ମୌଳିକ ସୁବିଧା ଯୋଗାଇ ଦେବା ଦାବି: କେ.ବାଲିପାଳ ପଞ୍ଚାୟତବାସୀଙ୍କ ପକ୍ଷରୁ ବିଧାନସଭା ସମ୍ମୁଖରେ ୨ୟ ଗଣ ବିକ୍ଷୋଭ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ କେ.ବାଲିପାଳ ପଞ୍ଚାୟତର କେ.ବାଲିପାଳ, ମଲ୍ଲୀପଶି, ସରମୁଣ୍ଡି, ମୟୁରନଚା , ଭଅଁରା ଓ ରାଇଘାଟି ଗ୍ରାମର ଗ୍ରାମବାସୀ ମାନେ ସ୍ବାଧୀନତାର ଦୀର୍ଘ ୭୯ ବର୍ଷ ବିତିଯାଇଥିଲେ ମଧ୍ୟ ସାଧାରଣତଃ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସ୍ଵତତ୍ର ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି , ହଦଗଡ଼ ଡ୍ଯାମ୍ ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ପୂର୍ବରୁ ଅର୍ଥାତ୍ ୧୯୬୫ ମସିହାରେ ଏହି ପଞ୍ଚାୟତର ୫ଟି ଗ୍ରାମର ତଳିଆ ଅଞ୍ଚଳ ଅର୍ଥାତ ବର୍ତ୍ତମାନର ସଂପୂର୍ଣ୍ଣ ଜଳମଗ୍ନ ଜାଗାରୁ ଲୋକଙ୍କୁ ଉଚ୍ଛେଦ କରାଯାଇଥିଲା । ଅଳ୍ପ କିଛି ପରିବାରଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି। ସମସ୍ତଙ୍କୁ ଉଚିତ୍ ସ୍ଥାନକୁ ଥଇଥାନ କରିବାର ପ୍ରତିଶ୍ରୁତି ଦେଇ ସମସ୍ତଙ୍କର ଜମିଜମା ରେକର୍ଡ ପତ୍ର ଫେରାଇ ନେଇଥିଲେ। ପରବର୍ତ୍ତୀ ସମୟରେ ଏହା ସେମାନଙ୍କ ପାଇଁ ପାଣିର ଗାର ପାଲଟି ଥିଲା ବୋଲି ଗ୍ରାମବାସୀ ଅଭିଯୋଗ କହିଛନ୍ତି। ଏ ପଞ୍ଚାୟତର ୫ଟି ଗ୍ରାମର ସରକାରୀ ହିସାବରେ ମୋଟ୍ ୮୭୯୯.୩୧ ଏକର ରୁ ଅଧିକ ଜମି ସଂପୂର୍ଣ୍ଣ ଜଳମଗ୍ନ ହେବା କୁହାଯାଉଥିଲେ ମଧ୍ୟ କାର୍ଯ୍ୟତଃ ପ୍ରାୟ ୧୭୦୦ ଏକର ଭଳି ଜମି ଜଳମଗ୍ନ ହେଉଛି। ଅବଶିଷ୍ଟ ୭୦୦୦ ଏକର ଭଳି ଜମି ଜଳମଗ୍ନ ହେଉ ନାହିଁ। ଅଦ୍ୟାବଧି ହଦଗଡ଼ ଡ୍ଯାମ୍ ପ୍ରୋଜେକ୍ଟ ଦ୍ଵାରା ପ୍ରଭାବିତ ହୋଇ ନିଜର ଚାଷ ଓ ବାସ ଜମି ହରାଇ ସଂପୂର୍ଣ୍ଣ ଭୂମିହୀନ ହୋଇଥିବା ପରିବାର ସେବେଠାରୁ ଚାଷବାସ କରି ଜୀବନ ଜୀବିକା ନିର୍ବାହ କରିଆସୁଛନ୍ତି । ଏହାର ସରଜମିନ୍ ତଦନ୍ତ କରି ସଂପୂର୍ଣ୍ଣ ଭୂମିହୀନ ପରିବାରଙ୍କୁ ଚାଷ ଓ ବାସ ଜମିର ପଟ୍ଟା ପ୍ରଦାନ କରିବା ସହିତ କେ.ବାଲିପାଳ ପଞ୍ଚାୟତର ସମସ୍ତ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ , ଅଟକି ରହିଥିବା ଛତ୍ରାଘାଟି ଠାରୁ ବାଲିପାଳ ୧୦ କି.ମି ଡି.ଏମ୍ ଏଫ୍ ଅନୁଦାନ ମଞ୍ଜୁର ପ୍ରାପ୍ତ ରାସ୍ତା ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ କେ.ବାଲିପାଳ ପଞ୍ଚାୟତବାସୀ ୨ୟ ଥର ଲାଗି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟାନ୍ୟ ଦାବି ଗୁଡିକ ମଧ୍ୟରେ କେ. ବାଲିପାଳ ଗ୍ରାମ ପଞ୍ଚାୟତରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ, ବାଲିପାଳ ଗ୍ରାମରେ ଉଚ୍ଚ ବିଦ୍ୟାଳୟ ସ୍ଥାପନ, କେ. ବାଲିପାଳ ହାଟଛକ ଠାରୁ ଭଣ୍ଡାର ପର୍ଯ୍ୟନ୍ତ ଲମ୍ଭିଥିବା ଦୀର୍ଘ 9 କି.ମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ, ପଞ୍ଚାୟତର ସମସ୍ତ ପାରମ୍ପାରିକ ଅଧିବାସୀମାନଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ ବଳେ ଜମି ପଟ୍ଟା ପ୍ରଦାନ ପ୍ରମୁଖ ଦାବି ରହିଥିଲା। ବିକ୍ଷୋଭ ଏବଂ ଗଣଧାରଣା ପ୍ରଦର୍ଶନ କରାଯିବା ପରେ ମୁଖ୍ୟ ମନ୍ତ୍ରୀଙ୍କ ସ୍ଵତନ୍ତ୍ର ଶାସନ ସଚିବ(ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ)ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅଭିଯୋଗ ଶୁଣାଣୀ କରି ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଵତନ୍ତ୍ର ଶାସନ ସଚିବ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ପ୍ରଦାନ କରିଥିବା ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି। ଆନ୍ଦୋଳନରେ ଯୁବ ସମାଜସେବୀ ବୁଧିରାମ ପୂର୍ତ୍ତି, ସାଦ ହୋ, ସୁନାରାମ ପୂର୍ତ୍ତି, ସୁତୁରୀ ପୂର୍ତ୍ତି, ଲକ୍ଷ୍ମୀ ମାଝୀ , ଗାମାଏ ରୀମିଲ ସିଂ ଗୋଇପାଈ, ଗୁଲୁରାମ ଲାମାୟେ ପ୍ରମୁଖ ନେତୃତ୍ଵ ନେଇଥିବା ବେଳେ ଗ୍ରାମ ପଞ୍ଚାୟତର ଶତାଧିକ ଜନସାଧାରଣ ଏହି ଧାରଣାରେ ଅଂଶଗ୍ରହଣ କରିଥିଲେ।


