ସାଇକେଲରେ ଭାରତ ଭ୍ରମଣ ଲକ୍ଷ୍ୟରେ ବାହାରିଥିବା ଦୀପକଙ୍କୁ ଆସିକାରେ ସମ୍ବର୍ଦ୍ଧନା

ଆସିକା (ୱାଇଏନ୍‍ଏସ୍‍): ନାରୀ ନିର୍ଯ୍ୟାତନାକୁ ରୋକିବା ଏବଂ ଗଣଦୁଷ୍କର୍ମକୁ ବନ୍ଦ କରିବା ଓ ହତ୍ୟା ଠାରୁ ଦୂରେଇ ରହିବା ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନ ସୃଷ୍ଟି କରିବା ଲାଗି ସାଇକେଲରେ ଭାରତ ଭ୍ରମଣ ଲକ୍ଷ୍ୟରେ ବାହାରିଥିବା ଦୀପକ କୁମାର ଗୌଡଙ୍କୁ ମଙ୍ଗଳବାର ଅପରାହ୍ନରେ ଆସିକା ବିଜୁ ପଟ୍ଟନାୟକ ଛକ ନିକଟରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା । ଶେରଗଡ ବ୍ଳକ ଅନ୍ତର୍ଗତ କୁମାରପାଣି ଗ୍ରାମ ପଂଚାୟତର ବାରସିଙ୍ଗି ଗ୍ରାମର ସୁନିଲ୍‍ ଗୌଡ ଓ ବନିତା ଗୌଡଙ୍କ ସୁପୁତ୍ର ଦୀପକ କୁମାର ଗୌଡ ପିଲାଟି ଦିନରୁ ସମାଜସେବା, ସଚେତନତା କାର୍ଯ୍ୟକ୍ରମରେ ସାମିଲ୍‍ ହୋଇ ବିଭିନ୍ନ ଅଞ୍ଚଳକୁ ଯାତ୍ରା କରିବା ଓ ପରୋପକାର ପ୍ରତି ବିଶେଷ ରୁଚି ରଖିଥିବା ଜଣାପଡିଛି । ପିଲାଟି ବେଳରୁ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଜନସଚେତନତା ସୃଷ୍ଟି ପାଇଁ ସାରା ଭାରତ ସାଇକେଲରେ ବୁଲିବାର ଯେଉଁ ସ୍ୱପ୍ନ ଦେଖୁଥିଲେ ତାକୁ ସାକାର କରିବା ପାଇଁ ବାହାରିଥିବା ଦୀପକ କୁମାର ଗୌଡଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯିବା ସହ ତାଙ୍କର ଏହି ମହତ୍‍ ଉଦ୍ଦେଶ୍ୟ ଓ ସାହସିକତାକୁ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ସାଇକେଲରେ ଭାରତ ଭ୍ରମଣ ଲକ୍ଷ୍ୟରେ ବାହାରିଥିବା ଦୀପକ କୁମାର ଗୌଡ ମଙ୍ଗଳବାର ଅପରାହ୍ନରେ ଆସିକା ବିଜୁ ପଟ୍ଟନାୟକ ଛକରେ ପହଞ୍ଚିବା ପରେ ତାଙ୍କୁ ସମାଜସେବୀ ବି.ମନୋଜ କୁମାର ଦୋରା, ଦିଲୀପ କୁମାର ପାଣିଗ୍ରାହୀ, ଜୟସେନ ସ୍ୱାଇଁ, ରବିନ୍ଦ୍ରନାଥ ସାହୁ, ପ୍ରତାପ ଚନ୍ଦ୍ର ପ୍ରଧାନ, ବିମଳ ଚନ୍ଦ୍ର ପ୍ରଧାନ, କାହ୍ନୁଚରଣ ଦଳେଇ, ଜିତେନ୍ଦ୍ର କୁମାର ମହାରଣା, ନିଗମାନନ୍ଦ ରାଉତ, କେ.ରବିନ୍‍ କୁମାର ପାତ୍ର, ଟୁକୁନା ନାହାକ, ଶ୍ୱେତବସନ୍ତ ଲେଙ୍କା, ସାଗର ପାତ୍ର, ସନ୍ତୋଷ କୁମାର ନାହାକ, ଗୁଣ୍ଡିଚା ମହାରଣା, ଏ.ବ୍ରହ୍ମାନନ୍ଦ ଆଚାରୀଙ୍କ ସମେତ ଶତାଧୀକ ଯୁବପିଢୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସାଙ୍ଗକୁ ତାଙ୍କର ଭାରତ ଭ୍ରମଣ ସାଇକେଲ ଯାତ୍ରା ଶୁଭମୟ ହେଉ ବୋଲି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଗତ ଡିସେମ୍ବର ମାସ ୩ ତାରିଖରୁ ଜୁନ୍‍ ମାସ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ୱ ଦିନ ଧରି ସାଇକେଲ୍‍ ମ୍ୟାନ୍‍ ରୂପେ ପରିଚିତ ଥିବା ଦୀପକ କୁମାର ଗୌଡ ବେଟି ବଚାଓ, ବେଟି ପଢାଓ ନାରା ଦେଇ ଭାରତବର୍ଷର ୪ଟି ଧାମ, ଜଗନ୍ନାଥ, ରାମେଶ୍ୱର, ବଦ୍ରିନାଥ, ଦ୍ୱାରିକା ଓ ୧୨ଟି ଜ୍ୟୋର୍ତିଲିଙ୍ଗ ମାଲ୍ଲିକାର୍ଜନ, ରାମେଶ୍ୱର, ତ୍ରୟମ୍ବକେଶ୍ୱର, ଭୀମାଶଙ୍କର, ଘିଷ୍ନେଶ୍ୱର, ସୋମନାଥ, ଦାମେଶ୍ୱର, ଓମ୍‍କାରେଶ୍ୱର, କେଦାରନାଥ, କାଶୀବିଶ୍ୱନାଥ, ବୈଦ୍ୟନାଥ ଇତ୍ୟାଦି ଅଞ୍ଚଳ ସାଇକେଲରେ ପରିକ୍ରମା ଫେରିଥିଲେ । ବର୍ତ୍ତମାନ ପୁଣି ସେ ଏହି ସଚେତନତା କାର୍ଯ୍ୟକ୍ରମରେ ଆସିକା ବ୍ଳକ ଅନ୍ତର୍ଗତ ବାଲିସିରା ଗ୍ରାମ ନିକଟରୁ ଗତ ୨୯ ତାରିଖରେ ଭାରତ ଭ୍ରମଣ ଲକ୍ଷ୍ୟରେ ସାଇକେଲରେ ବାହାରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ପରେ ମଙ୍ଗଳବାର ଅପରାହ୍ନରେ ଆସିକା ବିଜୁ ପଟ୍ଟନାୟକ ଛକରେ ପହଞ୍ଚିବା କ୍ଷଣି ବିଭିନ୍ନ ସଂଗଠନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆସିକା ପାଇଁ ଗର୍ବ ଓ ଗୌରବ ଆଣିବା ଲକ୍ଷ୍ୟରେ ସାଇକେଲରେ ଭାରତ ଭ୍ରମଣରେ ବାହାରିଥିବା ଉଦୀୟମାନ୍‍ ଯୁବକ ଦୀପକ କୁମାର ଗୌଡଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା, ଅଭିନନ୍ଦନ ଜ୍ଞାପନ କରାଯିବା ସାଙ୍ଗକୁ ତାଙ୍କର ଯାତ୍ରା ସୁଖମୟ ଓ ଶୁଭମୟ ହେଉ ବୋଲି ପ୍ରାର୍ଥନା କରାଯାଉଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ