କେନ୍ଦୁଝର ଡିଏଫଓ ବାବୁଙ୍କର ୧୧୫ ପ୍ଲଟ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):- ଜଣେ ସରକାରୀ ବାବୁଙ୍କର ୧୧୫ଟି ପ୍ଲଟ୍ ଠାବ ହୋଇଛି। ଭିଜିଲାନ୍ସ ପକ୍ଷରୁ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍ଓଙ୍କର ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ରେ ୭ଟି ଠିକଣାରେ ଏହି ପ୍ଲଟ୍ଗୁଡ଼ିକ ଠାବ ହୋଇଛି। କୁବେର ବାବୁ ହେଲେ ଡି.ଏଫ୍.ଓ. ହେଲେ ନିତ୍ୟାନନ୍ଦ ନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ର ୭ଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି। ଚଢ଼ଉରେ ୩ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ଅଛନ୍ତି। ଶ୍ରୀ ନାୟକଙ୍କ ଠାରୁ ନଗଦ ୧ ଲକ୍ଷ ୧୯ ହଜାର ଟଙ୍କା, ୨ଟି ଚାରିଚକିଆ ବାହନ ଆଦି ଜବତ ହୋଇଛି। ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି ଯେ, କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍ ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କ ନାଁରେ ୫୩, ତାଙ୍କ ପତ୍ନୀଙ୍କ ନାଁରେ ୪୨ ପ୍ଲଟ୍ ଠାବ ହୋଇଛି। ସେହିପରି ତାଙ୍କର ୨ ପୁଅଙ୍କ ନାଁରେ ୧୬ ପ୍ଲଟ୍ ଓ ଝିଅ ନାଁରେ ୪ ପ୍ଲଟ୍ ଠାବ ହୋଇଛି। ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ୪ ମହଲା କୋଠା, ୧ ଲକ୍ଷ ୧୯ ହଜାର ଟଙ୍କା ଠାବ କରାଯାଇଛି। ସୂଚନାଯୋଗ୍ୟ, ନିତ୍ୟାନନ୍ଦ ନାୟକ ୧୯୯୨ ଅପ୍ରେଲ ୫ ତାରିଖରେ ଫରେଷ୍ଟ ରେଞ୍ଜର ଭାବେ ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲେ। ଅନୁଗୁଳସ୍ଥିତ ଏଫ୍ଆରସିରେ ତାଲିମ ଶେଷ କରି ସୁନ୍ଦରଗଡ଼ ଫରେଷ୍ଟ ଡିଭିଜନ ଅଧୀନ ହେମଗିରି ରେଞ୍ଜରେ ରେଞ୍ଜ ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିଲେ। ଏହା ପରେ ସେ ୧୯୯୨ ଅକ୍ଟୋବର ୧୫ରୁ ୨୦୧୫ ମେ ୨୭ ପର୍ଯ୍ୟନ୍ତ ଫରେଷ୍ଟ ରେଞ୍ଜର ଭାବେ ସମ୍ବଲପୁର, ଢେଙ୍କାନାଳ, ସୁବର୍ଣ୍ଣପୁର ଓ ନୂଆପଡ଼ା ଜିଲ୍ଲାର ଭିନ୍ନଭିନ୍ନ ରେଞ୍ଜରେ କାମ କରିଥିଲେ। ସେ ଓଡ଼ିଶା ବନ୍ୟ ସେବା (ଓଏଫ୍ଏସ୍)କୁ ପଦୋନ୍ନତି ପାଇ ୨୦୧୫ ମେ ୨୭ରେ ଖରିଆର ଡିଭିଜନର ଏସିଏଫ୍ ହୋଇଥିଲେ। ୨୦୧୭ ସେପ୍ଟେମ୍ବର ୬ରୁ ୨୦୨୨ ଅଗଷ୍ଟ ୩୦ ଯାଏଁ ରାୟଗଡ଼ା ଫରେଷ୍ଟ ଡିଭିଜନର ଏସିଏଫ୍ ଥିଲେ। ଏହା ପରେ ୨୦୨୨ ସେପ୍ଟେମ୍ବର ୭ରେ ପଦୋନ୍ନତି ପାଇଁ ଅତିରିକ୍ତ ବନ୍ୟ ସଂରକ୍ଷକ ହୋଇଥିଲେ। ଭୁବନେଶ୍ବର ପିସିସିଏଫ (ବନ୍ୟପ୍ରାଣୀ) କାର୍ଯ୍ୟାଳୟରେ ୨୦୨୨ ଅଗଷ୍ଟ ୩୧ରେ ଯୋଗ ଦେଇଥିଲେ। ଏହା ପରେ ସେ ପୁଣି ଥରେ ୨୦୨୪ ଜାନୁଆରି ୨୪ ତାରିଖରେ ପଦୋନ୍ନତି ପାଇଁ କେନ୍ଦୁଝର କେନ୍ଦୁପତ୍ର ଡିଭିଜନରେ ଡିଏଫ୍ଓ ହୋଇଥିଲେ।


