ଦିଗପହଣ୍ଡିକୁ ମ୍ୟୁନିସିପାଲଟି ଘୋଷଣା ପାଇଁ ଦାବୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ର ବହୁ ପୁରାତନ ସହର ଦିଗପହଣ୍ଡି ଏନଏସି କୁ ରାଜ୍ୟ ସରକାର ମ୍ୟୁନିସିପାଲଟି ଘୋଷଣା ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାବୀ କରାଯାଇଛି।ଗୁରୁବାର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ମ୍ୟୁନିସିପାଲଟି ପାଇଁ ଦିଗପହଣ୍ଡି ସହରର ସମସ୍ତ ଯୋଗ୍ୟତା ଥିବା ନେଇ ତଥ୍ୟ ଉପସ୍ଥାପନ କରିଥିଲେ।ଶିକ୍ଷା ,ସ୍ବାସ୍ଥ୍ୟ,ଗମନାଗମନ,ବାଣିଜ୍ୟ,ସଂସ୍କୃତି, ବିଭିନ୍ନ ଉପଖଣ୍ଡ କାର୍ଯ୍ୟାଳୟ, ଆବଶ୍ୟକ ଜନସଂଖ୍ୟା ଓ ଭିତ୍ତିଭୂମି ରହିଥିଲେ ମଧ୍ୟ ଦିଗପହଣ୍ଡି କୁ ମ୍ୟୁନିସିପାଲଟି ଘୋଷଣା କ୍ଷେତ୍ରରେ ରାଜ୍ୟସରକାର ଦିଗପହଣ୍ଡି ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ନେଇ ସେ ତୀବ୍ର ସମାଲୋଚନା କରିଥିଲେ। ଦିଗପହଣ୍ଡି,ପଦ୍ମନାଭପୁର, ଅନଙ୍ଗପୁର, ରାଜପୁର,ନବରଙ୍ଗପୁର, ଚାଞ୍ଚଡ଼ା ପଲ୍ଲୀ,ବିଜୟ ପଦ୍ମନାଭପୁର, ଶୁଣ୍ଡି ପଲ୍ଲୀ, ଚୁଡୁଙ୍ଗପୁର,ନୂଆ ମଳାଭଞ୍ଜା,ଲକ୍ଷ୍ମୀନାରାୟଣପୁର,ରାମଚନ୍ଦ୍ର ପୁର,ମଙ୍ଗରାଜ ପୁର,ଚୈତନ୍ୟପୁର ଓ ଭୀମପୁର ଶାସନ କୁ ମିଶ୍ରଣ କରି ମ୍ୟୁନିସିପାଲଟି ଘୋଷଣା କରାଯିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର,ଗଞ୍ଜାମ ଜିଲ୍ଲାପାଳ,ନଗର ଉନ୍ନୟନ ମନ୍ତ୍ରୀ ଏବଂ ନଗର ଉନ୍ନୟନ ସଚିବ ଙ୍କ ଉଦ୍ଦେଶ୍ୟରେ ଏନେଇ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି।ଦିଗପହଣ୍ଡି କୁ ତୁରନ୍ତ ମ୍ୟୁନିସିପାଲଟି ଘୋଷଣା କରାନଗଲେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଗଣ ଆନ୍ଦୋଳନ କରାଯିବା ସହ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।ଏହି ସାମ୍ୱାଦିକ ସମ୍ମିଳନୀରେ ଆଇନଜୀବି ଗଜାନନ ତ୍ରିପାଠୀ,ଭାରତୀୟ ବିକାଶ ପରିଷଦ ର ସାଧାରଣ ସମ୍ପାଦକ ରାଜେନ୍ଦ୍ର ଦଳବେହେରା,ରବୀନ୍ଦ୍ର ନାଥ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ,ଶ୍ରୀଧର ରେଡ୍ଡୀ,କେ.ସୁଦାମ ଙ୍କ ସମେତ ବହୁ ସଂଖ୍ୟକ ସାମାଜିକ କର୍ମୀ ଉପସ୍ଥିତ ଥିଲେ।