ମୋଟାବାଡି ଗ୍ରାମରେ ଶ୍ମଶାନ ସ୍ଥାନ ନିରୂପଣ ସହ ଶବ ଦାହ ଗୃହ ନିର୍ମାଣ ଦାବି
ବୁଗୁଡ଼ା, (ଅନୀଲ କୁମାର ମହାରଣା): ମନ୍ୟୁଷ୍ୟ ମୃତ୍ୟୁ ପରେ ଶବ ଦାହ କରିବା ପାଇଁ ଶ୍ମଶାନ ଭୂମିର ଆବଶ୍ୟକ ଅପରିହାର୍ଯ୍ୟ ଅଟେ। ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ମଶାନରେ ଦାହ କରିବା ସମୟରେ ବର୍ଷା ଓ ଖରା ଦାଉରୁ ରକ୍ଷା ପାଇବା ପାଇଁ ଶ୍ମଶାନରେ ଶବ ଦାହ ଗୃହ ମଧ୍ୟ ନିତାନ୍ତ ଆବଶ୍ୟକ। ଗଞ୍ଜାମ ଜିଲ୍ଲାର୍ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମୋଟାବାଡି ଗ୍ରାମରେ ଶ୍ମଶାନ ଓ ଶବ ଦାହ ଗୃହ ନଥିବା ଯୋଗୁଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ୧୯୫୭ ମସିହାରୁ ମୋଟାବାଡ଼ି ପଞ୍ଚାୟତର ହେଡ କ୍ବାର୍ଟର ହୋଇଥିଲେ ମଧ୍ୟ ଶ୍ମଶାନ ଓ ଶବ ଦାହ ଗୃହ ନଥିବା ବେଳେ ବର୍ଷା ଓ ଖରା ସମୟରେ ଖୋଲା ଆକାଶ ତଳେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଏଣେ ତେଣେ ଶବ ସତ୍କାର କରାଯାଉଛି। ସରକାର ପ୍ରତ୍ୟେକ ଗ୍ରାମକୁ ସରକାରୀ ଜମି ଓ ଆର୍ଥିକ ସହାୟତା ଯୋଗାଇ ଶ୍ମଶାନ ଓ ଶବ ଦାହ ଗୃହ ନିର୍ମାଣ କରୁଥିଲେ ମଧ୍ୟ ମୋଟାବାଡି ଗ୍ରାମରେ ତାହା ସମ୍ଭବ ହୋଇପାରିନାହିଁ। ରାଜନୈତିକ ଇଛାଶକ୍ତି ଅଭାବରୁ ବୁଗୁଡା ବ୍ଳକର ଅନ୍ୟତମ ବୃହତ୍ତମ ଗ୍ରାମ ମୋଟାବାଡିରେ ଶ୍ମଶାନ ଜମି ନଥିବା ସହ ଓ ଶବ ଦାହ ଗୃହ ନିର୍ମାଣ ହୋଇପାରୁନାହିଁ। ମୋଟାବାଡି ରାଜସ୍ୱ ସର୍କଲରେ ବହୁ ସରକାରୀ ଜମି ରହିଥିଲେ ସୁଦ୍ଧା ସର୍ବସାଧାରଣଙ୍କ ଅତ୍ୟନ୍ତ ଆବଶ୍ୟକ ଥିବା ଶ୍ମଶାନ ଓ ଶବ ଦାହ ଗୃହ ନିର୍ମାଣ ପାଇଁ କାହାର ଆନ୍ତରିକ ଉଦ୍ୟମ ନାହିଁ। ଏହି ଖବର ପ୍ରସାରଣ ପରେ ମୋଟାବାଡି ଗ୍ରାମରେ ଶ୍ମଶାନ ସ୍ଥାନ ନିରୂପଣ ସହ ଶବ ଦାହ ଗୃହ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି।