ବିଜୟ ନଗରଗଡ ଗ୍ରାମକୁ ଐତିହ୍ୟ ଗ୍ରାମ ଘୋଷଣା ଦାବୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ପୁଞ୍ଜିକୟାଁ ଛକ ସ୍ଥିତ କବିସୂର୍ଯ୍ୟ କଲ୍ଯାଣ ମଣ୍ଡପ ଠାରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଏବଂ କବିସୂର୍ଯ୍ୟ ସ୍ମୃତି ପରିଷଦ ମଧ୍ୟରେ ଏକ ଆଲୋଚନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି।ସଭାରେ କବିସୂର୍ଯ୍ଯ ବଳଦେବ ରଥଙ୍କ ଜନ୍ମସ୍ଥାନ ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ବିଜୟନଗର ଗଡ ଗ୍ରାମରେ ବୋଲି ବିଧାୟକ ଙ୍କୁ ବହୁ ଐତିହାସିକ ପ୍ରମାଣ ଲିଖିତ ଭାବେ ପ୍ରଦାନ କରାଯାଇଥିଲା। ତେଣୁ କବିସୂର୍ଯ୍ୟ ଙ୍କ ଜନ୍ମସ୍ଥାନ ବିଜୟ ନଗର ଗଡ ଗ୍ରାମକୁ ଐତିହ୍ୟ ଏବଂ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇ ପ୍ରତିମୂର୍ତ୍ତି ନିର୍ମାଣ, ସ୍ମୃତି ପୀଠ ନିର୍ମାଣ ସହ ସମଗ୍ର ଅଞ୍ଚଳର ବିକାଶ ପୂର୍ବକ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାକୁ ବିଧାୟକ ସ୍ମୃତି ପରିଷଦ ଏବଂ ସ୍ଥାନୀୟ ବାସିନ୍ଦା ଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। କବିସୂର୍ଯ୍ଯଙ୍କ ଜନ୍ମସ୍ଥାନ ବିଜୟ ନଗର ଗଡ ଗ୍ରାମ ସମ୍ପର୍କରେ ବହୁ ଐତିହାସିକ ପ୍ରମାଣ ରହିଥିଲେ ମଧ୍ୟ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଆଠଗଡ ଅଞ୍ଚଳର କିଛି ବ୍ୟକ୍ତି ଇତିହାସକୁ ବିକୃତ କରିବାର ଅପଚେଷ୍ଟା ଚଳାଇଥିବା ଯୋଗୁଁ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା।ସମସ୍ତ ପ୍ରାମାଣିକ ତଥ୍ଯକୁ ଉପସ୍ଥାପନ କରାଯିବା ପରେ ବିଧାୟକ ମହାପାତ୍ର ଏ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉତଥାପନ ସହ ସଂସ୍କୃତି ବିଭାଗର ମନ୍ତ୍ରୀ ଏବଂ ସଚିବଙ୍କ ସହ ଆଲୋଚନା କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।ଆଲୋକ ବିଷୋୟୀଙ୍କ ସଂଯୋଜନା ଏବଂ ଆଇନଜୀବି କୁରେଶୁ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭାରେ ଏନ୍ଏସିର ନଗରପାଳ ପ୍ରଫୁଲ୍ଲ ପଣ୍ଡା ଓ ବଡ଼ ଖେମୁଣ୍ଡି ରାଜ ପରିବାରର ସଦସ୍ୟ ସିଦ୍ଧାନ୍ତ ଗଙ୍ଗଦେବ, ଗବେଷକ ଡ଼.ଅନନ୍ତରାମ କର କୌଣ୍ଡନ୍ୟ, ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ,ସରକାରୀ ଓକିଲ ମନୋରଞ୍ଜନ ପଣ୍ଡା,ସନ୍ତୋଷ କୁମାର ସାହୁ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ରବିଚନ୍ଦ୍ର ଗୌଡ଼, ରାମ ଚରଣ ମେକାପ, ଅରୁଣ କୁମାର ସାହୁ,ଏ.ଗୋବିନ୍ଦ ଦୋରା, ସାମାଜିକ କର୍ମୀ ତପନ କୁମାର ମିଶ୍ର,ତାରାପ୍ରସାଦ ପଟ୍ଟନାୟକ,ସନ୍ତୋଷ କୁମାର ସାହୁ, ସିମାଞ୍ଚଳ କର,ସାଇ ପ୍ରସାଦ ରଥ, ଶିକ୍ଷକ ନରସିଂହ ପଣ୍ଡା ଙ୍କ ସମେତ ସ୍ମୃତି ପରିଷଦର କାର୍ଯ୍ଯକର୍ତ୍ତା ବୃନ୍ଦ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।