ଚିଲିକିଧରା ହାଟ ପଡିଆରେ ନଳକୂପ ଖନନ ପାଇଁ ଦାବି
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୂର ବ୍ଲକ ଅନ୍ତର୍ଗତ ଗଉଣୀ ଘୋଷା ଗ୍ରାମ ପଞ୍ଚାୟତର ଚିଲିକି ଧରା ଗ୍ରାମର ବାହାବାଲି ସାହିରେ ସବୁଦିନ ସନ୍ଧ୍ୟାରେ ହାଟ ବସିଥାଏ। ଦୁର୍ଗମ ବଣ ଜଙ୍ଗଲ ଘେରା ଏହି ବାହାବାଲି ହାଟରୁ ସ୍ଥାନୀୟ ଆଦିବାସୀ ମାନେ ବିଭିନ୍ନ ତେଲ ଲୁଣ ସହିତ ମାଂସ, ପନିପରିବା ଓ ନିତ୍ୟ ଆବଶ୍ୟକ ସାମଗ୍ରୀ ମାନ କ୍ରୟ କରୁଥିବା ବେଳେ ସ୍ତାନୀୟ କୃଷକ ମାନେ ବଜାର ଅଭାବରୁ ବଳକା କୃଷିଜାତ ଦ୍ରବ୍ୟକୁ ଏହି ବାହାବାଲି ହାଟକୁ ବିକିବାକୁ ଆଣିଥାନ୍ତି। ହାଟରେ ପ୍ରତିଦିନ ଶହ ଶହ ସଂଖ୍ୟକ ଲୋକଙ୍କ ସମାଗମ ହୋଇଥାଏ।ମାତ୍ର ହାଟ ନିକଟରେ ଲୋକଙ୍କ ବସିବା ପାଇଁ କୌଣସି ପିଣ୍ଡି ନାହିଁ କି ପିଇବା ପାଇଁ ପାଣି ମୁନ୍ଦାଏର ବ୍ୟବସ୍ତା ନାହିଁ। ଖରା ଦିନରେ ଏହି ସମସ୍ୟା ଗଭୀର ରୂପ ଧାରଣ କରିଛି। ଲୋକମାନେ ପାଣି ପାଇଁ ରେଲଲାଇନ ଅତିକ୍ରମ କରି ରେଳ ଲାଇନର ଅପର ପର୍ଶ୍ୱରୁ ପାଣି ଆଣି ପିଇଥାନ୍ତି।ହାଟ ନିକଟରେ ତୁରନ୍ତ ଗୋଟିଏ ନଳକୂପ ଖନନ କରି ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚର ସାଧାରଣ ସମ୍ପାଦିକା ଶୈଳବାଳା ପରିଡାଙ୍କ ସମେତ ସ୍ତାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।


