ସେକ୍ସନରେ ସରକାରୀ କାର୍ଯ୍ୟ ଗୁଡିକରେ ବାଧା ସୃଷ୍ଟି ହେଉଛି । ରାଜ୍ୟ ସରକାର ତଥା ରାଜ୍ୟ ଜଳ ସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବନ୍ତ ଜଳ ସମ୍ପଦ ବିଭାଗ ଅଫିସରେ ଜଣେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି କରିବାକୁ ସାଧାରଣରେ ଦାବୀ ହୋଇଛି ।


