ମୁନିଗୁଡ଼ା ରେଳ ଷ୍ଟେସନ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡ଼ା ରେଲୱେ ଷ୍ଟେସନକୁ ସରକାର ଅମୃତ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରଥିବା ବେଳେ ଷ୍ଟେସନରେ ବିଭିନ୍ନ ଉର୍ନତମୂଳକ କାର୍ଯ୍ୟ ଚାଲୁ ରହିଛି,କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ଗୁଡିକ ମନ୍ଥର ଗତିରେ ଚାଲୁ ଥିବାରୁ ନିର୍ମାଣ କାର୍ଯ୍ୟ ସରିବାର ନାଁ ନେଉନାହିଁ। ଯାହାକୁ ନେଇ ସାଧାରଣରେ ଯାତ୍ରୀ ମାନଙ୍କ ମନରେ ଘୋର ଅସନ୍ତୋଷ ଦେଖିବାକୁ ମିଳୁଛି। ଅନ୍ୟପଟେ ପ୍ରାୟତଃ ଦେଖାଯାଏ ଯେଉଁ ଦିନ ମୁନିଗୁଡାକୁ ରେଳ ଡିଭିଜନର ଉଚ୍ଚ ଅଧିକାରୀ ପରିଦର୍ଶନରେ ଆସିବାର ଥିବେ ତାର ଦୁଇ ଦିନ ପୂର୍ବରୁ ଛୋଟ ମୋଟ କାର୍ଯ୍ୟ ଆରମ୍ଭ ହୋଇଯାଏ,ପରେ ପୁଣି ବନ୍ଦ। ଗତ ଦିନରେ ରେଳ ଅଧିକାରୀ ମାନଙ୍କ ଠାରୁ ଶୁଣିବାକୁ ମିଳୁଥିଲା ଏବେ ବର୍ଷା ଋତୁ ଚାଲିଛି, କାର୍ଯ୍ୟରେ ମନ୍ଥରତା ଆସିଛି। ବର୍ଷା ମାସ ପରେ ଦୃତ ଗତିରେ କାର୍ଯ୍ୟ ଆରମ୍ଭ ହୋଇ ଯଥା ସମ୍ଭବ ସମୟରେ ସରିଯିବ କିନ୍ତୁ ବର୍ଷା ଯାଇ ଶୀତ ଆଉ ଏବେ ଗ୍ରୀଷ୍ମ ଆସି ଯିବାକୁ ବସିଲାଣି ନିର୍ମାଣ କାର୍ଯ୍ୟ ଏବେ ପ୍ରାୟତଃ ବନ୍ଦ ଅବସ୍ଥାରେ ପଡ଼ି ରହିଥିବା ଦେଖା ଯାଉଥିବା ବେଳେ ଷ୍ଟେସନ ପରିସର ଚାରିଆଡ଼େ କାର୍ଯ୍ୟ ଗୁଡିକ ଖଣ୍ଡିଆ ଖାବରା ଅବସ୍ଥାରେ ପଡି ରହିଥିବା ଦେଖାଯାଇଛି, ରେଳ ବିଭାଗ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ସଠିକ୍ ତଦାରଖ ନହେବା କାରଣ ପାଇଁ ହେଉ ଅବା ଅଧିକାରୀ ମାନଙ୍କ ଉଦାସୀନତା କାରଣରୁ ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଗତ ବର୍ଷା ଋତୁରେ ଦେଖିବାକୁ ମିଳୁଥିଲା ରେଳ ଚଢିବା ପାଇଁ ଗଲାବେଳେ ଅନେକ ଯାତ୍ରୀଙ୍କ ଗୋଡ ଖସି ଯାଉଥିଲା। ଏବେବି ଜଣେ ଦିବ୍ୟାଙ୍ଗ ଯାତ୍ରୀ ଷ୍ଟେସନ ପ୍ରବେଶ ପଥରେ ଆସିବା ଆଉ ଗଲାବେଳେ ସମ୍ପର୍କୀୟଙ୍କ ଦ୍ଵାରା ଟେକି ଟେକି ନେବା ଆଣିବା କରିବାକୁ ପଡ଼ୁଛି। ଭଲ ଶୌଚାଳୟ ବ୍ୟବସ୍ତା ସହ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ଏଠାରେ ନାହିଁ। ରାତ୍ରି ହେଲେ ଆହୁରି ଅସୁରକ୍ଷିତ ମନେହୁଏ ଏହି ଷ୍ଟେସନ ପରିସର। କେତେଜଣ ବଳିଷ୍ଠ ଓ ନିଷ୍ଠାବାନ ରେଳ ସୁରକ୍ଷା କର୍ମୀ ଓ ଅଧିକାରୀଙ୍କ ଦାୟିତ୍ୱ ଓ ତଦାରଖ ଯେପରି ଷ୍ଟେସନକୁ ଜୀବନ୍ତ କରି ରଖିଛି। ଅନେକ ସ୍ଥାନରେ ବିଜୁଳି ବ୍ୟବସ୍ଥା ଅତି ନିମ୍ନ ମାନର।କେତେକ ସ୍ଥାନ ଅନ୍ଧାର ମଧ୍ୟରେ ରହୁଛି।ଅନେକ ଜାଗା ଖୋଳା ଖୋଳି ହୋଇ ପଡ଼ି ରହିଛି। କିଛି ସ୍ଥାନରେ ଟିଣ ବ୍ୟାରିକେଟ ଥିବାରୁ ଯାତ୍ରୀ ମାନେ ବିପଦ ସଙ୍କୁଳ ସ୍ଥାନ ଜାଣି ପାରୁଛନ୍ତି। ନଚେତ ଷ୍ଟେସନ ପରିସର ସମ୍ପୂର୍ଣ୍ଣ ବିପଦ ସଙ୍କୁଳ। ଷ୍ଟେସନରେ ଟ୍ରେନ ଯାତ୍ରୀ ମାନଙ୍କ ପାଇଁ କୋଚ ପଜିସନ ବୋର୍ଡ ନାହିଁ,ଟ୍ରେନ ଆସିଲେ ଯାତ୍ରୀ ତଥା ବିଶେଷ କରି ବୁଢା ବଢ଼ୀ ମାନଙ୍କ ଟ୍ରେନରେ ନିଜ କୋଚରେ ବସିବାକୁ ବିକଳରେ ଦୌଡା ଧାପଡ଼ା ଦେଖିଲେ ଡର ଲାଗିଥାଏ। ଟ୍ରେନରେ ବସି ନଥିବା ଯାଏ ଏଠି ପ୍ରତି ମୁହୂର୍ତ୍ତରେ ଯାତ୍ରୀ ମାନେ ବିପଦ ଅପେକ୍ଷା କରି ବସିଛି। ଏ ଅଭାବନୀୟ ବିଷୟକୁ ନେଇ ମୁନିଗୁଡ଼ା ରେଳ ବିଭାଗ ଏଇଏନ୍ ରବି କିର୍ତ୍ତିଙ୍କୁ ପଚାରିବାରୁ ସେ କହିଥିଲେ ନିର୍ମାଣ କାର୍ଯ୍ୟ ଯୋଗୁଁ ଯାତ୍ରୀ ସମସ୍ୟା ନିଶ୍ଚିତ ହେଉଛି, ସେଥିପାଇଁ ଆମେ ଦୁଃଖିତ। ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଥିଲେ, ଅନ୍ୟପଟେ ରେଳ ମନ୍ତ୍ରଣାଳୟ ମୁନିଗୁଡ଼ା ଷ୍ଟେସନ ଓ ଯାତ୍ରୀ ସୁରକ୍ଷା ପ୍ରତି ଅଣଦେଖା ମନୋଭାବ ଦେଖାଉଛି ବୋଲି ସାଧାରଣରେ ଚର୍ଚା ହେଉଛି। ଅନେକ ଥର ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା ଓ ପତ୍ର ବିନିମୟ ସତ୍ତ୍ୱେ ବିଭାଗ ଯେପରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡ଼ିଛି। ରେଳ ବିଭାଗ ଯାତ୍ରୀ ସେବାକୁ ସୁରକ୍ଷିତ କରିବା ଓ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରେଳ ଡିଭିଜନ ବିଭାଗୀୟ ଅଧିକାରୀ ଯଥାଶୀଘ୍ର ପଦକ୍ଷେପ ନେବାକୁ ମୁନିଗୁଡ଼ା ପ୍ରଗତି ମଞ୍ଚ,ପ୍ରେସ କ୍ଲବ,ବଣିକ ସଙ୍ଘ ସହ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମବାସୀ ମାନେ ଦାବି କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ