ଧାନ ମଣ୍ଡି ଖୋଲିବାରେ ବିଳମ୍ବ; ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଂଚଳରେ ବର୍ତମାନ ସମସ୍ତ ଖରିଫ ଧାନ ପାଚି ଯାଇଥିବା ବେଳେ ଚାଷୀମାନେ ଧାନ ଅମଳ କରୁଛନ୍ତି। ଚଳିତ ବର୍ଷ ଧାନ ଫସଲ ଭଲ ହୋଇଥିବାରୁ ଚାଷୀମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ବାହାର ରାଜ୍ୟରୁ ଆସିଥିବା ଧାନ ଅମଳ ମେସିନ ସାହାର୍ଯ୍ୟରେ ଧାନ ଅମଳ କରୁଥିବା ଦେଖାଯାଇଛି। ଧାନ ଅମଳ ମେସିନ ଘଂଟା ପିଛା ପ୍ରାୟ ୨ହଜାର ୫ ଶହରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ନେଉଥିବା ବେଳେ ଜମିରୁ ଘରକୁ ଧାନ ବୋହିବା ପାଇଁ ଟ୍ରାକ୍ଟର ଯୋଗେ ୫ଶହ ଟଙ୍କା ଭଡା ଦେଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଚାଷୀମାନେ କହିଛନ୍ତି। କିଛି ଚାଷୀ ନିଜର ଘର ଛପର ଓ ଗାଈ ଗୋରୁଙ୍କ ପାଇଁ ବିଚିଲ ନଡା ଆବଶ୍ୟକ ଥିବାରୁ ମୁଲିଆ ସାହାର୍ଯ୍ୟରେ ଧାନ କାଟୁଥିବା ଦେଖାଯାଇଛି। ମଣ୍ଡିରେ ବିକ୍ରି କରିବାକୁ ଥିବା ଚାଷୀମାନେ ମେସିନ୍ ଅମଳ ଧାନକୁ ନିଜ ଘର ଅଗଣା ଓ ଛାତରେ ଶୁଖାଇ ଅଖାରେ ପୁରାଇ ରଖିଥିବା ବେଳେ ଡିସେମ୍ବର ମାସ ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ମଣ୍ଡି ଖୋଲିବାର ନାଁ ଧରୁନି। ସରକାରୀ ମଣ୍ଡି ଖୋଲିବା ବିଳମ୍ବ ହେଉଥିବା ଦେଖି ଅନେକ କ୍ଷୁଦ୍ର ଓ ଭାଗ ଚାଷୀ ମେସିନ୍ ଭଡା ଦେବା ପାଇଁ ବାଧ୍ୟ ହୋଇ ଖୁଚୁରା ଧାନ ବେପାରୀଙ୍କୁ କୁଇଂଟାଲ ପିଛା ୧୭ଶହରୁ ୧୮ଶହ ଟଙ୍କାରେ ଧାନ ବିକି ଅଭାବୀ ବିକ୍ରିର ଶିକାର ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟରେ ବାହାର ରାଜ୍ୟର ବେପାରୀମାନେ ସ୍ଥାନୀୟ ଖୁଚୁରା ବେପାରୀଙ୍କୁ ଠାରୁ ଧାନ ସଂଗ୍ରହ କରି ନେଉଥିବା ଅଭିଯୋଗ ହେଉଛି। କେବେ ଧାନମଣ୍ଡି ଖୋଲାଯିବ ଏନେଇ ସ୍ଥାନୀୟ ସମବାୟ ସମିତି ପକ୍ଷରୁ କୌଣସି ସୂଚନା ମିଳୁ ନାହିଁ। ଯାହାଫଳରେ ଚଳିତ ବର୍ଷ ଧାନ ମଣ୍ଡି ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି। ସୂଚନା ଅନୁସାରେ ନାଉଗାଁ ବ୍ଲକରେ ଥିବା ୫ଟି ସେବା ସମବାୟ ସମିତି ଓ ଗୋଟିଏ ସ୍ୱୟଂ ସହାୟୀକା ଦଳ ନିକଟରେ ଧାନ ଦେବା ପାଇଁ ଚାଷୀ ନାମ ପଂଜିକରଣ କରିଛନ୍ତି। ଏଥିରେ ନାଉଗାଁ ସେବା ସମବାୟ ସମିତିରେ ଅନଲାଇନ ମାଧ୍ୟମରେ ୪୬୮ଜଣ ଚାଷୀ ଧାନ ଦେବା ପାଇଁ ନାମ ପଂଜୀକୃତ ହୋଇଥିବା ବେଳେ ତିରୁଣା ସେବା ସମବାୟ ସମିତିରେ ୫୮୭ଜଣ, ଡେରିକି ୬୩୬ ଜଣ, ଗଜରାଜପୁର ୮୬୭ ଜଣ, ଶିଖର ୪୩୪ ଜଣ,ବାବା ନନ୍ଦମଣୀ ସ୍ୱୟଂ ସହାୟୀକା ଦଳ ନିକଟରେ ୨୭୪ଜଣଙ୍କୁ ମିଶାଇ ସମୁଦାୟ ୩ ହଜାର ୨୬୬ଜଣ ଚାଷୀ ଧାନ ଦେବା ପାଇଁ ନାମ ପଂଜୀକରଣ କରିଥିବା ଜଣାଯାଇଛି। ଚୋରା ବେପାରୀଙ୍କ ଉପରେ କଟକଣା ଜାରି କରିବା ସହିତ ତ୍ୱରିତ ସରକାରୀ ଧାନ ମଣ୍ଡି ଖୋଲିବାକୁ ନାଉଗାଁ ବ୍ଲକ ଅଂଚଳର ଚାଷୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।


