ବାଲିବରେଇ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକ ନିଯୁକ୍ତି ଦାବି
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବାଲିବରେଇ ହାଇସ୍କୁଲ ରେ ନୂତନ ପ୍ରଧାନଶିକ୍ଷକ ନିଯୁକ୍ତି ଦାବି କରିଛନ୍ତି ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି। ଏନେଇ ସେମାନେ ଜିଲ୍ଲା ଶିକ୍ଷା ଅଧିକାରୀ, ଶିକ୍ଷା ନିର୍ଦ୍ଦେଶକ ଓ କେନ୍ଦୁଝର ସାଂସଦ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସେମାନଙ୍କ ଅଭିଯୋଗ ଯେ ଏହି ବିଦ୍ୟାଳୟଟି ସର୍ବ ପୁରାତନ ଓ ସୁନାମଧନ୍ୟ ବିଦ୍ୟାଳୟ ଭାବେ ପରିଚିତ। କିନ୍ତୁ ଏଠାରେ କାର୍ଯ୍ୟ କରୁଥିବା ପ୍ରଧାନ ଶିକ୍ଷୟତ୍ରୀ ଏଠାରେ ଦୀର୍ଘବର୍ଷ ହେଲା ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ଯ କରୁଥିଲେ। ପରବର୍ତ୍ତୀ ସମୟରେ ସେ ପଦୋନ୍ନତି ପାଇ ଏଠାରେ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ବ ନିର୍ବାହ କରୁଛନ୍ତି। ସେ ଏସ ଏମ ସି କମିଟି ସଦସ୍ୟ ସଦସ୍ୟା ମାନଙ୍କ ଅଗୋଚରରେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ କରୁଛନ୍ତି। ଏପରିକି ପୁରୁଣା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅଣଦେଖା କରୁଛନ୍ତି। ମଧ୍ୟାହ୍ନ ଭୋଜନରେ ମଧ୍ଯ ବ୍ୟାପକ ଅବ୍ୟବସ୍ଥା ହେଉଛି। ସେ ଗଣିତ ବିଭାଗର ଶିକ୍ଷୟିତ୍ରୀ ଥିବାବେଳେ ଠିକ୍ ଭାବରେ ଏବେ ଶିକ୍ଷାଦାନ କରୁ ନାହାନ୍ତି ବୋଲି ପରିଚଳନ କମିଟିର ସଭାପତି ଉପେନ୍ଦ୍ର ଚକ୍ର, ହୃଦାନନ୍ଦ ଜେନା, ମଞ୍ଜୁଲତା ମହାନ୍ତି, ମମତା ମଞ୍ଜରୀ ରାଉତ, ପଞ୍ଚାନନ ମଲ୍ଲିକ, ଭଗିରଥ ମହାନ୍ତି, ହରେକୃଷ୍ଣ ଆୟଚ, ସୌମ୍ୟ ରଞ୍ଜନ ଜେନାଙ୍କ ସମେତ ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଇ ଜଣେ ଦକ୍ଷ ପ୍ରଧାନ ଶିକ୍ଷକ ଓ ଗଣିତ ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ପ୍ରଧାନ ଶିକ୍ଷୟତ୍ରୀ ଅପର୍ଣ୍ଣା ବେହେରା ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ବିରୁଦ୍ଧରେ କିଛି ଲୋକ ଏପରି ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି।


