ଖାଉଟି ସାମଗ୍ରୀ ବିତରଣକାରୀ ଦେଉଛନ୍ତି ଭୂଲ ତଥ୍ୟ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଖାଉଟି ସାମଗ୍ରୀକୁ ସୁଚାରୁ ରୂପେ ବଂଟନ କରିବା ପାଇଁ ୨୪ଟି ଖାଉଟି ବିତରକ କେନ୍ଦ୍ର ରହିଛି। କିନ୍ତୁ ଏହି କେନ୍ଦ୍ର ଗୁଡିକ ମଧ୍ୟରୁ ଅନେକ କେନ୍ଦ୍ରର ତଥ୍ୟ ଭୁଲ ପ୍ରଦାନ କରାଯାଇଥିବା ଜଣାଯାଇଛି। ସରକାରଙ୍କ ନିୟମାନୁସାରେ ବିତରକ କେନ୍ଦ୍ର ଗୁଡିକ ଖାଉଟି ସାମଗ୍ରୀ ବଂଟନ ପୂର୍ବରୁ ନିଜ କେନ୍ଦ୍ରର ଆବଶ୍ୟକୀୟ କାଗଜ ପତ୍ର ଯୋଗାଣ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ସଂଲଗ୍ନ କରାଯାଇଥିବା କାଗଜପତ୍ରକୁ ବିଭାଗ ପକ୍ଷରୁ ଯାଂଚ କରାଯିବ। ଯାଂଚ ପରେ ଉକ୍ତ ବିତରକକୁ ଖାଉଟି ସାମଗ୍ରୀ ବଂଟନ ପାଇଁ ଅନୁମତି ପ୍ରଦାନ କରାଯିବ। ବିତରକମାନେ ଯେଉଁ ସ୍ଥାନରେ ସାମଗ୍ରୀ ବଂଟନ କରିବେ ସେହି ସ୍ଥାନର ପଟ୍ଟାର ଖାତା ନମ୍ବର ଓ ପ୍ଳଟ ନମ୍ବର ଦେବା ବାଧ୍ୟତାମୂଳକ ଅଟେ। ଉକ୍ତ ପ୍ଳଟଟି ଖାଉଟି ସାମଗ୍ରୀ ବିତରକଙ୍କ ନାମରେ ଘରବାରୀ ପ୍ଳଟ ରହିଥିବା ଆବଶ୍ୟକ। କିନ୍ତୁ ଅନେକ ବିତରକ କେନ୍ଦ୍ରର ସଠିକ ପ୍ଳଟ ନମ୍ବର ଓ ଖାତା ନମ୍ବର ନଥିବା ଜଣାଯାଇଛି। ଏସଂକ୍ରାନ୍ତରେ ସାମାଜିକ କର୍ମୀ ନିରଞ୍ଜନ ସାହୁ ସୂଚନା ଅଧିକାରୀ ଆଇନ ବଳରେ ଉକ୍ତ କେନ୍ଦ୍ର ସଂପର୍କରେ କିଛି ତଥ୍ୟ ମାଗିଥିଲେ। ପଂଚାୟତ ସମିତି କାର୍ଯ୍ୟାଳୟର ପତ୍ର (ସଂଖ୍ୟା- ୧୩୨୩୫ ତା ୧୯ ଜୁଲାଇ ୨୦୨୫) ରେ ମିଳିଥିବା ତଥ୍ୟ ଅନୁସାରେ ଓଷକଣା ପଂଚାୟତରେ ଥିବା ଓଷକଣା ଡିଲର ନରେଶ ସ୍ୱାଇଁ ଖାତା ନମ୍ବର-୧୪୭ ଓ ପ୍ଳଟ ନଂ ୮୭୭, ଧୂଆଁପଦାର ହିରଣ୍ୟ ସ୍ୱାଇଁ ଖାତା ନମ୍ବର- ୪୬, ପ୍ଲଟ ନମ୍ବର- ୫୦୦,ଶୁଦ୍ଧକଂଠିର ପ୍ରଫୁଲ୍ଲ ପରିଡା ଖାତା ନମ୍ବର- ୧୭୧,ପ୍ଳଟ ନଂ ୭୧୮ ଆଦି ପ୍ରଦାନ କରାଯାଇଛି।ଉକ୍ତ ପ୍ଳଟ କିମ୍ବା ଖାତା ନମ୍ବରରେ କୌଣସି ତାଳମେଳ ନଥିବା ଜଣାଯାଇଛି। ତେବେ କିପରି ପ୍ଳଟ ନମ୍ବର ଓ ଖାତା ନମ୍ବର ତାଳମେଳ ନଥାଇ ବିତରକ ମାନଙ୍କୁ ଖାଉଟି ସାମଗ୍ରୀ ବଂଟନ ଦାୟିତ୍ୱ ପ୍ରଦାନ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସଂକ୍ରାନ୍ତରେ ବ୍ଳକ ଯୋଗାଣ ନରୀକ୍ଷକ ପ୍ରଦୀପ୍ତ ପ୍ରସନ୍ନ ନାୟକଙ୍କୁ ପଚାରିବାରେ ସେ ଏହି ବ୍ଲକରେ ଯୋଗ ଦେବା ପୂର୍ବରୁ ଉକ୍ତ ତଥ୍ୟ ପ୍ରଦାନ କରାଯାଇଛି। ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।